କନକ ବ୍ୟୁରୋ: ଗଞ୍ଜାମ ଦିଗପହଣ୍ଡି ରାଜନୀତିରେ ଏବେ ଛକାପଞ୍ଝା ଜୋରଦାର ହୋଇଛି । ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପରଲୋକ ପରେ ସ୍ଥାନୀୟ ରାଜନୀତି ଗୋଳମାଳିଆ ହୋଇଯାଇଛି । ବିଜେଡି ଦୁଇଭାଗ ହୋଇଯାଇଥିବା ବେଳେ ଏଥିରୁ ଫାଇଦା ଚକ୍କରରେ ଅଛନ୍ତି ବିରୋଧୀ । ଦିଗପହଣ୍ଡିରେ ୨୦୦୯ରୁ ଲଗାତାର ବିଜେଡି ଟିକେଟରେ ନିର୍ବାଚିତ ହୋଇଆସୁଥିଲେ ସୂର୍ଯ୍ୟନାରାୟଣ ପାତ୍ର । କିନ୍ତୁ ତାଙ୍କ ପରଲୋକ ପରେ ସ୍ଥାନୀୟ ବିଜେଡି ରାଜନୀତିରେ ଏକ ବିଚିତ୍ର ସ୍ଥିତି ଦେଖିବାକୁ ମିଳିଛି । ଦଳ ଦୁଇଫାଳ ହୋଇଛି ।

Advertisment

ଗୋଟିଏ ଗୋଷ୍ଠୀର ନେତୃତ୍ୱ ସୂର୍ଯ୍ୟନାରାୟଣ ପାତ୍ରଙ୍କ ପୁଅ ବିପ୍ଲବ ପାତ୍ର ନେଉଥିବାବେଳେ ଆଉ ଏକ ଗୋଷ୍ଠୀର ନେତୃତ୍ୱ ନେଉଛନ୍ତି ନିଲମ୍ବିତ ନେତା ବିପିନ ପ୍ରଧାନ । ବିପିନ ଦିନେ ସୂର୍ଯ୍ୟନାରାୟଣ ପାତ୍ରଙ୍କ ନିକଟତର ଥିଲେ ଓ ପାଂଚ ୫ ଥର ବ୍ଲକ ଅଧ୍ୟକ୍ଷ ଥିଲେ । ବିଶୃଙ୍ଖଳା ପାଇଁ ତାଙ୍କୁ କିଛିଦିନ ତଳେ ବିଜେଡିରୁ ନିଲମ୍ବିତ କରାଯାଇଥିଲା । ଏପଟେ ନିକଟରେ ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନରେ ବିପ୍ଳବଙ୍କୁ ଝଟକା ଲାଗିଛି । ବହୁ ଉଦ୍ୟମ ସତ୍ତେ୍ୱ ବିପ୍ଲବ ହାତରୁ ଦିଗପହଣ୍ଡି ଛଡ଼ାଇ ନେଇଥିଲେ ବିପିନ ପ୍ରଧାନ । ଏହି ପରାଜୟ ପରେ ଦୁଇ ଗୋଷ୍ଠୀ ଭିତରେ ଅଶାନ୍ତି କୁହୁଳୁଥିବା ବେଳେ ପୁଣି ଏବେ ଗୁଣିଗାରେଡ଼ି ଭଳି ଏକ ଅନ୍ଧବିଶ୍ୱାସ ଆହୁରୀ ତିକ୍ତତା ବଢ଼ାଇଛି ।