କନକ ବ୍ୟୁରୋ : ଚାଷୀମାନଙ୍କୁ ବିଧା, ଗୋଇଠା ମାରିବା ସହ ଆକ୍ରମଣ କରୁଥିବା, ି ଭିଡିଓ ଏବେ ଭାଇରାଲ ହେଉଛି । ଆକ୍ରମଣ କରୁଥିବା ଯୁବକ ଜଣଙ୍କ ହେଉଛନ୍ତି ବିଂଝାରପୁର ନିର୍ବାଚନମଣ୍ଡଳୀର ଯୁବ ବିଜେଡି ସଭାପତି ପ୍ରଭାତ ଚନ୍ଦ୍ର ଦାସ । ଚାଷୀଙ୍କ ସହ ଯୁକ୍ତିତର୍କ ପରେ, ରାଗ ତାଙ୍କର ମୁଣ୍ଡକୁ ଉଠିଯାଇଛି । ଚାଷୀଙ୍କୁ ଗୋଇଠା ମାରିବା ସହ ଗୋଡାଇ ଗୋଡାଇ ପିଟିଛନ୍ତି । ତାଙ୍କର ଏହି ରୁଦ୍ର ରୂପ ଦେଖି ତାଙ୍କୁ ଧକା ମାରି ତଳେ ପକାଇ ଦେଇଛନ୍ତି ଆଉ କିଛି ଯୁବକ ।

Advertisment

ଆକ୍ରମଣର ଶିକାର ହୋଇଥିବା ଚାଷୀଙ୍କ ଅଭିଯୋଗ ଅନୁସାରେ ବିଭିନ୍ନ ଦାବି ନେଇ ସେମାନେ ଚଷାଖଣ୍ଡ ସମବାୟ ସମିତି ସମ୍ପାଦକଙ୍କୁ ଭେଟିବାକୁ ଯାଇଥିଲେ । ସମ୍ପାଦକ ନଥିବାରୁ କାର୍ଯ୍ୟାଳୟ ସମ୍ମୁଖରେ ବସି ରହିଥିଲେ । ହେଲେ କିଛି ସମୟ ପରେ ସ୍ଥାନୀୟ ବିଜେଡି ନେତା ଓ କର୍ମୀମାନେ ଆସି କାହିଁକି ବସିଛ ବୋଲି ପଚାରିବା ସହ ଆକ୍ରମଣ କରିଥିଲେ । ଆକ୍ରମଣରେ ପାଲଟପୁର ପଂଚାୟତର ପୂର୍ବତନ ସମିତି ସଭ୍ୟ ବିମଳ ମଲିକ ଆହତ ହୋଇଛନ୍ତି । ତେବେ ପ୍ରଭାତଙ୍କ ମୁଣ୍ଡ ଉପରେ ବଡ ନେତାଙ୍କ ହାତ ଥିବାରୁ ସେ କାହାକୁ ଡରୁ ନଥିବା ଅଭିଯୋଗ କରିଛନ୍ତି ଆହତ ଯୁବକ ।

ଚାଷୀଙ୍କୁ ସମବାୟ ସମିତି ସମ୍ପାଦକ ରୁଣ ପ୍ରଦାନ ନକରାଇଦେବା ।, ଚାଷୀମାନଙ୍କୁ ସେମାନଙ୍କ ଚେକ୍, ସଭ୍ୟ ବହି, ବ୍ୟାଙ୍କ ବହି ନଦେବା ଓ ଚାଷୀଙ୍କ ଅଜାଣତରେ ତାଙ୍କ ଖାତାରୁ ଟଙ୍କା ଉଠାଣ କରାଯାଇଥିବାର ସତ୍ୟତା ଜାଣିବା ପାଇଁ ପାଲଟପୁର ପଂଚାୟତର ନୀଳକଣ୍ଠପୁର ଓ ମୂରାରୀପୁରର ଚାଷୀମାନେ ସମବାୟ ସମିତିକୁ ଯାଇଥିଲେ । ହେଲେ, ସମବାୟ ସମ୍ପାଦକ ଆସିନଥିଲେ । ବରଂ ବିଜେଡି ନେତାମାନେ ସମବାୟ ସମିତିକୁ ଆସି ଚାଷୀଙ୍କୁ ଆକ୍ରମଣ କରିଥିଲେ । ଏହାକୁ ନେଇ ସ୍ଥାନୀୟ ଅଂଚଳରେ ଉତେଜନା ଲାଗି ରହିଛି । ତେବେ ଖବର ପାଇ ଘଟଣାସ୍ଥଳରେ ପହଁଚିଛି ଦଶରଥପୁର ପୋଲିସ ।