‘କିଷାନ’ ସାଜିଲେ ମଙ୍ଗଳା କିଷାନ: ବିଲକୁ ଗଲେ ବିହନ ବୁଣିଲେ, ମଝି ବିଲରୁ ଘାସ ବାଛିଲେ…

580

କନକ ବ୍ୟୁରୋ: ବିଲକୁ ଗଲେ ବିଜେଡି ନେତା । ବିହନ ବୁଣିଲେ, ଘାସ ବାଛିଲେ । ନିଜ ଜମିରେ ଫସଲ ଫଳାଇବାକୁ ଧାନ ଧରି ବିଲରେ ପହଞ୍ଚିଛନ୍ତି ନେତା । କାନ୍ଧରେ ଗାମୁଛା ଆଉ ହାତରେ ଧାନ ଗଉଣୀ ଧରି କ୍ଷେତକୁ ଯାଇଛନ୍ତି ବିଜେଡିର ଟାଣୁଆ ନେତା ତଥା ସୁନ୍ଦରଗଡ ଜିଲ୍ଲାର ବିଜେଡି ସଭାପତି ମଙ୍ଗଳା କିଷାନ ।


କଥାରେ ଅଛି ଚାଷୀ ହୁଡିଲେ ବରଷେ, ନେତା ହୁଡିଲେ ପାଞ୍ଚ ବରଷ । ହେଲେ ନେତାମାନେ ଯେବେ ଚାଷୀ ସାଜନ୍ତି । ବିଲକୁ ହଳ, ଲଙ୍ଗଳ ଧରି ଯାଆନ୍ତି ସେତେବେଳେ ସେ ଢଗଢମାଳି ଫିକା ପଡିଯାଏ । ନେତା ହୋଇ ବି ମଙ୍ଗଳା କିଷାନ ବିଲରେ ଚାଷ କରୁଥିବା କଥା ଏବେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି ।

ତେବେ ଚାଷବାସର ସମୟ ହୋଇଥିବାରୁ ଆଉ ବର୍ଷା ଋତୁ ଚାଲିଥିବାରୁ ଏହି ସମୟରେ ହିଁ ଚାଷ ପାଇଁ ଉପଯୁକ୍ତ ସମୟ । ଆଉ ସେଇଥିପାଇଁ ମଙ୍ଗଳା କିଷାନ ମଧ୍ୟ ନିଜ ଜମିରେ ଫସଲ ଫଳାଇବାକୁ ବିଲରେ ପହଞ୍ଚିଛନ୍ତି । ହାତରେ ଧାନ ଗଉଣୀ ଧରି ଗଉଣୀ ଭିତରୁ ମୁଠା ମୁଠା ବିହନ ଆଣି ଜମିରେ ବୁଣିବାରେ ବ୍ୟସ୍ତ ରହିଛନ୍ତି । ଧାନ ବୁଣିବା ସହ ଜମିରୁ ଘାସ ମଧ୍ୟ ବାଛିଛନ୍ତି କିଷାନ ।


ବିଜେଡିର ଏତେ ବଡ ପଦବୀରେ ରହି ବି ନିଜ ଘର ଆଉ ଗାଁରେ ସେ ସାଧାରଣ ମଣିଷଟିଏ । ଭଳି ଚଳୁଛନ୍ତି । ନିଜର କୌଳିକ ବୃତ୍ତିକୁ ନଭୁଲି ଚାଷବାସରେ ନିଜକୁ ବ୍ୟସ୍ତ ରଖିଛନ୍ତି ପାଞ୍ଚ ପାଞ୍ଚ ଥରର ବିଧାୟକ, ରାଜ୍ୟ ସରକାରଙ୍କ କ୍ୟାବିନେଟ୍ ମନ୍ତ୍ରୀ ଏବଂ ଗୋଟିଏ ଥର ରାଜ୍ୟସଭା ସାଂସଦ ହୋଇଥିବା ମଙ୍ଗଳା କିଷାନ । ତେବେ ନିଜ ଜମିରେ ଚାଷ କରିବା ପାଇଁ କୁଣ୍ଠାବୋଧ କରୁନଥିବା କହିଛନ୍ତି ମଙ୍ଗଳା କିଷାନ ।


ଚଳିତ ବର୍ଷ ବର୍ଷା ଅଭାବରୁ ଚାଷ ପ୍ରଭାବିତ ହେବ ବୋଲି ଆଶଙ୍କା କରିଛନ୍ତି ମଙ୍ଗଳା କିଷାନ । ଏହାସହ ରାଜଗାଙ୍ଗପୁରରେ ହେବାକୁ ଥିବା ୪୭୦ କୋଟିର ମେଗା ଲିଫ୍ଟ ଇରିଗେସନ୍ ପ୍ରୋଜେକ୍ଟକୁ ବିରୋଧ କରୁଥିବା ବିରୋଧୀଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି ମଙ୍ଗଳା । ଓଡିଶା ରାଜନୀତିରେ ଏକ ଚର୍ଚ୍ଚିତ ଚେହେରା ମଙ୍ଗଳା କିଷାନ ଚଳିତ ନିର୍ବାଚନରେ ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳିରୁ ବିଧାୟକ ଭାବେ ଲଢିଥିଲେ । ହେଲେ ମାତ୍ର ୧୦୦୦ ଭୋଟରେ ପରାସ୍ତ ହୋଇଥିଲେ ମଙ୍ଗଳା । ଆଉ ପରାସ୍ତ ପରେ ସେ ଦଳର ସାଂଗଠନିକ ଦାୟିତ୍ୱ ତୁଲାଇବା ସହ ଫୁରସତ ପାଇଲେ ଚାଷ କରିବାକୁ ବିଲକୁ ଯାଉଥିବା କହିଛନ୍ତି ବିଜେଡିର ଏହି ବର୍ଷିୟାନ ନେତା ।