ରାଜଧାନୀ ମୁହାଁ ବିଜେଡି ନେତା: କ୍ଷମତା କେନ୍ଦ୍ରରେ କାଟୁଛନ୍ତି ଚକ୍କର, ନବୀନ ନିବାସରେ ଆଶାୟୀଙ୍କ ଭିଡ଼

97

କନକ ବ୍ୟୁରୋ: ନିର୍ବାଚନ ତାରିଖ ଘୋଷଣା ହୋଇନି, କିନ୍ତୁ ନବୀନ ନିବାସରେ କିଛିଦିନ ହେଲା ଦେଖିବାକୁ ମିଳୁଛି ଟିକେଟ୍ ଆଶାୟୀଙ୍କ ଭିଡ଼ । ନିର୍ବାଚନ ମଣ୍ଡଳୀରେ ନରହି, ନେତା ଏବେ ହୋଇଛନ୍ତି ରାଜଧାନୀ ମୁହାଁ । କାଳେ ଟିକେଟ୍ କଟିଯିବ, ତାଙ୍କ ନିର୍ବାଚନମଣ୍ଡଳୀରେ ଅନ୍ୟ କେହି ଏଂଟ୍ରି ମାରିବେ, ଏହି ଆଶଙ୍କା ନେତାଙ୍କ ମନରେ । ତେଣୁ ନବୀନ ନିବାସ ଓ ଶଙ୍ଖଭବନରେ ଭିନ୍ନ ଭିନ୍ନ ଆଳ ଦେଖାଇ ଚକ୍କର କାଟୁଛନ୍ତି ନେତା ।…

ଆଜି ନବୀନ ନିବାସରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ବିଜେଡିର ହେଭିୱେଟ୍ ନେତା ଅମର ଶତପଥୀ ତାଙ୍କ ସମର୍ଥକଙ୍କ ସହିତ ଆସିଥିଲେ । କହିଥିଲେ, ମୁଖ୍ୟମନ୍ତ୍ରୀ ଚଣ୍ଡିଖୋଲକୁ ଏନଏସି ଘୋଷଣା କରିଥିବାରୁ ସେ ଧନ୍ୟବାଦ ଦେବାକୁ ଆସିଛନ୍ତି ।

ଖୋର୍ଦ୍ଧା ଜିଲ୍ଲାର ବୋଲଗଡ଼ ବିଧାୟକ ରାଜେନ୍ଦ୍ର ସାହୁ ଏବଂ ଏହି ଆସନ ପାଇଁ ଆଶାୟୀ ଥିବା ପ୍ରଦୀପ ସାହୁ, ଉଭୟ ନିଜ ସମର୍ଥକଙ୍କ ସହ ପହଁଚିଥିଲେ ନବୀନ ନିବାସ । ପ୍ରଦୀପ ସାହୁ କହିଥିଲେ, ତୃଣମୂଳ ସ୍ତରରେ କାର୍ଯ୍ୟ କରୁଛନ୍ତି, ଯଦି ଟିକେଟ୍ ମିଳେ, ତେବେ ଲଢ଼ିବେ ନିର୍ବାଚନ ।

ସେହିପରି ଛତ୍ରପୁର ବିଧାୟକ ସୁବାସ ବେହେରା, ଆସ୍କା ବିଧାୟିକା ମଂଜୁଳା ସ୍ୱାଇଁ ଓ ତାଙ୍କ ପୁଅ ନଚିକେତା ସ୍ୱାଇଁ ପହଚିଁଥିଲେ ନବୀନ ନିବାସ । କାକଟପୁର ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହେବା ପାଇଁ ଆଶାୟୀ ଥିବା ନେଇ ପୂର୍ବତନ ବିଧାୟକ ସୁର ସେଠୀଙ୍କୁ ମଧ୍ୟ ସମର୍ଥକଙ୍କ ସହ ଦେଖିବାକୁ ମିଳିଥିଲା ।

ଗଂଜାମ, ଖୋର୍ଦ୍ଧା, ଯାଜପୁର, ପୁରୀ ଅଂଚଳର ନେତା ସେମାନଙ୍କ ସମର୍ଥକଙ୍କ ସହ ନବୀନ ନିବାସକୁ ଆସିଥିଲେ । ଏନଏସି ଘୋଷଣା ହେଉ କିମ୍ବା ଅନ୍ୟ ବିକାଶମୂଳକ କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଓ ଧନ୍ୟବାଦ ଜଣାଇବା ଆଳରେ ନିଜ ଟିକେଟକୁ ପକ୍କା କରିବା ପାଇଁ ପ୍ରୟାସ ଆରମ୍ଭ କରି ଦେଇଛନ୍ତି ।