ଗୁଣ୍ଡାଗିରି କରୁଥିବା ମାନସ ଦାସକୁ ମୁଣ୍ଡିଆ ମାରୁଛନ୍ତି ନେତା : ପ୍ରସନ୍ନ ପାଟ୍ଟଶାଣୀ କହୁଛନ୍ତି ପୃଥିବୀର ବିରଳ ଗୁରୁ

ମୁଣ୍ଡିଆ ମାରୁଛନ୍ତି ବିଧାୟକ ସୁଶାନ୍ତ ରାଉତ; ସେପଟେ ପ୍ରଶାନ୍ତ ନନ୍ଦ କହିଲେ, କିଛି ଲୋକ ଡ଼ାକିବାରୁ ସେ ଭେଟିବାକୁ ଯାଇଥିଲେ

530

କନକ ବ୍ୟୁରୋ : ଖୋର୍ଦ୍ଧା ବେଗୁନିଆରେ ଗୁଣ୍ଡାଗିରି କରି ଲୋକଙ୍କୁ ଭୟଭୀତ କରାଉଥିବା ମାନସ ଦାସ ସେହି ଅଂଚଳରେ କେତେ ପାୱାରଫୁଲ ତାହା ଆପଣ ଏହି ସବୁ ଦୃଶ୍ୟ ଦେଖିଲେ ଜାଣିପାରିବେ । ଶାସକ ଦଳର ସାଂସଦ, ବିଧାୟକ ବଡ ବଡ ନେତା ତାଙ୍କୁ ମୁଣ୍ଡିଆ ମାରନ୍ତି । ଆଉ ମାନସ ଦାସ ଏକ ଆଧ୍ୟାତ୍ମିକ ଗୁରୁର ମୁଖା ପିନ୍ଧି ଆତଙ୍କରାଜ ଚଳାନ୍ତି । ଆଉ ଯାହାର ଅର୍ଥ ବଳ ଓ ବାହୁବଳ ଥାଏ ତାଙ୍କୁ ନେତା ବି ମୁଣ୍ଡିଆ ମାରନ୍ତି । ବେଗୁନିଆ ଅଂଚଳରେ ଆତଙ୍କରାଜ ଚଳାଉଥିବା ଏହି ବ୍ୟକ୍ତି ମାନସ ଦାସର ମାନବବାଦ ସଂଗଠନ ଗୁଣ୍ଡଶଗିରି କାର୍ଯ୍ୟରେ ଲିପ୍ତ ଥିବା ବେଳେ ନେତା, ପୋଲିସ ଓ ଅଧିକାରୀ ତାଙ୍କର ବୋଲକରା ପରି କାମ କରନ୍ତି । ସେଥିପାଇଁ ମାନସ ବିରୋଧରେ ଅଭିଯୋଗ ହେଲେ ବି କେହି ପଦକ୍ଷେପ ନେବାକୁ ସାହାସ କରନ୍ତିନାହିଁ ।

ନିଜ ସଂଗଠନରେ ସାମିଲ ନହେବାରୁ ବାପ-ପୁଅଙ୍କୁ ଗଡେଇ ତଡେଇ ମାଡ ମାରିବାର ଏଡି ଭିଡିଓ ଭାଇରାଲ ହୋଇଥିଲା । ଅର୍ଦ୍ଧ ଉଲଗ୍ନ କରି ଗୋଟିଏ କୋଠରି ଭିତରେ ଗୋରୁ ଗାଇଙ୍କୁ ମାଡ ମାରିଲା ଭଳି ପିଟି ଚାଲିଥିଲେ । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓକୁ ଦେଖିଲେ ଏହି ନୃଶଂସମାନଙ୍କ ପ୍ରତି ଘୃଣା ସୃଷ୍ଟି ହେଉଛି । ବିଡମ୍ବନାର କଥା ମାଡ ମାରୁଥିବା ଏହି ବ୍ୟକ୍ତି ମାନେ କୁଆଡେ ମାନବବାଦୀ । ବେଗୁନିଆ କଡବ ଗାଁର ମାଗୁଣି ନାୟକ ଏବଂ ତାଙ୍କ ପୁଅଙ୍କୁ ଘରୁ ଡାକି ନେଇ କରଡଗାଡିଆର କୋଠଘରେ ନିର୍ଦ୍ଧୁମ ମାଡ ମାରିଛନ୍ତି ଏହି ଜହ୍ଲାଦମାନେ ।

ମାଗୁଣି ନାୟକଙ୍କ କହିବା ହେଲା ସଂଗଠନରେ ଯୋଗ ନଦେବାରୁ କଙ୍ଗାରୁ କୋର୍ଟରେ ତାଙ୍କୁ ଓ ପୁଅଙ୍କୁ ଦଣ୍ଡ ଦିଆଯାଇଥିଲା । କେବଳ ଏତିକି ନୁହେଁ ଗତ ୨ତାରିଖ ରାତିରେ ଅଭିମାନପୁର ଗାଁର ଜଣେ ବ୍ୟକ୍ତିଙ୍କୁ ହତ୍ୟା କରି ପୋଡି ଦେଇଥିବାର ସଙ୍ଗୀନ ଅଭିଯୋଗ ବି ରହିଛି ଏମାନଙ୍କ ବିରୋଧରେ । ସତ୍ୟବ୍ରତ ନାଏକ ନାମକ ଜଣେ ଆଦିବାସୀ ଯୁବକଙ୍କୁ କଙ୍ଗାରୁ କୋର୍ଟରେ ନିଷ୍ପତି ହେବାପରେ ପିଟିପିଟି ହତ୍ୟା କରିବା ସହ ପୋଡି ଦିଆଯାଇଥିଲା । ଏହି ଘଟଣାରେ ପୋଲିସ ୭ ଜଣଙ୍କୁ ଗିରଫ କରିଥିଲେ ମଧ୍ୟ ମାନସ ଦାସଙ୍କୁ ଗିରଫ କରିନଥିଲା । ନିର୍ଯାତନାର ଶିକାର ପରିବାର କହିଛନ୍ତି ଏହି ବର୍ବୋରଚିତ ଘଟଣାରେ ସଂପୃକ୍ତ ମାନବବାଦ ସଂଗଠନର ମୁଖ୍ୟ ଗୁରୁଜୀ ମାନସ ଦାସ ଓ ତାଙ୍କ ପୁଅ ମନୋରଞ୍ଜନ ଦାସ ମୁଖ୍ୟ କାର୍ପଟଦାର ବୋଲି ଅଭିଯୋଗ ହୋଇଛି ।

ପୂର୍ବତନ ସାଂସଦ ତଥା ବିଜେଡିର ଆଗଧାଡିର ନେତା ପ୍ରସନ୍ନ ପାଟ୍ଟଶାଣୀ ଏକ ସଭାରେ ମାନସ ଦାସକୁ ପୃଥୀବିର ଏକ ବିରଳ ଗୁରୁଜୀ ବୋଲି କହିଛନ୍ତି । ତାଙ୍କ ଭଳି ଭଲଲୋକ ଆଉ କେଉଁଠି ନଥିବେ ପ୍ରଶଂସାରେ ପୋତି ପକାଇଛନ୍ତି ପ୍ରସନ୍ନ ପାଟ୍ଟଶାଣୀ । କଳା ଚଷମା ପିନ୍ଧି ମଂଚ ଉପରେ ରାଜକୀୟ ଠାଣିରେ ମାନସ ଦାସ ବସିଥିବା ବେଳେ ଭାଷଣ ଦେଇ ତାକୁ ଖୁବ୍ ପ୍ରଶଂସା କରୁଥାନ୍ତି ପାଟ୍ଟଶାଣୀ । ତତ୍କାଳୀନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ମାନସ ଦାସଙ୍କ ଶିଷ୍ୟ ହୋଇଥିବାରୁ ସେ ଅତି ଭାଗ୍ୟବାନ ବୋଲି କହିଛନ୍ତି ପାଟ୍ଟଶାଣୀ ।

ଭୁବନେଶ୍ୱର ଉତରର ବିଧାୟକ ସୁଶାନ୍ତ ରାଉତ ମଧ୍ୟ ମାନସ ଦାସଙ୍କୁ ମୁଣ୍ଡିଆ ମାରୁଥିବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯେଉଁ ଲୋକ ଏତେ ବର୍ବୋରଚିତ ଭାବେ ଲୋକଙ୍କୁ ଆକ୍ରମଣ କରିପାରେ ଏବଂ ଯାହାର ଇସାରାରେ ହତ୍ୟାକାଣ୍ଡ ହୁଏ, ସେ ଲୋକକୁ ନେତାମାନେ ଏତେ ସମ୍ମାନ ଓ ମୁଣ୍ଡିଆ କାହିଁକି ମାରନ୍ତି, ତାହା ବୁଝି ହେଉନାହିଁ । ଏ ଦୃଶ୍ୟରେ କେବଳ ଏତିକି ଅନୁମାନ କରି ହେଉଛି ଯେ ଏକ ସଂଗଠନ କରି ଲୋକଙ୍କୁ ଭୟଭୀତ କରି ଏବ୍ୟକ୍ତି ସେହି ଅଂଚଳରେ ବାହୁବଳୀ ଭାବେ ଜଣାଶୁଣା ହୋଇଯାଇଛି । ଏବଂ ତାକୁ ଟକ୍କର ଦେବା ପାଇଁ ଲୋକ ଭୟ କରୁଛନ୍ତି ।

ସେହିପରି ମାନସ ଦାସକୁ ବିଜେଡି ସାଂସଦ ତଥା ଅଭିନେତା ପ୍ରଶାନ୍ତ ନନ୍ଦ ମୁଣ୍ଡିଆ ମାରୁଥିବାର ଦୃଶ୍ୟ ସାମ୍ନାକୁ ଆସିଥିଲା । ଏହି ଘଟଣା ପରେ ପ୍ରଶାନ୍ତ ନନ୍ଦ ଆଜି ପ୍ରତିକ୍ର୍ରିୟା ରଖି କହିଛନ୍ତି, ଏହି ଭିଡିଓ ୩ବର୍ଷ ତଳର ଏବଂ ସେ ତାଙ୍କୁ ଦୁଇ ଥର ଭେଟିଛନ୍ତି । କିଛି ଲୋକ ଆସି ତାଙ୍କୁ ଅନୁରୋଧ କରିବାରୁ ସେ ସାକ୍ଷାତ କରିବାକୁ ଯାଇଥିଲେ ବୋଲି କହିଛନ୍ତି । ମାନସ ଦାସ ଜଣେ ଆଧ୍ୟାତ୍ମିକବାଦୀ ଲୋକ ଭାବି ସେ ଯାଇଥିଲେ କିନ୍ତୁ ଭେଟ ହେବା ପରେ ପ୍ରଶାନ୍ତ ନନ୍ଦ ଅନୁଭବ କରିଥିଲେ ଯେ ମାନସ ଦାସ ଆଦୌ ଆଧ୍ୟାତ୍ମିକବାଦୀ ନୁହନ୍ତି, ଓ ତାଙ୍କୁ ଭଲ ଲାଗିଲା ନାହିଁ ବୋଲି ଆଜି ପ୍ରତିକ୍ରିୟା ଦେଇ କହିଛନ୍ତି ।