ନବୀନ ନିବାସରେ ବିଜେପୁର ମନ୍ତ୍ରଣା : ଫେବୃୟାରୀ ୫ତାରିଖରେ ରୀତାଙ୍କ ନାମାଙ୍କନ

34

କନକ ବ୍ୟୁରୋ :  ବିଜେପୁର ପାଇଁ ବିଜେଡିର ମନ୍ଥନ । ବିଜେପୁର ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରେ ରାଜନୈତିକ ପାଣିପାଗ ସରଗରମ ହୋଇଛି । ରଣନୀତି ପ୍ରସ୍ତୁତ କରିବା ପାଇଁ ନବୀନ ନିବାସରେ ବୈଠକ ହୋଇଛି । ଫେବୃୟାରୀ ୫ତାରିଖରେ ବିଜେଡି ପ୍ରାର୍ଥୀ ରିତା ସାହୁ ନାମାଙ୍କନ ପତ୍ର ଦାଖଲ କରିବେ । ନବୀନ ନିବାସରେ ହୋଇଥିବା ବୈଠକରେ ବିଜେପୁର ପାଇଁ ବିଜେଡି ପର୍ଯ୍ୟବେକ୍ଷକଙ୍କ ସହ ଦଳର ବରିଷ୍ଠ ନେତା ଉପସ୍ଥିତ ଥିଲେ । ଫେବୃଆରୀ ୨୪ରେ ବିଜେପୁରରେ ଉପନିର୍ବାଚନ ହେବ । ୨୮ରେ ହେବ ଗଣତି । ବିଜେଡିରୁ ରୀତା ସାହୁ ପ୍ରାର୍ଥୀ ହୋଇଥିବା ବେଳେ ବିଜେପି ଓ କଂଗ୍ରେସ ଏ ଯାଏଁ ପ୍ରାର୍ଥୀ ସ୍ଥିର କରିନାହାଁନ୍ତି । କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ପରଲୋକ ପରେ ଏହି ଆସନରେ ଉପନିର୍ବାଚନ ହେଉଛି । ସୁବଳ ସାହୁଙ୍କ ସ୍ତ୍ରୀ ରୀତା ସାହୁ କଂଗ୍ରେସ ଛାଡି ଇତିମଧ୍ୟରେ ବିଜେଡିରେ ସାମିଲ ହୋଇସାରିଛନ୍ତି ।

ସେପଟେ କଂଗ୍ରେସ ବିଳମ୍ବରେ ହେଲେ ମଧ୍ୟ ବିଜେପୁର ପାଇଁ ପ୍ରାର୍ଥୀ ଚୟନ ପ୍ରକ୍ରିୟା ଆରମ୍ଭ କରିଛି । କାରଣ ବିଜେପୁର ପ୍ରାର୍ଥୀ ଚୟନ ପାଇଁ ଗଠିତ କମିଟିକୁ ଅନୁମୋଦନ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ବରିଷ୍ଠ ନେତା ହେମାନନ୍ଦ ବିଶ୍ୱାଳ କମିଟିର ଅଧ୍ୟକ୍ଷ ଥିବାବେଳେ ଜଗନ୍ନାଥ ପଟ୍ଟନାୟକ ଆବାହକ, ନବକିଶୋର ଦାସଙ୍କୁ ସଂଯୋଜକ ଏବଂ ଶରତ ପଟ୍ଟନାୟକ, ଭକ୍ତ ଚରଣ ଦାସ ଓ ବରଗଡ ଜିଲ୍ଲା ସଭାପତି ଅନନ୍ତାସନ ପାଢୀଙ୍କୁ ସଦସ୍ୟ ଭାବେ ନିଯୁକ୍ତ କରାଯାଇଛି ।

ବିଜେପି ମଧ୍ୟ ଏହା ଆସନରେ ତାର ପ୍ରାର୍ଥୀ ଏକପ୍ରକାର ଚୂଡାନ୍ତ କରିସାରିଥିବାବେଳେ କଂଗ୍ରେସର ପ୍ରାର୍ଥୀ କିଏ ହେବେ ତାକୁ ନେଇ ଚର୍ଚ୍ଚା ଲାଗିରହିଛି । ଆଉ ଏହାରି ଭିତରେ ବିଜେପୁର ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇସାରିଥିବାବେଳେ ପ୍ରାର୍ଥୀ ଖୋଜା ଆରମ୍ଭ କରିଛି ପ୍ରଦେଶ କଂଗ୍ରେସ ।