ବିଜେଡିରେ ମିଶୁ ମିଶୁ ଭୃଗୁ ଓ ମନ୍ମଥଙ୍କୁ ପ୍ରାର୍ଥୀ କରିଛି ବିଜେଡି । ଅପରାଜିତାଙ୍କ ବିରୋଧରେ ମନ୍ମଥ, ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଭୃଗୁ ବକ୍ସିପାତ୍ରଙ୍କୁ ବିଜେଡିର ଉପହାର

257

କନକ ବ୍ୟୁରୋ : ନିର୍ବାଚନ ଋତୁରେ ଦଳ ଡିଆଁ ଏବେ ଏକ ପର୍ବ ଭଳି ହୋଇଯାଇଛି । ଏ ଦଳରୁ ସେ ଦଳକୁ ଡେଉଁଥିବା ନେତାଙ୍କ ମଧ୍ୟରୁ କିଛି ନେତାଙ୍କୁ ଟିକେଟ ମିଳୁଛି ତ କିଛି ନେତାଙ୍କୁ ଥଇଥାନର ଆଶ୍ୱସନା ଦିଆଯାଉଛି । ହେଲେ ଚଳିତ ନିର୍ବାଚନ ପୂର୍ବରୁ ଏଭଳି ଦୁଇଜଣ ନେତାଙ୍କୁ ଟିକେଟ ମିଳିଛି ଯେଉଁମାନେ ଦଳବଦଳ କରିବାର ମାତ୍ର କେଇଘଣ୍ଟା ମଧ୍ୟରେ ସେମାନଙ୍କୁ ଟିକେଟ୍ ମିଳିଛି । ଏହି ଦୁଇଜଣ ହେଉଛନ୍ତି ଭୁବନେଶ୍ୱର ଲୋକସଭା ଆସନରୁ ବିଜେଡି ପ୍ରାର୍ଥୀ ମନ୍ମଥ ରାଉତରାୟ ଓ ବ୍ରହ୍ମପୁର ଲୋକସଭା ଆସନରୁ ବିଜେଡି ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର ।

ମନ୍ମଥ ରାଉତରାୟ ହେଉଛନ୍ତି କଂଗ୍ରେସ ବିଧାୟକ ସୁରେଶ ଚନ୍ଦ୍ର ରାଉତରାୟଙ୍କ ପୁଅ । ସେ କିଛିମାସ ହେବ ରାଜନୀତିରେ ଯୋଗ ଦେଇଥିଲେ । ଏହାସହ ସୁର ରାଉତରାଏ ବିଧାୟକ ଥିବା ଜଟଣୀ ଆସନରୁ ସେ ବିଧାୟକ ଭାବେ କଂଗ୍ରେସ ଟିକେଟରୁ ଲଢିବା ନେଇ ଆଶା କରାଯାଉଥିଲା । ଏନେଇ ମଧ୍ୟ ମନ୍ମଥ ଜଟଣୀ ବିଧାନସଭା କ୍ଷେତ୍ରରେ ନିଜର ପ୍ରଚାର ଆରମ୍ଭ କରିଦେଇଥିଲେ । ହେଲେ ହଠାତ ସେ ବିଜେଡିରେ ଯୋଗ ଦେଇଥିଲେ । ହେଲେ କେହି କେବେ ଆଶା କରିନଥିଲେ କି ବିଜେଡି ତାଙ୍କୁ ଭୁବନେଶ୍ୱର ଲୋକସଭା ଆସନରୁ ପ୍ରାର୍ଥୀ କରିବ । ହେଲେ ସେ ବିଜେଡିରେ ଯୋଗ ଦେବାର ମାତ୍ର ୩ ଘଣ୍ଟା ମଧ୍ୟରେ ଦଳ ଭୁବନେଶ୍ୱର ଲୋକସଭା ଆସନରୁ ପ୍ରାର୍ଥୀ ଭାବେ ମନ୍ମଥ ରାଉତରାୟଙ୍କ ନାମ ଘୋଷଣା କରିଥିଲା । ହେଲେ ୨୦୧୯ ନିର୍ବାଚନରେ ବିଜେଡି ପ୍ରାର୍ଥୀ ଅରୁପ ପଟ୍ଟନାୟକ ବିଜେପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀଙ୍କ ଠାରୁ ପରାଜିତ ହୋଇଥିଲେ । ଅରୁପ ପଟ୍ଟନାୟକ ମଧ୍ୟ ୨୦୧୯ ମସିହାରେ ରାଜନୀତିରେ ନୂଆ ଥିଲେ । ଏଥର ବିଜେଡି ପ୍ରାର୍ଥୀ କରିଥିବା ମନ୍ମଥ ରାଉତରାୟ ମଧ୍ୟ ରାଜନୀତିରେ ନୂଆ । ଅପରାଜିତା ସାଂସଦ ହେବା ପରେ ଭୁବନେଶ୍ୱର ଲୋକସଭା ବାବଦରେ ସବୁକିଛି ଜାଣିସାରିଛନ୍ତି । ଏସବୁ ଭିତରେ ମନ୍ମଥ କିଭଳି ଅପରାଜିତାଙ୍କୁ ଟକ୍କର ଦେବେ ତାହା ସମୟ କହିବ ।

