ଅନନ୍ତଙ୍କ ଟାର୍ଗେଟରେ ଅପରାଜିତା । କହିଲେ, ଓଡ଼ିଶାକୁ ବିହାର ଭଳି ଅଶାନ୍ତ କରିବାକୁ ଚେଷ୍ଟା କରନ୍ତୁନି ସାଂସଦ ଅପରାଜିତା ।
କନକ ବ୍ୟୁରୋ : ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ଟାର୍ଗେଟରେ ସାଂସଦ ଅପରାଜିତା । ଗୁରୁବାର ରାତିର ଘଟଣାକୁ ନେଇ ଅପରାଜିତା ପ୍ରେସମିଟ୍ କରିବା ସହ ବିଜେଡିକୁ ଟାର୍ଗେଟ କରିଥିଲେ । ଆଉ ଆଗକୁ ତାଙ୍କୁ ରାଜ୍ୟ ସରକାର ସୁରକ୍ଷା ଦିଅନ୍ତୁ ବୋଲି ଦାବି କରିଥିଲେ । ତେବେ ଅପରାଜିତା ଏଭଳି ଆରୋପ ଆଣିବାର କିଛି ଘଣ୍ଟା ମଧ୍ୟରେ କଡା ଜବାବ ରଖିଛନ୍ତି ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନା ।
Kanak News is now on WhatsApp
Join and get latest news updates delivered to you via WhatsApp
ଅପରାଜିତା ବିଜେଡି ବିରୋଧରେ ଆଣିଥିବା ଅଭିଯୋଗକୁ ନେଇ ଅନନ୍ତ କହିଛନ୍ତି, ଗତକାଲି କିଛି ବସ୍ତି ବାସିନ୍ଦା ଖାସକରି ମହିଳା ମାନେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଅପେକ୍ଷା କରିଥିଲେ ଦେଖିବା ପାଇଁ । ସେହି ସମୟରେ କିଛି ଗୁଣ୍ଡା ଶ୍ରେଣୀର ଲୋକମାନେ ତାଙ୍କୁ ଆକ୍ରମଣ କରିଥିଲେ । ମାତ୍ର ସେହି ବାଟ ଦେଇ ଯାଉଥିବା ଅପରାଜିତା ମ୍ୟାଡ଼ମ ଓହ୍ଲାଇ ତାଙ୍କୁ ସାନ୍ତ୍ୱନା ଦେଲେ ନାହିଁ । ଆଉ ଯେତେବେଳେ ଲୋକମାନେ ଅପରାଜିତା ମ୍ୟାଡ଼ମଙ୍କୁ ତାଙ୍କ ଦୁଃଖ ବିଷୟରେ ଜଣାଇବାକୁ ଗଲେ ସେହି ସମୟରେ ତାଙ୍କ ପ୍ରତି ଅଶାଳୀନ ବ୍ୟବହାର କରାଯାଇଛି । ସାଧାରଣ ଲୋକଙ୍କ ଏତେ ଭୟ କାହିଁକି କରୁଛନ୍ତି ସାଂସଦ।
ରାଜ୍ୟରେ କୌଣସି ଜନ ପ୍ରତିନିଧି ନିଜ ସାଙ୍ଗରେ ଗୁଣ୍ଡା ବାହିନୀ ରଖି ନାହାନ୍ତି । ଯେଉଁ ମାନେ ଅପରାଜିତାଙ୍କ ସହ ବୁଲୁଛନ୍ତି ତାଙ୍କ ନାମରେ ଥାନାରେ ଏତଲା ରହିଛି । ବିଜେପିରେ ଅନେକ ବଡ଼ ବଡ଼ ନେତା ମନ୍ତ୍ରୀ ରହିଛନ୍ତି କେହି ବି ଏପରି ନିଜ ସାଙ୍ଗରେ ଗୁଣ୍ଡା ବାହିନୀ ଧରି ବୁଲୁ ନାହାନ୍ତି । ଓଡ଼ିଶାକୁ ବିହାର ଭଳି ଅଶାନ୍ତ କରିବାକୁ ଚେଷ୍ଟା ନ କରନ୍ତୁ ଅପରାଜିତା । ଓଡ଼ିଶା ଏକ ଶାନ୍ତି ପ୍ରିୟ ରାଜ୍ୟ । ଏଠି ଅଶାନ୍ତି ଓ ବିଶୃଙ୍ଖଳା କରିବାକୁ ଚେଷ୍ଟା କରନ୍ତୁ ନାହିଁ ଅପରାଜିତା । କିଛି ଏଭଳି ଢଙ୍ଗରେ ଅପରାଜିତାଙ୍କୁ ଟାର୍ଗେଟ କରିଛନ୍ତି ଅନନ୍ତ ।
ଏହାପୂର୍ବରୁ ଗୁରୁବାର ରାତିରେ ଆଚାର୍ଯ୍ୟବିହାର ଘଟଣାକୁ ନେଇ ସୁରକ୍ଷା ମାଗିଛନ୍ତି ଭୁବନେଶ୍ୱର ସାଂସଦ । ଅପରାଜିତା କହିଛନ୍ତି, ବ୍ୟକ୍ତିଗତ ଭାବେ ଟାର୍ଗେଟ କରାଯାଉଛି । ତାଙ୍କ କାର୍ଯ୍ୟରେ ଜାଣିଶୁଣି ବାଧା ସୃଷ୍ଟି କରାଯାଉଛି, ବିଶୃଂଖଳା କରାଯାଉଛି । ସେ ସୁରକ୍ଷିତ ନୁହନ୍ତି, ତାଙ୍କୁ ସୁରକ୍ଷା ଦିଅନ୍ତୁ ସରକାର । ତାଙ୍କୁ ଆକ୍ରମଣ କରିଥିବା ଲୋକଙ୍କ ବିରୋଧରେ ୨୪ ଘଣ୍ଟା ମଧ୍ୟରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ଭୁବନେଶ୍ୱର ସାଂସଦ ।
ଗୁରୁବାର ଘଟିଥିବା ହିଂସା ପ୍ରସଙ୍ଗକୁ ସେ ସଂସଦରେ ମଧ୍ୟ ଉପସ୍ଥାପନ କରିବେ । ଆଜିଠାରୁ ପ୍ରତ୍ୟେକ ୱାର୍ଡ ଓ ସାରା ରାଜ୍ୟରେ ସେ ବୁଲିବେ । ତାଙ୍କୁ ସୁରକ୍ଷା ଦେବା ଦାୟିତ୍ୱ ରାଜ୍ୟ ସରକାରଙ୍କର । ସର୍ବଭାରତୀୟ ସ୍ତରରେ ମହିଳାମାନଙ୍କ ଉପରେ ହେଉଥିବା ଅପରାଧରେ ଓଡ଼ିଶା ଦ୍ୱିତୀୟରେ ରହିଛି । ବିଜେଡି ଏହାକୁ ପ୍ରଥମ କରିବା ପାଇଁ ଚେଷ୍ଟା କରୁଛି ବୋଲି କହିଛନ୍ତି ଅପରାଜିତା । ଏଥିସହ ରାଜ୍ୟରେ ଘଟୁଥିବା ହିଂସାକାଣ୍ଡକୁ ନେଇ ରାଜ୍ୟ ସରକାର ଅବଗତ ଅଛନ୍ତି କି ନାହିଁ ସେ ନେଇ ପ୍ରଶ୍ନ ଉଠାଇଛନ୍ତି ।
ସେହିଭଳି ସାଂସଦ ଅପରାଜିତାଙ୍କ ସହ ସ୍ୱର ମିଳାଇଛି ରାଜ୍ୟ ବିଜେପି । ସାଂସଦ ଅପରାଜିତା ଷଡଙ୍ଗୀଙ୍କ କାର୍ଯ୍ୟକ୍ରମ ବେଳେ ଖଣ୍ଡଯୁଦ୍ଧକୁ ଘଟଣାକୁ ନିନ୍ଦା କରିଛି ବିଜେପି । ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି, ଗତକାଲିର ଘଟଣା ପ୍ରମାଣିତ କରୁଛି ରାଜ୍ୟରେ କେତେ ଅସୁରକ୍ଷିତ ମହିଳା । ପୌର ନିର୍ବାଚନ ପୂର୍ବରୁ ଏଭଳି ବୟାନବାଜି ରାଜନୀତିକୁ ଉଷ୍ମ କରିଛି ।