କନକ ବ୍ୟୁରୋ: ପ୍ରେସମିଟ୍ କରି ବିଜେପି ଉପରେ ବର୍ଷିଲେ ବିଜେଡି ନେତା । ବୁଧବାରର ବିଜେଡି ସାଂସଦ ମାନସ ମଙ୍ଗରାଜ, ସସ୍ମିତ ପାତ୍ର, ସୁଲତା ଦେଓ ଏବଂ ଲେନିନ୍ ମହାନ୍ତି ସାମ୍ବାଦିକ ସମ୍ମିଳନୀ କରିବା ସହିତ ରାଜ୍ୟ ବିଜେପି ଉପରେ ବର୍ଷିଛନ୍ତି । ବିଜେଡି ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ କହିଛନ୍ତି, ବିଜେପି ନିରାଶ ହୋଇପଡ଼ିଲାଣି। କେନ୍ଦ୍ର ମନ୍ତ୍ରୀମାନେ ଆସି ପ୍ରଚାର କରିଥିଲେ ସୁଦ୍ଧା ଓଡ଼ିଶାବାସୀଙ୍କ ଆସ୍ଥାଭାଜନ ହୋଇପାରିଲେନି । ସେଥିପାଇଁ ନିରାଶ ଭାବ ବଢ଼ିଛି ବୋଲି ସେ କହିଛନ୍ତି ।

ଏଥସହ ଗତକାଲି ନିର୍ବାଚନ କମିଶନ ଏକ ପାଖିଆ ନିଷ୍ପତି ନେଇଛନ୍ତି। ନିର୍ବାଚନ କମିଶନଙ୍କ ଉପରେ ଆମର ଭରସା ତୁଟି ଯାଇଛି। ଆମେ ଅନେକ ଅଭିଯୋଗ ନିର୍ବାଚନ କମିଶନଙ୍କୁ ଦେଇଥିଲେ ସୁଦ୍ଧା କୌଣସି ପଦକ୍ଷେପ ନିଆଯାଇନାହିଁ। ଏହା ଦ୍ବାରା ନିର୍ବାଚନ କମିଶନଙ୍କ ମାନ ଆହୁରି ତଳକୁ ଯାଉଛି ବୋଲି କହିଛନ୍ତି ମାନସ ମଙ୍ଗରାଜ ।

ଅନ୍ୟପଟେ ବିଜେଡି ସାଂସଦ ସସ୍ମିତ ପାତ୍ର କହିଛନ୍ତି, ତୃତୀୟ ପର୍ଯ୍ୟାୟ ସୁଦ୍ଧା ଆମେ ସଂଖ୍ୟା ଗରିଷ୍ଠତା ଅର୍ଜନ କରିସାରିଛୁ। ୯ ଜୁନରେ ମୁଖ୍ୟମନ୍ତ୍ରୀ ଭାବେ ପୁଣିଥରେ ନବୀନ ଶପଥ ଗ୍ରହଣ କରିବେ। ଓଡ଼ିଶା ବିଜେପିର ସତ୍ ସାହସ ନାହିଁ ବିଜେଡି ସହ ଲଢ଼ିବାକୁ । ସେଥିପାଇଁ ଅଫିସରଙ୍କ ପଛରେ ପଡ଼ିଛି । ଆମେ ଆଇଏଫଏସ୍ ଅଧିକାରୀ ବିନୟ ପ୍ରଧାନଙ୍କ ନାଁରେ ଅଭିଯୋଗ କରିଥିଲୁ । ଯେ କି ସମ୍ବଲପୁରରେ ଧର୍ମେନ୍ଦ୍ର ପ୍ରଧାନ ପାଇଁ କାମ କରୁଥିଲେ, ହେଲେ କିଛି ଆକ୍ସନ ନିଆଗଲା ନାହିଁ । ଭାରତୀୟ ଜନତା ପାର୍ଟି ନିର୍ବାଚନ କମିଶନକୁ ବ୍ୟବହାର କରୁଛି ବୋଲି କହିଛନ୍ତି ସସ୍ମିତ ପାତ୍ର ।

ସେହିପରି ମୁଖପାତ୍ର ଲେନିନ୍ ମହାନ୍ତି କହିଛନ୍ତି, ବିଜେପିର ପୂର୍ବତନ ସଭାପତି ସମୀର ମହାନ୍ତି ଏବେ ଦାୟିତ୍ୱ ନେଇଛନ୍ତି, ଯେ କିଏ ଟେବୁଲ୍ ତଳେ ଗୋଡ ଉଠେଇଲା, କିଏ କେଉଁ ପ୍ୟାଣ୍ଟ୍ ସାର୍ଟ ପିନ୍ଧିଲେ ତାକୁ ଦେଖୁଛନ୍ତି । ହାରିବା ଭୟ ଘାରିଛି । ଧର୍ମେନ୍ଦ୍ର ହେଲେ ମୁଣ୍ଡ ବୁଲା ଶେଉଳ, ହାରିବା ଜାଣି ଯାହା ପାରୁଛନ୍ତି କହୁଛନ୍ତି । ତେବେ ମୁଖ୍ୟମନ୍ତ୍ରୀଙ୍କୁ ଟେକା ପକାଉଛନ୍ତି । ପାହାଡକୁ ଟେକା ପକେଇଲେ, ଏହା ପୁଣି ନିଜ ଉପରକୁ ପଡ଼ିବ ବୋଲି କହିଛନ୍ତି ବିଜେଡି ସାଂସଦ ସୁଲତା ଦେଓ ।