ସେପଟେ ବିଜେପିର ବହୁ ପଦପଦବୀରେ ଥିବା ଭୃଗୁ ବକ୍ସିପାତ୍ର ଆଜି ବିଜେଡିରେ ଯୋଗ ଦେଇଥିଲେ । ସେ ବିଜେଡିରେ ଯୋଗ ଦେବାର ମାତ୍ର ୮ଘଣ୍ଟା ମଧ୍ୟରେ ଦଳ ତାଙ୍କ ଉପରେ ଭରସା କରିଛି    । ବିଜେଡି ତାଙ୍କୁ ବ୍ରହ୍ମପୁର ଲୋକସଭା ଆସନରୁ ପ୍ରାର୍ଥୀ କରିଛି । ତାଙ୍କ ବିରୋଧରେ ବିଜେପି ପ୍ରଦୀପ ପାଣିଗ୍ରାହୀଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ଜଣେ ଯୁବ ଚେହେରା ରଶ୍ମୀରଞ୍ଜନ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଛି । ବିଜେଡି ଟିକେଟରୁ ୨୦୧୯ ମସିହାରେ ଗୋପାଳପୁର ବିଧାନସଭାରୁ ବିଧାୟକ ଭାବେ ବିଜୟୀ ହୋଇଥିବା ପ୍ରଦୀପ ପାଣିଗ୍ରାହୀ ବିଜେପିରେ ଯୋଗ ଦେବା ପରେ ବିଜେପି ତାଙ୍କୁ ଗୋପାଳପୁର ପରିବର୍ତ୍ତେ ବ୍ରହ୍ମପୁର ଲୋକସଭା ଆସନରୁ ପ୍ରାର୍ଥୀ କରିଛି । ସେହିଭଳି ଭୃଗୁ ବକ୍ସିପାତ୍ର ୨୦୧୯ ଲୋକସଭା ନିର୍ବାଚନ ବେଳେ ବିଜେପି ଟିକେଟରୁ ବ୍ରହ୍ମପୁରରୁ ପ୍ରାର୍ଥୀ ହୋଇଥିଲେ । ସେତେବେଳେ ସେ ପାଖାପାଖି ୩ ଲକ୍ଷ ଭୋଟ ହାତେଇଥିଲେ । ହେଲେ ବିଜେଡି ପ୍ରାର୍ଥୀ ପ୍ରମିଳା ବିଶୋଇ ବିଜୟୀ ହୋଇଥିଲେ । ଚଳିତ ନିର୍ବାଚନରେ ଭୃଗୁ ବିଜେଡିରୁ ପ୍ରାର୍ଥୀ ହୋଇଥିବାରୁ ତାଙ୍କ ବିଜୟ ଆଶା ଅଧିକ ରହିବ ।