ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ନେଇ ତେଜିଲା ରାଜ୍ୟ ରାଜନୀତି: ରାଜ୍ୟସଭା ସଦସ୍ୟଙ୍କୁ ହ୍ୱିପ ଜାରି କଲା ବିଜେଡି; କଂଗ୍ରେସ କହିଲା, ସିବିଆଇ ପଞ୍ଝାରୁ ନେତାଙ୍କୁ ବଂଚାଇବାକୁ ଏନଡିଏକୁ ସମର୍ଥନ ଦେଇପାରନ୍ତି ମୁଖ୍ୟମନ୍ତ୍ରୀ

ବିଜେପି ଜବାବ, ନିର୍ବୋଧତାର ଉତର ନାହିଁ

540

କନକ ବ୍ୟୁରୋ: ଆସନ୍ତା ୧୪ ତାରିଖରୁ ପାର୍ଲାମେଂଟ ଅଧିବେଶନ ଆରମ୍ଭ ହେଉଛି । ଏହି ଦିନ ଦଳର ରାଜ୍ୟସଭା ସଦସ୍ୟଙ୍କୁ ଗୃହରେ ଉପସ୍ଥିତ ରହିବାକୁ ହ୍ୱିପ ଜାରି କରିଛି ବିଜେଡି । ଏ ନେଇ ବିଜେଡି ପକ୍ଷରୁ ୩ ଧାଡିଆ ହ୍ୱିପ ଜାରି କରାଯାଇଛି । କିଛି ଗୁରୁତ୍ୱପୂର୍ଣ୍ଣ ଗୃହକାର୍ଯ୍ୟ ପାଇଁ ଏହି ହ୍ୱିପ ଜାରି ହୋଇଛି । ଆସନ୍ତା ୧୪ ତାରିଖରେ ରାଜ୍ୟସଭାର ଉପାଧ୍ୟକ୍ଷ ନିର୍ବାଚନ ହେବ । ଏଥିପାଇଁ ଏନଡିଏ ପକ୍ଷରୁ ଜେଡିୟୁର ହରିବଂଶ ନାରାୟଣ ସିଂ ପ୍ରାର୍ଥୀ ହୋଇଥିବାବେଳେ ମିଳିତ ବିରୋଧୀ ଦଳ ପକ୍ଷରୁ ଆରଜେଡିର ମନୋଜ ଝା ନିର୍ବାଚନ ଲଢୁଛନ୍ତି ।

ତେବେ ବିଜେଡି କାହାକୁ ସମର୍ଥନ କରିବ ତାହା ସ୍ପଷ୍ଟ ହୋଇନାହିଁ । ଗତକାଲି ଜେଡିୟୁ ମୁଖ୍ୟ ତଥା ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଫୋନ କରି ହରିବଂଶଙ୍କ ପାଇଁ ସମର୍ଥନ ଲୋଡିଥିଲେ । ସେପଟେ ଏନଡିଏ ପ୍ରାର୍ଥୀ ହରିବଂଶ ନାରାୟଣ ସିଂଙ୍କୁ ସମର୍ଥନ ପ୍ରସଙ୍ଗରେ ବିଜେଡିକୁ ସମାଲୋଚନା କରିଛି କଂଗ୍ରେସ । ଏଆଇସିସି ସଦସ୍ୟ ରାମଚନ୍ଦ୍ର ଖୁଂଟିଆ କହିଛନ୍ତି ସିବିଆଇ ପଞ୍ଝାରୁ ନିଜ ନେତାଙ୍କୁ ବଂଚାଇବା ପାଇଁ ଏନଡିଏ ପ୍ରାର୍ଥୀକୁ ବିଜେଡି ସମର୍ଥନ କରୁଛି । ଅନ୍ୟପଟେ ବିଜେପି କହିଛି ନିର୍ବୋଧତାର ଉତର ନାହିଁ ।