କନକ ବ୍ୟୁରୋ: ଆସନ୍ତାକାଲି ଭାରତ ବନ୍ଦକୁ ସମର୍ଥନ କରୁଥିବା କହିଛନ୍ତି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ପୂର୍ବରୁ ବନ୍ଦକୁ କଂଗ୍ରେସ ସମର୍ଥନ ଘୋଷଣା କରିସାରିଥିବା ବେଳେ ଆଜି ମନ୍ତ୍ରୀ ସମର୍ଥନ କରିବା ନେଇ କହିଛନ୍ତି । ଦରଦାମ ବୃଦ୍ଧି, ବେକାରୀ ରୋକିବାରେ କେନ୍ଦ୍ର ସରକାର ବିଫଳ । ଲୋକଙ୍କ ପାଖରେ କାମ ନାହିଁ । ସବକା ସାଥ ବିକାଶ କଥା କହୁଥିବା ଦଳ ଏବେ ସବକା ବିନାଶ କରୁଛି । ଆସନ୍ତାକାଲି ଯେଉଁ ଭାରତ ବନ୍ଦ ଡାକରା ଦିଆଯାଇଛି , ତାକୁ ସମର୍ଥନ କରୁଥିବା କହିଛନ୍ତି ମନ୍ତ୍ରୀ । ଦରଦାମ ବୃଦ୍ଧି, ବେକାରୀ , ନିଯୁକ୍ତି ସମେତ ୧୨ ଦଫା ଦାବି ନେଇ ବନ୍ଦ ଡାକରା ଦେଇଛି ଟ୍ରେଡ ୟୁନିୟନ ।
ସେପଟେ ବିଜେପି କହିଛି ଭାରତ ବନ୍ଦକୁ ସମର୍ଥନ କରି ବିଜେଡି ଐତିହାସିକ ଭୁଲ ନକରୁ । କଂଗ୍ରେସ ଓ ବାମପନ୍ଥୀ ଦଳ ଆନ୍ଦୋଳନ ନାଁରେ ହିଂସାକାଣ୍ଡ ଘଟାନ୍ତି । ସେମାନେ ନିଜର ଅସ୍ତିତ୍ୱ ବଂଚାଇବାକୁ ଉଦ୍ୟମ କରୁଛନ୍ତି । ବିଜେଡି ସମର୍ଥନ କରିବା ଡବଲ ଷ୍ଟାଣ୍ଡାର୍ଡ କଥା ହେବ ବୋଲି ବିଜେପି ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।

Advertisment

ଆସନ୍ତାକାଲି ୨୪ ଘଣ୍ଟିଆ ଭାରତ ବନ୍ଦକୁ ପୂର୍ଣ୍ଣ ସମର୍ଥନ ଦେବାକୁ ବିଜୁ ଜନତା ଦଳର ସମର୍ଥନ ଲୋଡ଼ିଥିଲେ କେନ୍ଦ୍ରୀୟ ଶ୍ରମିକ ସଂଗଠନ ମିଳିତ ମଞ୍ଚ। ବନ୍ଦକୁ ସମର୍ଥନ ଦେବା ପାଇଁ କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ ଗତ ୪ଦିନ ତଳୁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଗତକାଲି ଲୋକସେବା ଭବନରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ଗଠିତ ମନ୍ତ୍ରୀସ୍ତରୀୟ କମିଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ ମିଳିତ ମଞ୍ଚର ୬ ଜଣିଆ ପ୍ରତିନିଧିମଣ୍ଡଳୀଙ୍କ ସହ ଆଲୋଚନା କରିଥିଲେ। ଅନ୍ୟପଟେ ଦେଶବ୍ୟାପି ଧର୍ମଘଟକୁ କଂଗ୍ରେସ ପୂର୍ଣ୍ଣ ସମର୍ଥନ ଦେବ ବୋଲି ଘୋଷଣା କରିଥିଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।

ଆସନ୍ତାକାଲି ସକାଳ ୬ଟାରୁ ୯ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ଓଡ଼ିଶାରେ ସବୁ ଦୋକାନ ବଜାର, ଗାଡ଼ି ଚଳାଚଳ ବନ୍ଦ ରହିବ। ଗାଡ଼ି ଚଳାଚଳ ବନ୍ଦ ଯୋଗୁଁ ଛାତ୍ରଛାତ୍ରୀମାନଙ୍କୁ ସ୍କୁଲ, କଲେଜ ଯିବା ପାଇଁ ଅସୁବିଧା ହେବ। ଏଥିପାଇଁ ସେହିଦିନଟିକୁ ଛୁଟି ଘୋଷଣା କରିବାକୁ ରାଜ୍ୟ ସରକାରଙ୍କୁ କେନ୍ଦ୍ରୀୟ ଶ୍ରମିକ ସଂଗଠନମାନେ ଅନୁରୋଧ କରିଛନ୍ତି। ଏଥିପାଇଁ ଅର୍ଥ ମନ୍ତ୍ରୀ ଶ୍ରୀ ପୂଜାରୀଙ୍କ ସମେତ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଓ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସଦସ୍ୟ ଥିବା ମନ୍ତ୍ରୀସ୍ତରୀୟ କମିଟି ସହ ଆଲୋଚନା ହୋଇଥିଲା । ସରକାରଙ୍କ ସହ ଆଲୋଚନା ପରେ କେନ୍ଦ୍ରୀୟ ଶ୍ରମିକ ସଂଗଠନ ମିଳିତ ମଞ୍ଜ ପ୍ରତିନିଧି ମଣ୍ଡଳୀ କଂଗ୍ରେସ ଭବନ ଯାଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଭେଟି ସମର୍ଥନ ଲୋଡ଼ିଥିଲେ। ଶ୍ରମିକ ସଂଗଠନ ପକ୍ଷରୁ ଡାକରା ଦିଆଯାଇଥିବା ବନ୍ଦକୁ କଂଗ୍ରେସ ପୂର୍ଣ୍ଣ ସମର୍ଥନ ଦେବ ବୋଲି ପିସିସି ପକ୍ଷରୁ ପ୍ରେସ୍ ବିଜ୍ଞପ୍ତି ଜାରି କରାଯାଇଛି।