ଭୋଟ୍ ପୂର୍ବରୁ ଅସନ୍ତୁଷ୍ଟ ପ୍ରାର୍ଥୀଙ୍କୁ ମନାଇବା ପାଇଁ ଚାଲିଛି କସରତ । ବିଜେଡି ସାଂସଦ ସୁବାସ ସିଂଙ୍କ ବାସଭବନରେ ଚାଲିଲା ରୁଦ୍ଧଦ୍ୱାର ବୈଠକ, ଦୂର ହେଉଛି ନେତାଙ୍କ ମନୋମାଳିନ୍ୟ ।

114

କନକ ବ୍ୟୁରୋ : ଅସନ୍ତୁଷ୍ଟଙ୍କୁ ମନାଇବାକୁ ବିଜେଡିର ଉଦ୍ୟମ । ବିଜେଡି ସାଂସଦ ସୁବାସ ସିଂଙ୍କ ସରକାରୀ ବାସଭବନରେ ରୁଦ୍ଧଦ୍ୱାର ବୈଠକ ବସିଛି । ଦଳୀୟ ଟିକେଟ ପାଇବାରୁ ବଞ୍ଚିତ ହୋଇ ସ୍ୱାଧୀନ ଭାବେ ନାମାଙ୍କନପତ୍ର ଦାଖଲ କରିଥିବା ପ୍ରାର୍ଥୀଙ୍କୁ ବୁଝାଯାଉଛି । ଆନନ୍ଦପୁର ଓ ଘଷିପୁରା ନିର୍ବାଚନ ମଣ୍ଡଳୀର ସମସ୍ତ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ସମେତ ଅସନ୍ତୁଷ୍ଟ ନେତାଙ୍କୁ ଡାକି ଦଳର ନେତୃତ୍ୱ ଆଲୋଚନା କରିଛନ୍ତି ।

ଦଳର ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ରୁଦ୍ଧ ଦ୍ୱାର ବୈଠକରେ ଘଷିପୁରା ବିଧାୟକ ବଦ୍ରି ପାତ୍ର, ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ, ଓ ଜିଲ୍ଲାର ପର୍ଯ୍ୟବେକ୍ଷକ ଅନୁୁଭବ ପଟ୍ଟନାୟକ ଉପସ୍ଥିତ ରହି ଅସନ୍ତୁଷ୍ଟଙ୍କୁ ମନାଇବାକୁ ଚେଷ୍ଟା କରିଛନ୍ତି । ବୈଠକ ପରେ ଆନନ୍ଦପୁର ନିର୍ବାଚନ ମଣ୍ଡଳୀର ୩୪ନମ୍ବର ଜୋନର ଜିଲ୍ଲା ପରିଷଦ ପ୍ରାର୍ଥୀ ସୋମନାଥ ଦାସ କହିଛନ୍ତି, ତାଙ୍କ ଭିତରେ ଅଳ୍ପ ଯାହା କିଛି ଅସନ୍ତୋଷ ଥିଲା ତାହା ସମାଧାନ ହୋଇଛି । ଏବେ ଆଉ କୌଣସି ଅସନ୍ତୋଷ ନାହିଁ ।

ଆଉ ବିଜେଡି ପକ୍ଷରୁ ଅସନ୍ତୁଷ୍ଟ ପ୍ରାର୍ଥୀଙ୍କୁ ମନାଇବା ପଛର କାରଣ ହେଉଛି ୨୦୧୭ ନିର୍ବାଚନର ଫଳାଫଳ । ୨୦୧୭ରେ ଦଳୀୟ ଅସନ୍ତୋଷ ହିଁ ବିଜେଡିକୁ ବ୍ୟାକଫୁଟକୁ ଠେଲି ଦେଇଥିଲା । ତେଣୁ ଏଥର ସେହି ଭୁଲର ପୁନରାବୃତ୍ତି କରିବାକୁ ଚାହୁଁନାହିଁ ଦଳ । ଯେଉଁଠି ଅସନ୍ତୋଷକୁ ପ୍ରଶମିତ କରିବାର ସୁଯୋଗ ସୃଷ୍ଟି ହେଉଛି ତାହାକୁ ହାତଛଡା କରୁନାହାନ୍ତି ଦଳୀୟ ନେତୃତ୍ୱ । ଆଲୋଚନା ଓ ପ୍ରତିଶ୍ରୁତି ମାଧ୍ୟମରେ ଦଳୀୟ ଅସନ୍ତୋଷକୁ ଦୂର କରିବାକୁ ଜୋରଦାର ଉଦ୍ୟମ କରାଯାଉଛି ।