ଓଡ଼ିଶାର ସ୍ୱାର୍ଥ ସହ ସାଲିସ କରାଯିବନି, ପ୍ରସଙ୍ଗ ଭିତ୍ତିକ ବିରୋଧ କରିଛୁ ଆଗକୁ ମଧ୍ୟ କରିବୁ : ପ୍ରସନ୍ନ ଆଚାର୍ଯ୍ୟ

298

କନକ ବ୍ୟୁରୋ : ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀ ଯାଇଥିବା ବେଳେ ମୁହଁ ଖୋଲିଛି ବିଜେଡି । ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ମୁଖ୍ୟମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଯାଇ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଛନ୍ତି । କିନ୍ତୁ ଏହି ଭେଟଘାଟରେ ବିକଶିତ ଓଡ଼ିଶା ପାଇଁ କଣ ଆଲୋଚନା ହେଲା ତାହା ଜାଣିବାକୁ ଓଡ଼ିଶାବାସୀ ଚାହିଁ ବସିଛନ୍ତି । ରାଜ୍ୟରେ ଡବଲ ଇଞ୍ଜିନ ସରକାର ହେଉ ବୋଲି ବିଜେପି ଚାହୁଁଥିଲା । ଏବେ ରାଜ୍ୟରେ ଡବଲ ଇଞ୍ଜିନ ସରକାର ଚାଲିଛି । କୋଇଲା ରୟାଲଟି ବୃଦ୍ଧି କରିବାକୁ ଓଡ଼ିଶା ବାରମ୍ବାର ଦାବି କରି ଆସୁଥିଲା । କିନ୍ତୁ ୨୦୧୩ ପରଠାରୁ କୋଇଲା ରୟାଲିଟିରେ ବୃଦ୍ଧି ଘଟିନାହିଁ । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ବାରମ୍ବାର ଦାବି ଉପସ୍ଥାପନ କରିଥିଲେ ମଧ୍ୟ କେନ୍ଦ୍ର ଶୁଣିନଥିଲା । କୋଇଲା ରୟାଲିଟି ବୃଦ୍ଧି ହେଲେ ବିକଶିତ ଓଡ଼ିଶାର ସ୍ୱପ୍ନ ସାକାର ହେବ ବୋଲି ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ।

ସେହିଭଳି ଦୀର୍ଘ ବର୍ଷ ଧରି ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବି ହୋଇ ଆସୁଛି । ତେଣୁ ଓଡ଼ିଶା ସରକାର, କେନ୍ଦ୍ର ନେତୃତ୍ୱଙ୍କ ସହ ଏ ବାବଦରେ ଆଲୋଚନା କରିଥିବେ । କାରଣ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ବିକଶିତ ଓଡ଼ିଶାର ଗତିକୁ ଆହୁରି ତ୍ୱରାନିତ୍ୱ କରିବ । ଏହାଛଡା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ଦିଲ୍ଲୀରେ ଆମେ ପ୍ରସଙ୍ଗ ଭିତ୍ତିକ ସମର୍ଥନ ଓ ବିରୋଧ କରି ଆସିଛୁ । ଓଡ଼ିଶା ଓ ଜନସାଧାରଣଙ୍କ ସ୍ୱାର୍ଥ ବାଧାପ୍ରାପ୍ତ ହେଲେ ବିଜେଡି ବିରୋଧ କରିଛି । ଏବେ ନିଟ୍ ଭଳି ଉଦବେଗ ଜନିତ ପ୍ରସଙ୍ଗରେ ସଂସଦରେ ବିରୋଧ କରିଛି ବିଜେଡି । ଆଗାମୀ ଦିନରେ ଓଡ଼ିଶାର ସ୍ୱାର୍ଥରେ ବ୍ୟାଘାତ ସୃଷ୍ଟି ହେଲେ କିମ୍ବା ସମ୍ବିଧାନର ମର୍ଯ୍ୟାଦାର ଉଲ୍ଲଂଘନ କରାଗଲେ ବିଜେଡି ବିରୋଧ କରିବ । ସେହିଭଳି ବିଧାନସଭାରେ ମଧ୍ୟ ଓଡ଼ିଶାର ସ୍ୱାର୍ଥକୁ ନେଇ ସାଲିସ କରାଯିବ ନାହିଁ ।

ଅଣଓଡ଼ିଆ ମୁଖ୍ୟ ଶାସନ ସଚିବଙ୍କ ନିଯୁକ୍ତିକୁ ନେଇ ବିଜେଡି ଯେଉଁ ପ୍ରଶ୍ନ ଉଠାଇଛି ତାହାକୁ ନେଇ ପ୍ରସନ୍ନ କହିଛନ୍ତି, ଯେଉଁମାନେ ଓଡ଼ିଆ ଅସ୍ମିତା କଥା କହୁଥିଲେ, ସେମାନେ ଘରେ ପଶୁ ପଶୁ ମୁଣ୍ଡରେ ଚାଳ ବାଜିଲାଣି । ଅପେକ୍ଷା କରନ୍ତୁ ଆଗକୁ କଣ ହେଉଛି । କିଛି ଏଭଳି କହି ବିଜେଡି ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଥିବା ବେଳେ ବିଜେପିକୁ କଟାକ୍ଷର ତୀର ମାରିଛି ।