କନକ ବ୍ୟୁରୋ : ଗଞ୍ଜାମ ରାଜନୀତିରେ ଏବେ ଦୁଇ ପୂର୍ବତନ ଅଧିକାରୀ ଚର୍ଚ୍ଚାରେ ରହିଛନ୍ତି । ଗୋପାଳପୁରରେ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଗୋପବନ୍ଧୁ ଦାଶ ନିଜର ଶକ୍ତି ବଢ଼ାଉଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ହିଞ୍ଜିଳିକାଟୁ ପ୍ରତିନିଧି ଶରତ ମହାପାତ୍ର ସେଠାରେ ପ୍ରଚାରର ମଙ୍ଗ ଧରିଛନ୍ତି ।

Advertisment

ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଗୋପବନ୍ଧୁ ଦାଶ ଏବଂ ମୁଖ୍ୟମନ୍ତ୍ରୀଙ୍କ ହିଞ୍ଜିଳିକାଟୁ ପ୍ରତିନିଧି ଶରତ ମହାପାତ୍ର । ପଞ୍ଚାୟତ ନିର୍ବାଚନ ପ୍ରଚାରରେ ବେଶ ସକ୍ରିୟ ଅଛନ୍ତି ଏହି ଦୁଇ ପୂର୍ବତନ ପ୍ରଶାସନିକ ଅଧିକାରୀ । ଗୋପବନ୍ଧୁ ଦାସ, ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ପ୍ରଚାରର ମଙ୍ଗ ଧରିଥିବା ବେଳେ ହିଞ୍ଜିଳିକାଟୁ ନିର୍ବାଚନ ମଣ୍ଡଳୀରେ ଗାଁକୁ ଗାଁ ବୁଲି ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗୁଛନ୍ତି ଶରତ ମହାପାତ୍ର । ହିଞ୍ଜିଳିକାଟୁ, ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହୋଇଥିବାରୁ ତାଙ୍କର ପ୍ରତିନିଧି ଭାବେ ପ୍ରଚାରର ଦାୟିତ୍ୱ ପଡିଛି ଶରତ ମହାପାତ୍ରଙ୍କ ହାତରେ । ଏହି ନିର୍ବାଚନ ମଣ୍ଡଳୀରେ କୌଣସି ଷ୍ଟାର ପ୍ରଚାରକଙ୍କୁ ଦେଖିବାକୁ ମିଳୁନାହିଁ, ସ୍ଥାନୀୟ ନେତାଙ୍କୁ ଧରି ସେ ପ୍ରଚାର କରୁଛନ୍ତି ।

ହିଞ୍ଜିଳିକାଟୁ ନିର୍ବାଚନ ମଣ୍ଡଳୀରେ ବିଜେପି ଓ କଂଗ୍ରେସ ମଧ୍ୟ ଜୋରଦାର ପ୍ରଚାର କରୁଛନ୍ତି । ତେବେ ୨୦୧୯ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ବିଜେପି ପ୍ରାର୍ଥୀ ହୋଇଥିବା ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟଙ୍କୁ ପଂଚାୟତ ପ୍ରଚାରରେ ଦେଖିବାକୁ ମିଳୁନାହିଁ । ଦଳୀୟ ପ୍ରାର୍ଥୀ ଘରେ ଘରେ ବୁଲି ଭୋଟ ମାଗୁଛନ୍ତି ।

ଗୋପାଳପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡି ପାଇଁ ପ୍ରଚାର କରୁଛନ୍ତି ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଗୋପବନ୍ଧୁ ଦାଶ । ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ବିଜେଡିରୁ ବହିଷ୍କାର କରାଯାଇଥିବାରୁ ଦଳର ଫୋକସରେ ରହିଛି ଗୋପାଳପୁର । ସେହିପରି ହିଞ୍ଜିଳିକାଟୁ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହୋଇଥିବାରୁ ଏହା ବେଶ ଗୁରୁତ୍ୱ ରଖୁଛି । ଦୁଇ ନିର୍ବାଚନ ମଣ୍ଡଳୀରେ ବିଜେଡିକୁ ଜିତାଇବା ଦାୟିତ୍ୱ ପଡିଛି ଦୁଇ ପୂର୍ବତନ ପ୍ରଶାସନିକ ଅଧିକାରୀଙ୍କ ଉପରେ ।