କନକ ବ୍ୟୁରୋ: ସବୁ ନେତାଙ୍କ ପଛରେ କାର୍ପଟଦାର ଥାଆନ୍ତି, କିନ୍ତୁ ସାମ୍ନାକୁ ଆସନ୍ତି ନାହିଁ। ପଛରେ ରହି ବ୍ୟବସାୟ କରନ୍ତି, କଳା ସାମ୍ରାଜ୍ୟ ବିସ୍ତାର କରନ୍ତି, ନେତାଙ୍କ ଆର୍ଥିକ କାରବାରକୁ ସମ୍ଭାଳନ୍ତି। ଆଉ ସରକାର ବଦଳିବା ପରେ ସେହି ସବୁ କାର୍ପଟଦାରଙ୍କ ଗୁମର ଖୋଲିବାରେ ଲାଗିଛି।

Advertisment
  • ଖୋଲୁଛି କାର୍ପଟଦାରଙ୍କ ଗୁମର
  • ବେଆଇନ ସମ୍ପତ୍ତି ଠୁଳ କରିଛନ୍ତି ବବିଙ୍କ ଘନିଷ୍ଠ!

ବବି ଦାସଙ୍କ ଘନିଷ୍ଠ ସହଯୋଗୀ କୁହାଯାଉଥିବା କଟକ ମାହାଙ୍ଗା ଥାନା ସାଲେପରୁର ବିଜେଡି ନେତା ପ୍ରକାଶ ମହାନ୍ତିଙ୍କ ନାଁରେ ବେଆଇନ ସମ୍ପତ୍ତି ଠୁଳ କରିଥିବା ଭଳି ସଙ୍ଗୀନ ଅଭିଯୋଗ ଆସିଛି । ପ୍ରକାଶଙ୍କ ବିରୋଧରେ ଅଭିଯୋଗ ଆଣି  କଟକ ଭିଜିଲାନ୍ସ ନିର୍ଦ୍ଦେଶକଙ୍କୁ ଦାବିପତ୍ର ଦେଇଛନ୍ତି ସାମାଜିକ କର୍ମୀ ସୁବ୍ରତ ଦାସ ।

ପ୍ରକାଶଙ୍କ ବିରୋଧରେ ଅଭିଯୋଗ  

  • ସରକାରୀ ଜାଗା ମାଡି ବସିଛନ୍ତି 
  • ଖଣି ମାଫିଆ, ମଦ ବ୍ୟବସାୟୀ, ପରିବହନ କମ୍ପାନୀ ଓ ବାଲିଘାଟରୁ ବଟି ଆଦାୟ କରୁଛନ୍ତି
  • ସରକାରୀ ସମ୍ପତ୍ତି ବି ଲୁଟ୍ କରିଛନ୍ତି 
  • ଏପରିକି ବେଆଇନ ଟଙ୍କାରେ ଅନେକ ଜାଗାରେ ଆଲିସାନ ଫ୍ଲାଟ କିଣିବା ସହ ୭ଟି ବିଳାସପୂର୍ଣ୍ଣ ଗାଡି ବ୍ୟବହାର କରୁଛନ୍ତି

ଧର୍ମଶାଳାରେ ବି ବିଜେଡି ନେତା ତଥା ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ ଅଡୁଆରେ ପଡିଛନ୍ତି । ଏହି ଅଞ୍ଚଳର ବାଜବାଟି ଅଞ୍ଚଳରେ  କେତେକ କ୍ରସର ଉପରେ ଖଣି ବିଭାଗ ଚଢାଉ କରିଛି । କୁହାଯାଉଛି କ୍ରସର ଚଳାଉଥିବା କିଛି ମାଲିକ ହେଉଛନ୍ତି ପ୍ରଣବ ବଳବନ୍ତରାୟଙ୍କ ନିକଟତମ ସହଯୋଗୀ । ଚଢାଉ ବେଳେ ଖଣି ବିଭାଗ କ୍ରସର ଗୁଡିକରେ କେତେ କଳାପଥର ଅଛି, ସେଗୁଡିକ ଲିଜ ଖାଦାନରୁ ଆସିଛି କି ନାହିଁ , ଆବଶ୍ୟକୀୟ କାଗଜପତ୍ର ଅଛି କି ନାହିଁ ତାର ଯାଞ୍ଚ କରିଛି । ଖାଦାନ ଲିଜ ନେଇଥିବା ମାଲିକ ଆର-ଫର୍ମର ଦୁରୁପଯୋଗ କରି କୋଟି କୋଟି ଟଙ୍କାର ରାଜସ୍ୱ ହଡପ କରିଥିବା ଅଭିଯୋଗ ହୋଇଛି ।

ନୂଆ ସରକାର ଆସିବା ପରେ ଧିରେ ଧିରେ ପ୍ରଭାବଶାଳୀ ବିଜେଡି ନେତାଙ୍କ ଗୁମର ଖୋଲୁଛି । ଆଗକୁ କାହା ପାଳି ତା ଉପରେ ସମସ୍ତଙ୍କ ନଜର ରହିଛି ।