ଖଣ୍ଡପଡ଼ାବାସୀଙ୍କ ଆଶୀର୍ବାଦ ପାଇଁ ଗାଁକୁ ଗାଁ ବୁଲୁଛନ୍ତି ବିଜେଡି ପ୍ରାର୍ଥୀ ସୌମ୍ୟରଞ୍ଜନ । କଟକ ସାଂସଦ ପ୍ରାର୍ଥୀ ଭର୍ତ୍ତୃହରିଙ୍କ ସହ କରୁଛନ୍ତି ରୋଡ୍ ସୋ’ ।
କନକ ବ୍ୟୁରୋ: ଖଣ୍ଡପଡ଼ା ବିଜେଡି ବିଧାୟକ ପ୍ରାର୍ଥୀ ତଥା ରାଜ୍ୟସଭା ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ମାରାଥନ ପ୍ରଚାର । ବିଶାଳ ରାଲି କରି ଖଣ୍ଡପଡ଼ା ବିଧାନସଭା କ୍ଷେତ୍ରରେ ଶକ୍ତି ପ୍ରଦର୍ଶନ କଲେ ସୌମ୍ୟରଞ୍ଜନ ପଟ୍ଟନାୟକ । ସେହିପରି ସୌମ୍ୟଙ୍କ ସହ କଟକ ବିଜେଡି ଲୋକସଭା ପ୍ରାର୍ଥୀ ଭର୍ତ୍ତୃହରି ମହତାବ ମଧ୍ୟ ପ୍ରଚାର କରିଛନ୍ତି । କଟକ ସଂସଦୀୟ କ୍ଷେତ୍ରରେ ଥିବା ସମସ୍ତ ଆସନକୁ ଅକ୍ତିଆର କରିବା ଲକ୍ଷ୍ୟରେ ରହିଛି ବିଜେଡି । ତେଣୁ ହାତରେ ମାତ୍ର ଆଉ ଦିନଟାଏ ଥିବାରୁ ପ୍ରଚାର କାର୍ଯ୍ୟକ୍ରମକୁ ଯୋରଦାର କରିଛନ୍ତି ବିଜେଡିର ଦୁଇ ହେଭିୱେଟ୍ ପ୍ରାର୍ଥୀ ।
Kanak News is now on WhatsApp
Join and get latest news updates delivered to you via WhatsApp
ଖଣ୍ଡପଡ଼ା ବେଣାଗାଡ଼ିଆ ପଞ୍ଚାୟତର ବିଭିନ୍ନ ଗାଁ ବୁଲି ପ୍ରଚାର ମାଧ୍ୟମରେ ସ୍ଥାନୀୟ ଲୋକଙ୍କ ନିକଟତର ହେବାକୁ ମୈଦାନକୁ ଓହ୍ଲାଇଛନ୍ତି ସୌମ୍ୟରଞ୍ଜନ । ସେପଟେ ସ୍ଥାନୀୟ ଲୋକମାନେ ମଧ୍ୟ ସୌମ୍ୟଙ୍କୁ ବିପୁଳ ସମର୍ଥନ ଦେବା ସହ ତାଙ୍କୁ ସ୍ୱାଗତ ଜଣାଇଥିବା ଦେଖିବାକୁ ମିଳିଛି । ତେବେ ପ୍ରଚାର ସମୟରେ ଅହେତୁକ ଜନସମାଗମ ହେବା ସହ ଦଳୀୟ କର୍ମୀଙ୍କ ମଧ୍ୟରେ ବିଶେଷ ଉତ୍ସାହ ଭରି ଦେଇଛି । ଯାହା ଆସନ୍ତା ୨୩ ତାରିଖରେ ଏଠାରେ ହେବାକୁଥିବା ନିର୍ବାଚନ ପାଇଁ ବିଜେଡିକୁ ବଳ ଦେବ ବୋଲି ଏହି ବିଶାଳ ଜନସମର୍ଥନରୁ ପରିଲିକ୍ଷିତ ହେଉଥିବା ସ୍ଥାନୀୟ ଲୋକମାନେ କହୁଛନ୍ତି ।
ସେପଟେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର କରିବାକୁ ପ୍ରାର୍ଥୀଙ୍କ ହାତରେ ମାତ୍ର ଆଉ ଦିନଟାଏ ଥିବାରୁ ସ୍ଥାନୀୟ ଅଞ୍ଚଳରେ ନିଜର ସମର୍ଥକଙ୍କ ସହିତ ଜୋରଦାର ପ୍ରଚାର ଚଳାଇଛନ୍ତି ବିଜେଡି ବିଧାୟକ ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକ । ତେବେ ଆସନ୍ତା ୨୩ ତାରିଖରେ ରାଜ୍ୟରେ ହେବାକୁଥିବା ତୃତୀୟ ପର୍ଯ୍ୟାୟ ମତଦାନରେ ଏଠାରେ ନେତା ବାଛିବେ ଭୋଟର ।