କାମ ଦେଲାନି ବିରୋଧୀଙ୍କ ପ୍ରସଙ୍ଗ । ପ୍ରଥମ ଦିନ ଟ୍ରେଣ୍ଡ ଅନୁସାରେ ବଡ ବିଜୟ ମୁହାଁ ବିଜେଡି ।

200

କନକ ବ୍ୟୁରୋ: ପଞ୍ଚାୟତ ନିର୍ବାଚନର ପ୍ରଥମ ଦିନର ଗଣତିରୁ ବିଜେଡି ଜିଲ୍ଲା ପରିଷଦ ଆସନରେ କ୍ଲିନ ସୁଇପ୍ ଆଡକୁ ମୁହାଁଉଥିବା ସଙ୍କେତ ମିଳିଛି । ବିଶେଷ କରି ପଞ୍ଚାୟତ ନିର୍ବାଚନ ପୂର୍ବରୁ ଯେଉଁ ପ୍ରସଙ୍ଗ ଉଠାଇ ସରକାରଙ୍କୁ ବିରୋଧୀ ଘେରାଉ କରୁଥିଲେ, ସେସବୁ ପ୍ରସଙ୍ଗରେ ଲୋକଙ୍କ ଆସ୍ଥା ଜିଣିପାରି ନାହାନ୍ତି ବିରୋଧୀ । ଆଉ ଲୋକେ ବିରୋଧୀ ଦଳକୁ ବିଶ୍ୱାସକୁ ନେଇନଥିବାରୁ ବିଜେଡି ନିରଙ୍କୁଶ ଜନାଦେଶ ଆଡକୁ ଆଗଉଛି ।

ପଞ୍ଚାୟତ ନିର୍ବାଚନରେ ପରୀ, ମମିତା ଓ ମାହାଙ୍ଗା ଡବଲ ମର୍ଡର ପ୍ରସଙ୍ଗ ବିଜେଡିର ଭୋଟ୍ କଟିବ ବୋଲି ଚର୍ଚ୍ଚା ହେଉଥିଲା କିନ୍ତୁ ପ୍ରଥମ ଦିନର ଟ୍ରେଣ୍ଡରେ ସେଭଳି ଦେଖିବାକୁ ମିଳିଲା ନାହିଁ । ଗତଥର ଅପେକ୍ଷା ବିରୋଧୀଙ୍କ ପ୍ରଦର୍ଶନ ଆହୁରି ଦୁର୍ବଳ ହୋଇଥିବା ବେଳେ ବିଜେଡି ପୂର୍ବର ସବୁ ରେକର୍ଡ ଭାଙ୍ଗି ଏକତରଫା ବିଜୟ ଆଡକୁ ଅଗ୍ରସର ହେଉଛି ।

ଯେଉଁ ପ୍ରସଙ୍ଗକୁ ନେଇ ବିରୋଧୀ ତମ୍ବିତୋଫାନ କରିଥିଲେ, ସମସ୍ତଙ୍କୁ ଆଶ୍ଟର୍ଯ୍ୟ କରି ସେସବୁ ଅଞ୍ଚଳରେ ବିଜେଡି ଭଲ କରିଛି । କଳାହାଣ୍ଡି ମହାଲିଙ୍ଗ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତି, ଅଭିଯୋଗ ଆସିଥିଲା । ଚର୍ଚ୍ଚା ହେଲା ମହିଳା ସୁରକ୍ଷା ପ୍ରସଙ୍ଗରେ ଭୋଟର ତାତିବେ, ଆଉ ଏହାର ପ୍ରଭାବ ପଞ୍ଚାୟତ ନିର୍ବାଚନ ଉପରେ ପଡିବ । ହେଲେ ଜନତାଙ୍କ ବିଶ୍ୱାସ ଜିତିବାରେ ସଫଳ ହୋଇ ନାହାନ୍ତି ବିରୋଧୀ । କଳାହାଣ୍ଡିରେ ପ୍ରଥମ ଦିନର ଗଣତିରେ ସ୍ଥିତି ଯଦିଓ ସ୍ପଷ୍ଟ ହୋଇନାହିଁ, କିନ୍ତୁ ବିଜେଡି ସମସ୍ତଙ୍କ ଠାରୁ ଆଗରେ ରହିଛି ।
ଗତ ନିର୍ବାଚନରେ କଳାହାଣ୍ଡିରେ ୩୩ ଆସନ ପାଇ ଜିଲ୍ଲା ପରିଷଦ ଗଠନ କରିଥିଲା ବିଜେପି । ହେଲେ ଏଥର ମମିତା ଭଳି ପ୍ରସଙ୍ଗ ସତ୍ତେ୍ୱ ଫଳାଫଳ ବିଜେପି ସପକ୍ଷରେ ଗଲା ଭଳି ଦିଶୁ ନାହିଁ ।

