କନକ ବ୍ୟୁରୋ : କଲେଜ କ୍ୟାମ୍ପସରେ ଗଣ୍ଡଗୋଳ ହେଉଥିବା କଥା କହି ବିଜେଡି ଛାତ୍ର ନିର୍ବାଚନ ବନ୍ଦ କରିଦେଇଛି । କିନ୍ତୁ ବାଲେଶ୍ୱରରେ କିପରି ବିଜେଡି ନେତା ଓ କର୍ମୀ କଲେଜ ଭିତରେ ପଶି ଅଧ୍ୟାପକଙ୍କୁ ଆକ୍ରମଣ କରୁଛନ୍ତି । ଯାହାର ଭିଡିଓ ଏବେ ଶୋଶିଆଲ ମିଡିଆରେ ଭାଇରାଲ ହେଉଛି । ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ଅମର୍ଦାରୋଡ ସିଦେ୍ଧଶ୍ୱର ମହାବିଦ୍ୟାଳୟରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । କଲେଜରେ ଗଣ୍ଡଗୋଳ ହେଉଥିବାରୁ ଶୈ÷କ୍ଷିକ ବାତାବରଣ ଓ ପୂର୍ବ ଗୌରବ ନଷ୍ଠ ହେଉଛି ବୋଲି ଗଣମାଧ୍ୟମକୁ କହିଥିଲେ ଇଂରାଜୀ ଅଧ୍ୟାପକ ସିଦ୍ଧାର୍ଥ ବରାଳ । ଏଥିସହ ପୂର୍ବ ଅଧ୍ୟକ୍ଷଙ୍କ ସମୟରେ ବେଆଇନ ନିଯୁକ୍ତି ଉପରେ ପ୍ରଶ୍ନ ଉଠାଇଥିଲେ । ଯାହାକୁ ନେଇ ଅଧ୍ୟାପକଙ୍କୁ ବିଜେଡି କର୍ମୀ ଓ ନେତା ମରଣାନ୍ତକ କରିଛନ୍ତି । ଗୁୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇଛି । ଏନେଇ ଅଭିଯୋଗ କରିବା ସହ କ୍ୟାମ୍ପସରେ ଗୁଣ୍ଡାରାଜକୁ ନିନ୍ଦା କରିଛନ୍ତି ଛାତ୍ରଛାତ୍ରୀ ।

Advertisment

୧୦ ରୁ ୧୫ ଜଣ ବିଜେଡି କର୍ମୀ କଲେଜ କମନ ରୁମରେ ବସିଥିବା ଅଧ୍ୟାପକ ସିଦ୍ଧାର୍ଥ ବରାଳଙ୍କୁ ମାଡ ମାରିଥିଲେ । ଯାହାର ଭିଡିଓ କଲେଜ ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଆକ୍ରମଣକାରୀଙ୍କ ମଧ୍ୟରେ ନଟାକାଟା ପଂଚାୟତର ବିଜେଡି ସଭାପତି ପ୍ରଦୀପ ବେହେରା, ୧୪ ନଂ ଜୋନର ପୂର୍ବତନ ଜିଲ୍ଲା ପରିଷଦ ସମ୍ଭୁନାଥ ସେଠୀ, ବାଲେଶ୍ୱର ବିଜେଡି ଯୁବ ସାଧାରଣ ସମ୍ପାଦକ ସମୀର ଚାନ୍ଦଙ୍କ ହାତ ଥିବା ଅଭିଯୋଗ ହୋଇଛି । ଆକ୍ରମଣ ପଛରେ ମନ୍ତ୍ରୀ ଅଶ୍ୱୀନୀ ପାତ୍ରଙ୍କ ସମ୍ପୃକ୍ତି ଥିବାରୁ ସେ ଭୁଲ ମାଗନ୍ତୁ ବୋଲି ସାମ୍ବାଦିକ ସମ୍ମିଳନୀ କରି ଦାବି କରିଛନ୍ତି ରାଜ୍ୟ କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସ । ପୋଲିସ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ସମସ୍ତେ ଖୁଲମଖୁଲା ବାହାରେ ବୁଲୁଛନ୍ତି । କାହିଁକି ପୋଲିସ ଅନ୍ୟ ମାନଙ୍କୁ ଗିରଫ କରୁନାହିଁ ବୋଲି ପ୍ରଶ୍ନ କରିଛନ୍ତି ସୁଦର୍ଶନ ।

ଯଦି ତୁରନ୍ତ ସମସ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରା ନଯାଏ ତାହାହେଲେ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛି ଛାତ୍ର କଂଗ୍ରେସ ।