ମମିତା ମେହେର ନିଖୋଜ ଘଟଣା : ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକଙ୍କ ପ୍ରତିକ୍ରିୟା; ଯିଏ ଦୋଷୀ ଥିବ କାର୍ଯ୍ୟାନୁଷ୍ଠାନ ହେବ

296

କନକ ବ୍ୟୁରୋ : ମମିତା ମେହେର ନିଖୋଜ ପ୍ରସଙ୍ଗରେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି । ବିଜେଡ଼ି ନେତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି ମନ୍ତ୍ରୀଙ୍କୁ ବିରୋଧୀ ଟାର୍ଗେଟ କରୁଛନ୍ତି । ଶାସନ ବ୍ୟବସ୍ଥା ଉପରେ ଭରସା ରଖିବା ଦରକାର । ବିରୋଧୀ ରାଜନୀତି କରୁଛନ୍ତି ବୋଲି କହିଛନ୍ତି ପ୍ରମିଳା ମଲ୍ଲିକ । ସେହିପରି ଗୋବିନ୍ଦ ସାହୁ ଫେରାର ପ୍ରସଙ୍ଗରେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ପ୍ରତିକ୍ରିୟା ରଖିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ବିଧାୟକ ସନ୍ତୋଷ ସିଂହ ସାଲୁଜା‌ ସିଧାସଳଖ ଏହି ଘଟଣାରେ ମନ୍ତ୍ରୀଙ୍କ ସଂପୃକ୍ତି ଅଭିଯୋଗ ଆଣିଛନ୍ତି ।

ସେପଟେ, ବିଜେଡି ଉପସଭାପତି ଦେବୀ ମିଶ୍ରଙ୍କ ପ୍ରତିକ୍ରିୟା । ଏଥିପାଇଁ ଫ୍ୟାକଟ ଏଷ୍ଟାବିଲଶ ହେବା ଦରକାର । କେବଳ ଅଭିଯୋଗ ତ କଲେ ହେବନି । ଦେଶର ଗୋଟିଏ ଆଇନ ବ୍ୟବସ୍ଥା ରହିଛି । ପ୍ରତ୍ୟେକ ସମୟରେ ଆମ ମୁଖ୍ୟମନ୍ତ୍ରୀ କହିଛନ୍ତି ଆଇନ ତା ବାଟରେ ଯିବ । ତେଣୁ ଆଇନ କୁ କେହି ହସ୍ତକ୍ଷେପ କରୁ ନାହାନ୍ତି । ମନ୍ତ୍ରୀ ସମ୍ପୃକ୍ତି ନେଇ ମିଡ଼ିଆରେ ପ୍ରକାଶିତ ହେଉଛି କି ଅଭିଯୋଗ ହେଉଛି । ମାତ୍ର ମନ୍ତ୍ରୀ ନିଜେ ହିଁ କହିଛନ୍ତି ଆଇନ ତା ବାଟରେ ଯିବ । ଯିଏ ଦୋଷୀ ସିଏ ଦଣ୍ଡ ପାଇବ । ଠିକ ଭାବେ ତଦନ୍ତ ହୋଇ ଦୋଷୀକୁ ଦଣ୍ଡିତ କରାଯିବ ।

