ବିଜେଡି ଇସ୍ତାହାର କମିଟି ବୈଠକ । ଲୋକଙ୍କ ସମସ୍ୟା ଓ ସମାଧାନ ନେଇ ପ୍ରସ୍ତୁତ ହେବ ନିର୍ବାଚନୀ ଇସ୍ତାହାର: ବିଜେଡି

148

କନକ ବ୍ୟୁରୋ: ଆଗାମୀ ନିର୍ବାଚନରେ ବିଜୟ ହାସଲ କରିବାକୁ ରାଜ୍ୟ ବିଜେଡି କାର୍ଯ୍ୟାଳୟରେ ବିଜେଡିର ପ୍ରଥମ ଇସ୍ତାହାର କମିଟି ଅନୁଷ୍ଠିତ ହୋଇଛି । ଆଗାମୀ ନିର୍ବାଚନୀ ଇସ୍ତାହାରରେ କେଉଁ ପ୍ରସଙ୍ଗ ଗୁଡିକ ସ୍ଥାନ ପାଇବ ସେନେଇ ବୈଠକରେ ଆଲୋଚନା ହୋଇଛି । ଏନେଇ ଇସ୍ତାହାର କମିଟି ଉପାଧ୍ୟକ୍ଷ ତଥା ରାଜ୍ୟସଭା ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, ଆମେ ବାସ୍ତବବାଦୀ ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତ କରୁ । କାରଣ ବିଗତ ୫ ବର୍ଷ ମଧ୍ୟରେ ଓଡ଼ିଶାବାସୀ ଦେଖିଛନ୍ତି ଯେ, ବିଜେଡି ଯାହା କହେ ତାହା ପାଳନ କରେ । ବର୍ତ୍ତମାନ ଓଡ଼ିଶାରେ କେହି ଜଣେ ହେଲେ ଭୋକିଲା ରହିଥିବା କହିବେ ନାହିଁ । ଭୋଟ୍ ପାଇଁ ମନକିଣା ଇସ୍ତାହାର ଦିଆଯିବ ନାହିଁ । ଚଳିତଥର ଲୋକଙ୍କ ସମସ୍ୟା ଓ ସମାଧାନ ନେଇ ନିର୍ବାଚନୀ ଇସ୍ତାହାର ଦିଆଯିବ ଏବଂ ତାହା ସଠିକ ରୂପେ କାର୍ଯ୍ୟକାରୀ ହେବ ବୋଲି କହିଛନ୍ତି ସୌମ୍ୟ ।

ସେପଟେ କମିଟି ଉପାଧ୍ୟକ୍ଷ ତଥା ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ମଧ୍ୟ ଇସ୍ତାହାର କମିଟି ନେଇ କହିଛନ୍ତି ଯେ, ଓଡ଼ିଶାର ସବୁ ଅଂଚଳର ସବୁ ବର୍ଗର ଲୋକଙ୍କ ମତ ନିଆଯାଉଛି । ଦଳ କେବେ ଅବାସ୍ତବ ପ୍ରତିଶ୍ରୁତି ଦେଇନାହିଁ । ଏବଂ ଦଳ ପକ୍ଷରୁ ସଠିକ ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତ କରାଯାଉଛି । ଘରେ ଘରେ ଶଙ୍ଖ କର୍ଯ୍ୟକ୍ରମ ମାଧ୍ୟମରେ ପ୍ରତି ଘରକୁ କାର୍ଯ୍ୟକର୍ତ୍ତା ପହଂଚି ଲୋକଙ୍କ ମତାମତକୁ ସଂଗ୍ରହ କରିଛନ୍ତି । ଏହାସହ କୃଷି, ଶ୍ରମିକ ଓ ନିଯୁକ୍ତି ଉପରେ ଗୁରୁତ୍ୱ ଦିଆଯିବ ବୋଲି ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି । ଏହି ବୈଠକରେ କମିଟି ଅଧ୍ୟକ୍ଷ ବେଦପ୍ରକାଶ ଅଗ୍ରୱାଲ, ଉପାଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ଓ ପ୍ରସନ୍ନ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।