ଇସ୍ତାହାରରେ ଯୁବଗୋଷ୍ଠୀ । ମହିଳା ଓ ଚାଷୀଙ୍କ ସହ ଯୁବଗୋଷ୍ଠୀଙ୍କ ଭବିଷ୍ୟତ ପାଇଁ ପ୍ରତିଶ୍ରୁତି ଦେଲା ବିଜେଡି ।

148

କନକ ବ୍ୟୁରୋ: ସବୁ ପ୍ରତିକ୍ଷାର ଅନ୍ତଘଟିଲା ଆସିଲା ୨୦୧୯ ନିର୍ବାଚନୀ ବିଜେଡି ଇସ୍ତାହାର ପତ୍ର । ପୂର୍ବରୁ ଯୁବଗୋଷ୍ଠୀଙ୍କୁ ଗୁରୁତ୍ୱ ଦେବାକୁ ଜୋର ଦେଉଥିବା ବିଜେଡି ଚଳିତ ଇସ୍ତାହାରରେ ଯୁବଗୋଷ୍ଠୀଙ୍କୁ ପ୍ରାଧାନ୍ୟ ଦେଇଛି । ଯୁବଗୋଷ୍ଠୀଙ୍କ ଭବିଷ୍ୟତ ନେଇ ବିଜେଡି ଇସ୍ତାହାର ପତ୍ରରେ ୧୧ଟି ପ୍ରମୁଖ ଦିଗକୁ ଗୁରୁତ୍ୱ ଦିଆଯାଇଛି । ସେଗୁଡ଼ିକ ହେଲା, ଆଗାମୀ ଦିନରେ ଓଡ଼ିଶାରେ ହେବାକୁଥିବା ଶିଳ୍ପାନୁଷ୍ଠାନ ଗୁଡ଼ିକରେ ଓଡ଼ିଶାର ଯୁବକଙ୍କ ପାଇଁ ୭୫% ନିଯୁକ୍ତି ସଂରକ୍ଷଣ କରାଯିବ, ‘ସ୍କିଲ୍ଡ ଇନ୍ ଓଡ଼ିଶା’ ଯୋଜନାରେ ଆଗାମୀ ୫ ବର୍ଷ ମଧ୍ୟରେ ୧୫ଲକ୍ଷ ଯୁବକ ଯୁବତୀଙ୍କୁ ତାଲିମ ପ୍ରଦାନ କରାଯିବା ସହ ଏହାକୁ ବିଶ୍ୱସ୍ତରୀୟ ବ୍ରାଣ୍ଡ୍ ଭାବେ ଉଭା ହେବ ବୋଲି ଇସ୍ତାହାରରେ ଉଲ୍ଲେଖ ରହିଛି ।

ସେହିଭଳି ‘ମେକ୍ ଇନ୍ ଓଡ଼ିଶା’ ମାଧ୍ୟମରେ ୬ଟି ସେକ୍ଟରରେ ପାଖାପାଖି ୩୦ ଲକ୍ଷ ଯୁବକ ଓ ଯୁବତୀଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ କରାଯିବ । ଶିକ୍ଷା କ୍ଷେତ୍ରରେ ୦% ସୁଧରେ ଲୋନ୍ ପ୍ରଦାନ କରାଯିବା ସହ ରାଜ୍ୟର ସମସ୍ତ ଟେକ୍ନିକାଲ ଇଣ୍ଟିଚ୍ୟୁଟ୍ , କଲେଜ ଓ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ମାଗଣା ୱାଇ-ଫାଇର ସୁବିଧା କରାଯିବ । ସେହିପରି କ୍ରୀଡ଼ା କ୍ଷେତ୍ରରେ ଯୁବଗୋଷ୍ଠୀକୁ ପ୍ରୋତ୍ସାହନ କରିବା ଉଦ୍ଦେଶ୍ୟରେ ଓଡ଼ିଶା ଆଗାମୀ ଦିନରେ ଖେଳ ଓ ଖେଳାଳୀଙ୍କ ପାଇଁ ବିଶ୍ୱସ୍ତରୀୟ ଉନ୍ନତମାନ ସୁବିଧା ପ୍ରଦାନ କରାଯିବ ବୋଲି ଇସ୍ତାହାରରେ ପ୍ରତିଶ୍ରୁତି ଦେଇଛି ବିଜେଡି ।