ସାଲୁଜା କହିଥିଲେ ଯେ ଗତ ୮ ତାରିଖରେ ମମିତା ବସ୍‌ରେ ତାଙ୍କ କାର୍ଯ୍ୟସ୍ଥଳୀକୁ ଯାଉଥିଲେ । ତେବେ ଚାନ୍ଦତାରା ଛକରେ କଳାହାଣ୍ଡି ଜିଲ୍ଲା ଗୋଲମୁଣ୍ଡା ବ୍ଲକ ସନସାଇନ ସ୍କୁଲର ମୁଖ୍ୟ ଗୋବିନ୍ଦ ସାହୁ ତାଙ୍କୁ ବସ୍‌ରୁ ଓହ୍ଲାଇ ନିଜ ବ୍ୟକ୍ତିଗତ ଗାଡ଼ିରେ ନେଇଥିବା ସିସିଟିଭି ଫୁଟେଜ୍ ରହିଛି । ସେହିଦିନଠାରୁ ମମିତାଙ୍କ ଖୋଜ ଖବର ମିଳୁନାହିଁ । ପରିବାର ଲୋକଙ୍କ ପକ୍ଷରୁ ୧୩ତାରିଖରେ ସିଂଧେକେଲା ଥାନାରେ ସ୍କୁଲର ମୁଖ୍ୟ ଗୋବିନ୍ଦ ସାହୁଙ୍କ ନାଁରେ ଅପହରଣ ମାମଲା ଦାୟର କରିଥିଲେ । ପୁଲିସ ଅଭି‌ଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତେ ଶିକ୍ଷୟତ୍ରୀ ମମିତାଙ୍କ ଘରକୁ ଯାଇ ଲାପଟପ, ପେନ ଡ୍ରାଇଭ୍ ଆଦି ନିଜ ସହିତ ନେଇ ଯାଇଥିଲା । ଗୋବିନ୍ଦ ସାହୁଙ୍କୁ ୪ଦିନ ଧରି ଥାନାରେ ଅଟକ ରଖିବା ପରେ ୧୭ତାରିଖରେ ଛାଡ଼ି ଦେଇଥିଲା ।

ଥାନାକୁ ଆଣିବାର ୨୪ଘଣ୍ଟା ଭିତରେ ଅଦାଲତଙ୍କ ନିକଟରେ ଉପସ୍ଥିତ କରିବା ପରିବର୍ତେ ଛାଡ଼ିଦେବା ପଛରେ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ସିଧାସଳଖ ସଂପୃକ୍ତି ରହିଛି । ମମିତାଙ୍କ କାକା ତାଙ୍କ ସ୍କୁଲ ମୁଖ୍ୟ ଗୋବିନ୍ଦ ସାହୁଙ୍କ ଭିତରେ ହୋଇଥିବା କଥାବାର୍ତାରୁ ମନ୍ତ୍ରୀଙ୍କ ସଂପୃକ୍ତି ବିଷୟ ଜଣାପଡ଼ୁଛି। ସନସାଇନ ସ୍କୁଲରେ ଅନେକ ଗୁପ୍ତ କୋଠରୀ ରହିଛି। ସେଠାରେ ଅନୈତିକ କାର୍ଯ୍ୟ ଚାଲୁଥିବା ମମିତାଙ୍କ ସାଙ୍ଗ ଓ ତାଙ୍କ ଭଣଜାଙ୍କ କଥାବାର୍ତାରୁ ସୂଚନା ମିଳୁଛି । ତେଣୁ ଏହାର ନିରପେକ୍ଷ ତଦନ୍ତ କରାଗଲେ ସଂପୂର୍ଣ୍ଣ ଘଟଣା ଲୋକ ଲୋଚନକୁ ଆସିପାରିବ । ନିରପେକ୍ଷ ତଦନ୍ତ ପାଇଁ ଗୃହ ରାଷ୍ଟ୍ର ମନ୍ତ୍ରୀ ତୁରନ୍ତ ଇସ୍ତଫା ଦେବା ଦରକାର । ଏଭଳି ଏକ ସ୍ପର୍ଶକାତର ଘଟଣାର ସିବିଆଇ କିମ୍ବା ବିଚାର ବିଭାଗୀୟ ତଦନ୍ତ କରି ଦୋଷୀଙ୍କୁ କଠୋର ଦଣ୍ଡ ବିଧାନ କରିବା ଲାଗି ଦାବି କରିଛନ୍ତି ଶ୍ରୀ ସାଲୁଜା । ଅନ୍ୟପଟେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି ନୈତିକତା ଦୃଷ୍ଟିରୁ ମନ୍ତ୍ରୀ ଇସ୍ତଫା ଦେବା ଦରକାର ।