ପଦ୍ମପୁର ଫଳାଫଳ ପୂର୍ବରୁ ନବୀନ ନିବାସରେ ମାନସମନ୍ଥନ । ୫୦ରୁ ଅଧିକ ନେତା ଦେଲେ ରିପୋର୍ଟ କାର୍ଡ, ଚାଲିଛି ବିଜେଡିର ରୁଦ୍ଧ ଦ୍ୱାର ବୈଠକ ।

311

କନକ ବ୍ୟୁରୋ : ପଦ୍ମପୁର ଉପ-ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ନବୀନ ନିବାସରେ ହଲଚଲ ଆରମ୍ଭ ହୋଇଛି । ୫୦ରୁ ଅଧିକ ନେତା ନବୀନ ନିବାସରେ ପହଞ୍ଚିଥିବା ସୂଚନା ମିଳିଛି । ଯେଉଁମାନେ ବିଜେଡି ସୁପ୍ରିମୋଙ୍କୁ ରିପୋର୍ଟ କାର୍ଡ ଦେଉଥିବା ନେଇ ସୂଚନା ମିଳିଛି । ଯେଉଁ ରିପୋର୍ଟ କାର୍ଡ ଆଧାରରେ ମାନସମନ୍ଥନ ଚାଲିଛି ।

ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବରଗଡ ପର୍ଯ୍ୟବେକ୍ଷକଙ୍କ ସହ ପଦ୍ମପୁର ଉପ-ନିର୍ବାଚନ ପାଇଁ ପ୍ରମୁଖ ଦାୟିତ୍ୱରେ ଥିବା ନେତା ନବୀନ ନିବାସରେ ଏକାଠି ହୋଇଛନ୍ତି । ନବୀନ ନିବାସରେ ଶାସକ ଦଳର ରୁଦ୍ଧଦ୍ୱାର ବୈଠକ ଆରମ୍ଭ ହୋଇଥିବା ବେଳେ ପଦ୍ମପୁର ଉପ-ନିର୍ବାଚନରେ ଗୁରୁଦାୟିତ୍ୱ ତୁଲାଉଥିବା ନେତା ବୈଠକରେ ଉପସ୍ଥିତ ରହିଛନ୍ତି ।

ପଦ୍ମପୁର ଉପ-ନିର୍ବାଚନର ଫଳାଫଳ ବିଜେଡି ପାଇଁ ବେଶ ଗୁରୁତ୍ୱ ବହନ କରୁଛି । କାରଣ ଧାମନଗର ଉପ-ନିର୍ବାଚନରେ ଦଳ ପରାଜିତ ହେବା ପରେ ବିରୋଧୀ ବିଜେପି କେବଳ ଯେ ଉତ୍ସାହିତ ହୋଇଥିଲା ତାହା ନୁହେଁ ବରଂ ଓଡ଼ିଶାବାସୀ ପରିବର୍ତ୍ତନ ଚାହୁଁଥିବା ନେଇ ଏହା ସଂକେତ ବୋଲି କହିଥିଲା ବିଜେପି । ଏହାସହ ପଦ୍ମପୁର ବିଜେଡିର ନିଜ ଆସନ ହୋଇଥିବାରୁ ଏହି ଆସନରେ ବିଜୟୀ ହୋଇ ସମ୍ମାନ ବଞ୍ଚାଇବାକୁ ଚାହିଁବ ବିଜେଡି । ଯେହେତୁ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ପଦ୍ମପୁରରେ ପ୍ରଚାର ମୈଦାନକୁ ଓହ୍ଲାଇଥିଲେ ତେଣୁ ଏହି ଆସନରେ ବିଜୟୀ ହେବା ଏବେ ଦଳ ପାଇଁ ବେଶ ଗୁରୁତ୍ୱ ବହନ କରୁଛି । କାରଣ ପଦ୍ମପୁରରେ ବିଜେଡି ହାରିଲେ କେବଳ ଦଳ ଗୋଟିଏ ଆସନ ହରାଇବନି ବରଂ ନବୀନଙ୍କର କ୍ରେଜ କମି ଆସୁଥିବା ନେଇ ସଂକେତ ମିଳିବ ।