କନକ ବ୍ୟୁରୋ : ଓଡ଼ିଶାରେ ଲୋକସଭା ଆସନ ପାଇଁ ବୁଥ୍ ବାହୁଡା ମତ ଆସିବା ପରେ ଏବେ ବିଧାନସଭା ପାଇଁ ଆସୁଛି ବିଭିନ୍ନ ଜାତୀୟ ଗଣମାଧ୍ୟମର ଏକଜିଟ୍ ପୋଲ । ଇଟିଜି ରିସର୍ଚ୍ଚ ଓ ଟାଇମ୍ସ ନାଓର ସର୍ଭେରେ ୨୦୨୪ ବିଧାନସଭା ନିର୍ବାଚନରେ ବିଜେଡି ପୁଣିଥରେ ଓଡ଼ିଶାରେ ଶହେରୁ ଅଧିକ ଆସନ ହାତେଇବା ନେଇ ଆକଳନ କରିଛି ।

ଉକ୍ତ ସର୍ଭେ ଅନୁଯାୟୀ ବିଜେଡି ୧୦୦ରୁ ୧୧୫ ଆସନ ହାତେଇବାକୁ ଥିବା ବେଳେ ବିଜେପିକୁ ୩୦ରୁ ୩୮ ଆସନ ମିଳିବା ସମ୍ଭାବନା ରହିଛି । ସେହିଭଳି ଗତଥର ଅପେକ୍ଷା କଂଗ୍ରେସର ଆସନ କମ ହୋଇପାରେ ବୋଲି ସଂକେତ ଦେଇଛି ଇଟିଜି ରିସର୍ଚ୍ଚ ଓ ଟାଇମ୍ସ ନାଓର ସର୍ଭେ । ଏହି ସର୍ଭେରେ କଂଗ୍ରେସକୁ ମାତ୍ର ୪ରୁ ୭ ଆସନ ମିଳିବା ନେଇ ସଂକେତ ମିଳିଛି । ସେହିଭଳି ସ୍ୱାଧୀନ ଓ ଅନ୍ୟାନ୍ୟ ଦଳକୁ ୧ରୁ ୨ ଆସନ ମିଳିବାର ଯଥେଷ୍ଟ ସମ୍ଭାବନା ରହିଥିବା କହିଛି ଇଟିଜି ରିସର୍ଚ୍ଚ ଓ ଟାଇମ୍ସ ନାଓର ସର୍ଭେ ।

ଅନ୍ୟପଟେ ଜନ୍ କି ବାତ ପକ୍ଷରୁ ହୋଇଥିବା ସର୍ଭେରେ ବିଜେଡିକୁ ବହୁମତ ମିଳୁଥିଲେ ମଧ୍ୟ ଗତବର୍ଷ ତୁଳନାରେ ୩୦ରୁ ଅଧିକ ଆସନ ହରାଇପାରେ । ଏହି ସର୍ଭେରେ ବିଜେଡିକୁ ୮୧, ବିଜେପିକୁ ୫୮ ଓ କଂଗ୍ରେସକୁ ୮ଟି ଆସନ ମିଳିବାର ସମ୍ଭାବନା ରହିଛି । ସେହିଭଳି ଇଣ୍ଡିଆ ଟୁଡେ ପକ୍ଷରୁ ହୋଇଥିବା ସର୍ଭେରେ ଉଭୟ ବିଜେଡି ଓ ବିଜେପିକୁ ୬୨ରୁ ୮୦ ଲେଖାଏଁ ଆସନ ମିଳିବା ନେଇ ଆକଳନ ହୋଇଛି । କଂଗ୍ରେସ ଖାତାରେ ୫ରୁ ୮ ଆସନ ମିଳିବା ନେଇ ଆକଳନ କରିଛି ଇଣ୍ଡିଆ ଟୁଡେ ।