ବରିଷ୍ଠ ବିଧାୟକଙ୍କ ବିରୋଧୀ ଭୂମିକା । ଚାରା, ଓମଫେଡ ପରେ ସମବାୟ ବ୍ୟାଙ୍କ ଋଣ ପ୍ରଦାନରେ ଦୁର୍ନୀତି ଅଭିଯୋଗ ଆଣିଲେ ଦାମୋଦର ରାଉତ

52

କନକ ବ୍ୟୁରୋ: ବିଜେଡିରେ ଅଛନ୍ତି, ହେଲେ ବିରୋଧୀ ଦଳର ଭୂମିକା ତୁଲାଉଛନ୍ତି ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ । ଗୋଟିଏ ପରେ ଗୋଟିଏ ଦୁର୍ନୀତି ଅଭିଯୋଗ ଆଣି ସରକାରକୁ କାଠଗଡାରେ ଠିଆ କରିଛନ୍ତି ଦାମ ବାବୁ । ପ୍ରଥମେ ଚାରା, ଏହାପରେ ଓମଫେଡ ଓ ଏବେ ସମବାୟ ଦୁର୍ନୀତି ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଛନ୍ତି । ତେବେ ମନ୍ତ୍ରୀ ସୂର୍ଯ୍ୟ ପାତ୍ର କହିଛନ୍ତି, ଯଦି ଦାମବାବୁଙ୍କ ସମୟରେ ଦୁର୍ନୀତି ହୋଇଥିଲା, ସେତେବେଳେ ସେ କାହିଁକି ଚୁପ୍ ଥିଲେ ।

 

ପ୍ରଥମେ ଚାରା, ଏହାପରେ ଓମଫେଡ ଓ ଏବେ ସମବାୟ ଦୁର୍ନୀତି ପ୍ରସଙ୍ଗ ଉଠାଇ ସରକାରଙ୍କୁ ଅଡୁଆରେ ପକାଇଛନ୍ତି ବରିଷ୍ଠ ବିଜେଡି ବିଧାୟକ ଦାମୋଦର ରାଉତ । ଦାମ କହିଛନ୍ତି

– ସମବାୟ ବ୍ୟାଙ୍କ ଋଣରେ ୭ ଶହରୁ ୮ ଶହ କୋଟି ଟଙ୍କାର ଦୁର୍ନୀତି ହୋଇଛି

– ୬୦ ଭାଗ ଋଣ ଅଣଚାଷୀଙ୍କୁ ଦିଆଯାଇଛି, ୪୦ ଭାଗ କାଗଜ କଲମରେ ରହିଛି

– ଏପରିକି ଦୁର୍ନୀତି ନେଇ ଅଭିଯୋଗ ପରେ ବି କାର୍ଯ୍ୟାନୁଷ୍ଠାନ ହୋଇନାହିଁ

– ବରଂ ଅଭିଯୋଗ ଥିବା ଅଧିକାରୀଙ୍କ ଦୁଇଥର କାର୍ଯ୍ୟକାଳ ବୃଦ୍ଧି କରାଯାଇଛି

– ସେହିପରି ସମବାୟ ସମିତି କମ୍ପ୍ୟୁଟର କିଣାରେ ୩୭ କୋଟି ଦୁର୍ନୀତି ହୋଇଛି

ପ୍ରଥମେ ସରକାରଙ୍କ ବିରୋଧରେ ୭୦ରୁ ୧୦୦ କୋଟି ଟଙ୍କାର ଚାରା ଦୁର୍ନୀତି ଅଭିଯୋଗ ଆଣିଲେ ଦାମୋଦର ରାଉତ । ପ୍ରଦୀମ ମହାରଥୀ କୃଷିମନ୍ତ୍ରୀ ଥିବା ସମୟରେ ଚାରା କିଣାକୁ ନେଇ ଘୋଟାଲା ହୋଇଥିବା କହିଲେ । ଆଉ ତାଙ୍କ ସମୟରେ ଏତେବଡ ଦୁର୍ନୀତିକୁ ସେ ଧରିଥିଲେ । ହେଲେ ଦୁର୍ନୀତିଖୋରଙ୍କୁ ସୁରକ୍ଷା ଦେବା ପାଇଁ ତାଙ୍କୁ ମନ୍ତ୍ରୀ ପଦରୁ ହଟାଇ ଦିଆଗଲା ବୋଲି ସାଂଘାତିକ ଅଭିଯୋଗ ଆଣିଥିଲେ ଦାମ ବାବୁ ।

ଚାରା ଓ ସମବାୟ ଦୁର୍ନୀତି ବାଦ ଓମଫେଡ ଜରି କିଣାରେ ବି ଦୁର୍ନୀତି ହୋଇଥିବା କହିଛନ୍ତି ଦାମ ରାଉତ । ଟେଣ୍ଡର ମୂଲ୍ୟଠାରୁ ଅଧିକ ଟଙ୍କାରେ ଓମଫେଡ ଜରି କିଣିବା । ଏପରିକି ରିଲିଜ ଅର୍ଡର ପରେ ମୂଲ୍ୟ ବଦଳାଇ ଦେଇ ପ୍ରାୟ ୩୦ କୋଟି ଟଙ୍କା ବାଟମାରଣା କରାଯାଇଥିବା ସେ ଅଭିଯୋଗ ଆଣିଛନ୍ତି ।