ବିଜେପି ଓ କଂଗ୍ରେସ ଟିମର ଘନ ଘନ ଗସ୍ତ ପରେ ମମିତା ପରିବାରକୁ ଭେଟିଲେ ବିଜେଡି ନେତା । ମୃତକଙ୍କ ପରିବାରର ଆପତି ଅଭିଯୋଗ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବା ପାଇଁ ଦେଲେ ପ୍ରତିଶ୍ରୁତି

174

କନକ ବ୍ୟୁରୋ : ବିଜେପି ଓ କଂଗ୍ରେସ ପ୍ରତିନିଧି ଦଳର ଘନଘନ ଗସ୍ତ ପରେ ପ୍ରଥମଥର ପାଇଁ ମମିତାଙ୍କ ପରିବାରକୁ ଭେଟିଛନ୍ତି ବିଜେଡି ନେତା । ଶନିବାର ସକାଳେ ସ୍ଥାନୀୟ ବିଜେଡି ନେତା ବଲାଙ୍ଗୀର ଝରନି ଗାଁରେ ପହଂଚିଥିଲେ । ବିଜେଡି ନେତା ଅଜୟ ଦାସ ତାଙ୍କ ସମର୍ଥକଙ୍କ ସହିତ ଝରନିରେ ପହଂଚି ପଡୋଶୀ ଘରେ ଥିବା ମମିତାଙ୍କ ଭାଇ ବଂଟି ମେହେରଙ୍କୁ ଭେଟି ଆଲୋଚନା କରିଛନ୍ତି ।
ମୃତ ମମିତାଙ୍କ ମାଆଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ ନଥିବାରୁ ତାଙ୍କୁ ଚିକିତ୍ସା ପାଇଁ ବିଶାଖାପାଟଣା ନିଆଯାଇଛି । ତେଣୁ ମମିତାଙ୍କ ବାପାଙ୍କ ସହ ଫୋନ୍ ଯୋଗେ କଥା ହୋଇଛନ୍ତି ବିଜେଡି ନେତା । ଏହାପରେ ଗସ୍ତ ନେଇ ନିଜ ହ୍ୱାଟ୍ସଆପ ଷ୍ଟାଟସରେ ଫଟୋ ପୋଷ୍ଟ କରିଥିଲେ ଅଜୟ ଦାସ । ମମିତାଙ୍କ ପରିବାରର ଆପତି ଅଭିଯୋଗକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ପହଂଚାଇବାକୁ ପ୍ରତିଶ୍ରୁତି ଦେଇଛନ୍ତି ସ୍ଥାନୀୟ ବିଜେଡି ନେତା । ତେବେ ବିଜେଡି ନେତା ଲୁଚାଛପାରେ ଯାଇ ମମିତାଙ୍କ ପରିବାରକୁ ଭେଟିଥିବା ଅଭିଯୋଗ ହୋଇଛି । ଯାହାକୁ ସେ ଖଣ୍ଡନ କରିବା ସହ ବିରୋଧୀ ଦଳ ରାଜନୈତିକ ତାମସା କରୁଥିବା ଅଭିଯୋଗ କରିଛନ୍ତି ।