କନକ ବ୍ୟୁରୋ: ଏଏସଓ ବୈକୁଣ୍ଠନାଥ ପ୍ରଧାନଙ୍କୁ ମାଡ ମାରିବା ଘଟଣାକୁ ସରକାରକୁ ଘେରିଲା ବିଜେଡି । ମଙ୍ଗଳବାର ଦଳର ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ସାମ୍ବାଦିକ ସମ୍ମିଳନୀ କରିବା ସହିତ ରାଜ୍ୟ ସରକାରଙ୍କୁ ଘେରିଛନ୍ତି । ସିଧାସଳଖ ଓଡିଆ ଅସ୍ମିତା ପ୍ରସଙ୍ଗ ଉଠାଇବା ସହିତ ରାଜ୍ୟପାଳଙ୍କ ପୁଅକୁ ତୁରନ୍ତ ଗିରଫ କରିବାକୁ ସେ ଦାବି କରିଛନ୍ତି ।

Advertisment

ସାମ୍ବାଦିକ ସମ୍ମିଳନୀ କରି ଲେଖାଶ୍ରୀ କହିଛନ୍ତି, ପୁରୀ ରାଜଭବନରେ ଏଏସଓ ବୈକୁଣ୍ଠନାଥ ପ୍ରଧାନଙ୍କୁ ମାଡ ମାରିବା ଘଟଣାର ୧୦ ଦିନ ହେଲାଣି, ତଥାପି ରାଜ୍ୟ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ନେଲେନି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ, ଦୁଃଖଦାୟକ ଓ ହୃଦୟ ବିଦାରକ । ରାଜ୍ୟ ସରକାର ଓଡିଆ ଅସ୍ମିତା ମୁଣ୍ଡେଇବାର ନାଟକ କରୁଛନ୍ତି । ଯଦି ମୋହନ ସରକାରର ଆନ୍ତରିକତା ଥାନ୍ତା, ତେବେ ସେ କାର୍ଯ୍ୟାନୁଷ୍ଠାନ ନେଇଥାନ୍ତେ ।

ଏଥିସହ ସେ ଆହୁରି ମଧ୍ୟ କହିଛନ୍ତି, ଜଣେ ଅଣ ଓଡିଆ ଲୋକ ଓଡିଆଙ୍କୁ ନିସ୍ତୁକ ମାଡ ମାରୁଛନ୍ତି । ସର୍ବଭାରତୀୟ ସ୍ତରରେ ଓଡିଶା ନିନ୍ଦିତ ହେଉଛି ।  ଗଣମାଧ୍ୟମରେ ଏହି ଖବର ଶିରୋନାମା ପାଲଟିଛି, ହେଲେ ରାଜ୍ୟ ସରକାର କିନ୍ତୁ ଏ ସମ୍ପର୍କରେ ପୂରା ନିରବ ରହିଛନ୍ତି । ଆଇନ୍ ସମସ୍ତଙ୍କ ପାଇଁ ସମାନ, ହେଲେ ଗରିବ ଲୋକ ପାଇଁ ଗୋଟେ ଆଇନ୍ ଓ ପଦ ପଦବୀରେ ଥିବା ଲୋକ ପାଇଁ ଆଉ ଗୋଟେ ଆଇନ୍ ଆମେ ପ୍ରଥମ ଥର ଦେଖୁଛୁ । ଗର୍ଭଣ୍ଣର ପୁଅ ବୋଲି କଣ ସାତ ଖୁନ୍ ମାଫ୍ ବୋଲି କହିଛନ୍ତି ଲେଖାଶ୍ରୀ ସାମନ୍ତସିଂହାର ।

ଏଥିସହ ନବୀନ ସରକାରର ଉଦାହରଣ ଦେଇ ଲେଖାଶ୍ରୀ କହିଛନ୍ତି, ନବୀନ ସରକାର ଥିଲାବେଳେ ଯିଏ ଦୋଷୀ ହେଉଥିଲା ସାଙ୍ଗେ ସାଙ୍ଗେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା । ସରୋଜ ମେହେର, ପ୍ରଦୀପ ପାଣିଗ୍ରାହୀ, ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ନବୀନ ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ହେଲେ ଏଠି କିନ୍ତୁ ସରକାର ୧୦ ଦିନ ହେଲାଣି କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହାଁନ୍ତି ବୋଲି ଲେଖାଶ୍ରୀ କହିଥିଲେ ।

ସୂଚନାଯୋଗ୍ୟ ଯେ, ଗତ ୭ ତାରିଖ ଦିନ ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ ସମୟରେ ପୁରୀ ସ୍ଥିତ ରାଜଭବନରେ ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଗାଡି ପାଇଁ ଏଏସଓ ବୈକୁଣ୍ଠନାଥ ପ୍ରଧାନଙ୍କୁ ମାଡ ମାରିବା ଅଭିଯୋଗ ହେଇଥିଲା । ହେଲେ ଏ ଘଟଣାରେ ଏପର୍ଯ୍ୟନ୍ତ ରାଜ୍ୟ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାଁନ୍ତି । ଅନ୍ୟପଟେ ଏଏସଓ ବୈକୁଣ୍ଠନାଥ ପ୍ରଧାନଙ୍କୁ ଗୃହ ବିଭାଗକୁ ବଦଳି କରିଛନ୍ତି ରାଜ୍ୟ ସରକାର । ଯାହାକୁ କେନ୍ଦ୍ର କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ।