ରୋଷେଇ ଗ୍ୟାସ ଦର ବୃଦ୍ଧିକୁ ବିରୋଧ : କଟକ ପରେ ଆଜି ସମ୍ବଲପୁରରେ ବିଜେଡି କରିବ ପ୍ରତିବାଦ

ଆରଡିସି ଅଫିସ ଆଗରେ ଦେବ ଧାରଣା

65

କନକ ବ୍ୟୁରୋ : ରୋଷେଇ ଗ୍ୟାସ ଦର ବୃଦ୍ଧିକୁ ବିରୋଧ କରି ଆଜି ସମ୍ବଲପୁରରେ ପ୍ରତିବାଦ କରିବ ବିଜୁ ଜନତା ଦଳ । ସମ୍ବଲପୁର ଆରଡିସି ଅଫିସ ଆଗରେ ବିଜେଡି ଏହି ପ୍ରତିବାଦ କରିବ ବୋଲି ସୂଚନା ରହିଛି । ଗତକାଲି ଏହାକୁ ବିରୋଧ କରି ଟ୍ୱିନସିଟିରେ ବିଜେଡି ପ୍ରତିବାଦ କରିଥିଲା । ଏହି ପ୍ରତିବାଦରେ ଦଳର ଛାମୁଆ ନେତା ସାମିଲ ହୋଇଥିଲେ । ୩ ବର୍ଷରେ ୭୦ ପ୍ରତିଶତ ଦରବୃଦ୍ଧି ହୋଇଛି । ଯାହାକୁ ବିରୋଧ କରୁଛି ବିଜେଡି । ଦର ନ କମିବା ଯାଏଁ ଆନ୍ଦୋଳନ କରାଯିବ ବୋଲି ବିଜେଡି କହିଛି । ଆସନ୍ତାକାଲି ବ୍ରହ୍ନପୁରରେ ବିଜେଡି ପ୍ରତିବାଦ କରିବ ବୋଲି ସୂଚନା ରହିଛି ।

ସୋମବାର ଭୁବନେଶ୍ବର ବିଜେଡିର ୩ଟି ପ୍ରତିବାଦ ସଭାରେ ଏହା ଦେଖିବାକୁ ମିଳିଥିଲା । ଦିନେ କାଳେ ଦେଖା ମିଳୁ ନ ଥିବା କିଛି ବିଜେଡି ଛାମୁଆଁଙ୍କୁ ଆଜିର ପ୍ରତିବାଦ ସଭାରେ ଦେଖିବାକୁ ମିଳିଥିଲା । ୱାର୍ଡରେ ଦବ୍‌ଦବା ପ୍ରଦର୍ଶନ କରିବାକୁ ଅଧିକ ସଂଖ୍ୟାରେ କର୍ମୀଙ୍କୁ ଧରି କିଛି ନେତା ସଭା, ଶୋଭାଯାତ୍ରା ମଧ୍ୟ କରିଥିଲେ । କିଏ ନିଜ ୱାର୍ଡରୁ ୩ କିମି ଧରି ଶୋଭାଯାତ୍ରା କରି ସଭା ସ୍ଥଳରେ ପହଞ୍ଚିଥିଲା ତ ଆଉ କିଏ ସାଧାରଣ ଲୋକଙ୍କୁ ଗାଡ଼ିରେ ବୋହି ଆଣି ସଭା ନିକଟରେ ଛାଡ଼ିଥିଲେ ।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ପ୍ରତିବାଦ ସଭା ସ୍ଥଳରେ ପୂର୍ବତନ କର୍ପୋରେଟରଙ୍କ ଅଧିକ ଦବଦବା ରହିଥିଲା । ସଭା ପରିଚାଳନା ସହ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସମସ୍ତେ ଲାଗିପଡ଼ିଥିଲେ । ମହିଳା କର୍ପୋରେଟର ଆଶାୟୀମାନେ ତ ୪ ଘଣ୍ଟା ଧରି ଚୁଲି କୁଣ୍ଢେଇ ବସି ରହିଥିଲେ। ଧୂଆଁରେ ଆଖି ପୋଡ଼ୁଥିଲେ ମଧ୍ୟ ଟିକିଏ ବି ହଲୁ ନ ଥିଲେ । ବରଂ ଚୁଲିରେ କିରୋସିନ୍‌ ଢ଼ାଳି ଜାଳ ଜାଳି ଚାଲିଥିଲେ। ଉତ୍ତର ନିର୍ବାଚନମଣ୍ଡଳୀର ଆଶାୟୀ ଜୟଦେବ ବିହାର-ନନ୍ଦନକାନନ ରାସ୍ତାପାର୍ଶ୍ବରେ ଚୁଲି ଜାଳି ସାରା ଅଞ୍ଚଳକୁ ଧୂଆଁ ମୟ କରିଦେଇଥିଲେ ।

ଆଉ ମଧ୍ୟ ନିର୍ବାଚନ ମଣ୍ଡଳୀର ଆଶାୟୀମାନେ ତ ଗ୍ୟାସ୍‌ ସିଲିଣ୍ଡରକୁ କୋକେଇର ବୋହି ନେଉଥିବାର ଅଭିନବ ଦୃଶ୍ୟ ସାମ୍ନାକୁ ଆସିଥିଲା। ମହିଳାମାନେ ଭାଷଣ ଦେବା ସମୟରେ ସବୁ ସୀମା ଟପିଯାଇଥିଲେ। ନିର୍ବାଚନମଣ୍ଡଳୀ ବିଧାୟକ ତଥା ବରିଷ୍ଠ ନେତାଙ୍କୁ ଖୁସି କରିବାକୁ ଆଶ‌ାୟୀମା‌ନେ ‘ମାନନୀୟ’, ‘ମଉଡମଣି’, ‘ନିର୍ବାଚନମଣ୍ଡଳୀର ସାହା ଭରସା’ ପରି ଶବ୍ଦ ବ୍ୟବହାର କରୁଥିବା ଶୁଣିବାକୁ ମିଳିଥିଲା । ଏକାମ୍ର ନିର୍ବାଚନମଣ୍ଡଳୀ ଆନ୍ଦୋଳନକୁ ତ ପୂର୍ବତନ କର୍ପୋରେଟରମାନେ ପରିଚାଳନା କରିଥିଲେ ।