ସେହିପରି ନୟାଗଡରେ ଶିଶୁ କନ୍ୟା ପରୀ ହତ୍ୟା ମାମଲାକୁ ନେଇ ବିଜେପିର ଆକ୍ରମଣାତ୍ମକ ଆଭିମୁଖ୍ୟ ସତ୍ତେ୍ୱ ବିଜେପି ଫାଇଦା କିଛି ମିଳିଲା ନାହିଁ । ଏହି ମାମଲାରେ ମନ୍ତ୍ରୀ ଅରୁଣ ସାହୁ ବିବାଦ ଘେରକୁ ଆସିଥିଲେ ମଧ୍ୟ ଏହାକୁ ଜନ ଆକ୍ରୋଶରେ ପରିଣତି କରିପାରି ନାହାନ୍ତି ବିରୋଧୀ । ଯାହା ଏବେ ପଞ୍ଚାୟତ ନିର୍ବାଚନ ଫଳାଫଳରେ ଦେଖିବାକୁ ମିଳିଛି । ପ୍ରଥମ ଦିନର ଗଣତିରେ ବିଜେଡି ସମସ୍ତ ୮ଟି ଜୋନରେ ଆଗୁଆ ରହିଛି ।

ସେପଟେ କଟକ ଜିଲ୍ଲାରେ ବିରୋଧୀ ବିଜେପି ମାହାଙ୍ଗା ଡବଲ ମର୍ଡର ମାମଲା ଓ ଆଇନ୍ ଶୃଙ୍ଖଳା ପ୍ରସଙ୍ଗକୁ ଅସ୍ତ୍ର କରଥିଲେ । ଏଥିରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ବହିଷ୍କାର ଦାବି କରି ତମ୍ବି ତୋଫାନ୍ କରିଥିଲେ । କିନ୍ତୁ ଏହାର ପ୍ରଭାବ ଭୋଟରଙ୍କ ଉପରେ ପଡି ନାହିଁ । କଟକରେ ପ୍ରଥମ ଦିନରେ ବିଜେଡି ୧୨, କଂଗ୍ରେସ ଓ ବିଜେପି ଗୋଟିଏ ଲେଖାଏଁ ଆସନରେ ଆଗୁଆ ଅଛନ୍ତି । ମମିତା, ପରୀ ଓ ମାହାଙ୍ଗା ଡବଲ ମର୍ଡର ଭଳି ପ୍ରସଙ୍ଗ, ଲୋକଙ୍କ ଉପରେ କୌଣସି ପ୍ରଭାବ ପକାଇ ପାରିଲା ନାହିଁ । କିଛି ରାଜନୈତିକ ବିଶେଷଜ୍ଞଙ୍କ ମତରେ ଲୋକଙ୍କ ଆକ୍ରୋଶକୁ ଭୋଟରେ ପରିଣତ କରାଇବା ଭଳି କାମ କରିପାରିନାହାନ୍ତି ବିରୋଧୀ ।