କନକ ବ୍ୟୁରୋ: ଗୋଟିଏ ପଟେ ରତ୍ନଭଣ୍ଡାର ଖୋଲିବାକୁ ନେଇ ସବୁଠି ଉତ୍ସାହ ଲାଗିରହିଛି । ଆଉ ଏହାରି ଭିତରେ ବିଜେପି ସରକାରର ଏହି ପଦକ୍ଷେପକୁ ପ୍ରଂଶସା କରିଛନ୍ତି ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଅମର ଶତପଥୀ । କନକ ନ୍ୟୁଜକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି, ରତ୍ନଭଣ୍ଡାର ଖୋଲିବା ପାଇଁ ସାରା ବିଶ୍ୱର ଜଗନ୍ନାଥ ପ୍ରେମୀ ଚାହିଁ ରହିଥିଲେ । ରତ୍ନଭଣ୍ଡାର ଉପରେ ଯେଉଁ ପ୍ରହେଳିକା ଥିଲା, ତାହା ମଧ୍ୟ ଦୂର ହେବ । ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି କହିଛନ୍ତି ଅମର ଶତପଥୀ । ଖାଲି ସେତିକି ନୁହେଁ, ବିଜେପି ସରକାରକୁ ପ୍ରଂଶସା କରି ସେ କହିଛନ୍ତି, ବିଜେପିର ଏହା ନିର୍ବାଚନ ପ୍ରତିଶ୍ରୁତି ଥିଲା । ତାହା ସେମାନେ ପାଳନ କରିଛନ୍ତି । ତେବେ ଚାବି କେଉଁଠି ଅଛି ତାର ରିପୋର୍ଟ ସାର୍ବଜନୀନ ହେବା ଦରକାର ବୋଲି ସେ କହିଛନ୍ତି । ଏଥିସହ ଯିଏ ଦୋଷ କରିଥିବ ତା ଉପରେ କାର୍ଯ୍ୟାନୁଷ୍ଠାନ ହେବା ଉଚିତ୍ ବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତା ।
ସୂଚନାଯୋଗ୍ୟ ଯେ, ଆଜି ପୁରୀ ଶ୍ରୀମନ୍ଦିରରେ ଖୋଲୁଛି ରତ୍ନଭଣ୍ଡାର । ଏଥିପାଇଁ ସମୟ ମଧ୍ୟ ଧାର୍ଯ୍ୟ ହେଇସାରିଛି । ରତ୍ନଭଣ୍ଡାର ତଦାରଖ କମିଟିର ସଦସ୍ୟମାନେ ମନ୍ଦିର ଭିତରକୁ ଯାଇସାରିଛନ୍ତି । ରତ୍ନ ସବୁକୁ ସାଇତିବା ପାଇଁ ୬ଟି ସିନ୍ଦୁକକୁ ମଧ୍ୟ ମନ୍ଦିର ଭିତରକୁ ନିଆଯାଇଛି । ସେହିପରି ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି ।