ବିରୋଧୀଙ୍କ ଅଭିଯୋଗ, ବିଜେଡିର ଜବାବ : ଦେବୀ ମିଶ୍ର କହିଲେ, ‘ବିରୋଧୀଙ୍କ ଅଭିଯୋଗ ସମ୍ପୂର୍ଣ୍ଣ ଅବାନ୍ତର’

179

କନକ ବ୍ୟୁରୋ : ଗୋଟିଏ ଦିନ ଆଗରୁ ବିଧାନସଭା ସରିବାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେଡି ବିଧାୟକ ଦେବୀ ମିଶ୍ର । ଗୃହ ନଚାଲିବା ପାଇଁ ବିରୋଧୀଙ୍କୁ ଦାୟୀ କରିଛି ବିଜେଡି । ବିରୋଧୀ ଯେଉଁ ଅଭିଯୋଗ ଆଣିଛନ୍ତି ସମ୍ପୂର୍ଣ୍ଣ ଅବାନ୍ତର । ବାହାରେ କହୁଛନ୍ତି ହେଲେ ବିରୋଧୀ ଗୃହ ଭିତରେ ଆଲୋଚନା ପାଇଁ ଆଗ୍ରହ ଦେଖାଉ ନାହାନ୍ତି । ତେବେ ପରିଧି ନିୟମାବଳୀ ଅନୁଯାୟୀ ନିଷ୍ପତ୍ତି ନେଇ ଗୃହକୁ ଅନିଶ୍ଚିତ କାଳ ପର୍ଯ୍ୟନ୍ତ ମୁଲତବୀ କରାଯାଇଥିବା କହିଛନ୍ତି ଦେବୀ ମିଶ୍ର । ବିଧାନସଭା ସଠିକ ଭାବେ ନଚାଲିବା ପାଇଁ ବିରୋଧୀ ଦାୟୀ ।

ସେପଟେ, ଗୋଟିଏ ଦିନ ଆଗରୁ ବିଧାନସଭା ସରିବାକୁ ନେଇ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିରୋଧୀ । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି, ୮ ଦିନର ବିଧାନସଭାକୁ ୭ ଦିନରେ ସାରିଦିଆଗଲା । ୭ ଦିନରେ ୭ ମିନିଟ୍ ବି ଗୃହ ଚାଲିପାରିଲା ନାହିଁ । ଗୃହରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବାର ଥିଲା । ହେଲେ ପ୍ରସଙ୍ଗ ଉଠାଇବାକୁ ସୁଯୋଗ ଦିଆଗଲା ନାହିଁ । ଏହି ମୌସୁମୀ ଅଧିବେଶନରେ ମୋଟ୍ ୭ଟି କାର୍ଯ୍ୟ ଦିବସ ରହିଥିଲା । ୭୭୦ଟି ତାରକା ଓ ୧୪ ଶହ ୩ଟି ଅଣତାରକା ପ୍ରଶ୍ନର ଉତର ଗୃହରେ ଉପସ୍ଥାପିତ ହୋଇଥିଲା । ଗୃହରେ ବିଲ୍ ଯେଉଁପରି ଭାବେ ପାରିତ କରାଗଲା ତାହା ଠିକ୍ ନୁହେଁ ବୋଲି ବିରୋଧୀ ଅଭିଯୋଗ କରିଛନ୍ତି । ବିରୋଧୀ ଦଳ ଆଲୋଚନାରେ ଭାଗ ନେଇନାହାନ୍ତି । ବିଲକୁ ତରବରିଆ ଭାବେ ପାରିତ ନକରି ଏଥିରେ ଆଲୋଚନା ହେବାର ଆବଶ୍ୟକତା ଥିବା ବୋଲି କହିଛନ୍ତି ବିରୋଧୀ ଦଳ ନେତା ।

ସେହିପରି ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ୮ଦିନିଆ ବିଧାନସଭା ଅଧିବେଶନରେ ହଜାର ହଜାର ଲୋକ ରାଜରାସ୍ତାରେ ଥିଲେ । ବିରୋଧୀ ଦଳ ତାଙ୍କ ସମସ୍ୟା ଗୃହରେ ଉଠାଇ ସରକାରଙ୍କୁ ଦାବି ପୂରଣ ପାଇଁ ବାଧ୍ୟ କରିବେ ବୋଲି ଆଶା ଥିଲା କିନ୍ତୁ ତାହା ହେଲା ନାହିଁ । ବିଜେପି ଓ ବିଜେଡି ମିଶି ଗୃହକୁ ଚଳାଇ ଦେଲେ ନାହିଁ ବୋଲି କହିଛନ୍ତି ନରସିଂହ ମିଶ୍ର । ଗୃହ ଚଳାଇବା ଇଚ୍ଛା ନାହିଁ ତେଣୁ ଗୃହକୁ ବନ୍ଦ କରିଦେଲେ । ଏବଂ ଟଙ୍କା ଖର୍ଚ୍ଚ କରିପାରୁନାହାନ୍ତି ଅତିରିକ୍ତ ବଜେଟ କାହିଁକି ଆଣୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ।