୨୦ ବର୍ଷରେ ପାଦ ଥାପିଲା ନବୀନ ସରକାର । ସେବା ଓ ବିଶ୍ୱାସ ପାଇଁ ଏବେ ବି ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ।

175

କନକ ବ୍ୟୁରୋ: ୨୦ ବର୍ଷ ଧରି ଓଡ଼ିଶାର ମୁଖ୍ୟମନ୍ତ୍ରୀ । ରାଜ୍ୟ ରାଜନୀତିରେ ଏହା କେବଳ ଏକ ରେକର୍ଡ ନୁହେଁ, ଏହା ହେଉଛି ଜଣେ ରାଜନେତାଙ୍କ ପ୍ରତି ଥିବା ଅମଳିନ ଲୋକପ୍ରିୟତାର ନିଦର୍ଶନ । ୨୩ ବର୍ଷର ରାଜନୈତିକ ଜୀବନ, ତା’ ମଧ୍ୟରୁ ୨୦ ବର୍ଷ କାଳ ମୁଖ୍ୟମନ୍ତ୍ରୀ । ପ୍ରଥମ ନିର୍ବାଚନରେ ଯେତିକି ଜନସମର୍ଥନ ଥିଲା, ତାହା ଥରକୁ ଥର ବୃଦ୍ଧି ପାଇଛି । ଏହା ତାଙ୍କୁ ଦେଶର ଜଣେ ବିରଳ ରାଜନେତା ଭାବେ ଗଢ଼ି ତୋଳିଛି । ଦିନକୁ ଦିନ ତାଙ୍କର ଭାବମୂର୍ତି ଆହୁରି ଉଜ୍ଜ୍ୱଳ ହୋଇଛି । ଦେଶର ୧ ନମ୍ବର ପ୍ରଶାସକ, ଆଦର୍ଶ ମୁଖ୍ୟମନ୍ତ୍ରୀ ଭାବେ ସ୍ୱତନ୍ତ୍ର ପରିଚୟ ପାଇଛନ୍ତି ସେ । ଯାହାଙ୍କ ଦୂରଦୃଷ୍ଟି ଆଉ କାର୍ଯ୍ୟଶୈଳୀ ଓଡିଶାରେ ଆଣିଛି ବ୍ୟାପକ ପରିବର୍ତନ ।

କଳା ସଂସ୍କୃତି ସହ ନିଜକୁ ଜଡିତ କରି ଭିନ୍ନ ଏକ ଜୀବନ ବଂଚୁଥିଲେ ନବୀନ । ତେବେ ୧୯୯୭ରେ ବିଜୁ ବାବୁଙ୍କ ଦେହାନ୍ତ ପରେ ବଦଳି ଯାଇଥିଲା ତାଙ୍କ ଜୀବନ । ଅତି ଆକସ୍ମିକ ଭାବେ ରାଜନୀତିରେ ପ୍ରବେଶ କରିଥିଲେ ସେ । ଅଧା ଓଡିଶାକୁ ଛାରଖାର କରିଦେଇଥିବା ୧୯୯୯ ମହାବାତ୍ୟାର ଠିକ୍ ପରେ ପରେ ରାଜ୍ୟ ଶାସନର ଡୋରି ଧରିଥିଲେ ନବୀନ । ଗୋଟିଏ ପଟେ ପ୍ରାକୃତିକ ବିପର୍ଯ୍ୟୟରୁ ରାଜ୍ୟକୁ ମୁକାଳିବା, ଅନ୍ୟପଟେ ଏକ ନୂଆ ଶତାବ୍ଦୀର ତାଳେ ତାଳେ ରାଜ୍ୟକୁ ବିକାଶ ପଥରେ ଆଗେଇ ନେବା, ଏହି ଦୁଇଟି ଥିଲା ତାଙ୍କ ପାଇଁ ବଡ଼ ଆହ୍ୱାନ । ତେବେ ଏହି ଦୁଇଟି ଆହ୍ୱାନକୁ ଗ୍ରହଣ କରି ସଫଳତାର ସହ ରାଜ୍ୟକୁ ଆଗକୁ ନେଇଥିଲେ ନବୀନ ।

୨୦୧୩ ଫାଇଲିନ ବାତ୍ୟା ସମୟରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେଇ, ଜିରୋ କାଜୁଆଲଟି ମିସନରେ ସମର୍ଥ ହୋଇଥିଲେ ସରକାର । ଆଉ ବାତ୍ୟାର ସଫଳ ମୁକାବିଲା କରି ମିଳିତ ଜାତିସଂଘ ଦ୍ୱାରା ସମ୍ମାନିତ ହୋଇଥିଲେ ନବୀନ । ୨୦୧୯ରେ ବାତ୍ୟା ଫୋନିର ମୁକାବିଲା ନେଇ ରାଜ୍ୟ ସରକାରଙ୍କ ପଦକ୍ଷେପ, ଅନ୍ୟମାନଙ୍କ ପାଇଁ ପାଲଟିଛି ଉଦାହରଣ । ସେହିପରି ୨୦ ବର୍ଷ ମଧ୍ୟରେ ଖାଦ୍ୟ ନିଅଂଟରୁ ଖାଦ୍ୟ ବଳକା ରାଜ୍ୟରେ ପରିଣତ ହୋଇଛି ଓଡିଶା । କୃଷି ଉତ୍ପାଦନ ଦୁଇଗୁଣ ହୋଇଛି । ଅଲଗା କୃଷି ବଜେଟ ଉପସ୍ଥାପନ କରି ଚାଷୀଙ୍କ ସାମୁହିକ ବିକାଶ ଦିଗରେ ନିଆଯାଇଥିବା ପଦକ୍ଷେପ ରାଜ୍ୟ ପାଇଁ ୫ ଥର କୃଷିକର୍ମଣ ପୁରସ୍କାର ଆଣିବାରେ ସମର୍ଥ ହୋଇଛି । କାଳିଆ ଯୋଜନାରେ ୪୩ ଲକ୍ଷରୁ ଅଧିକ ଚାଷୀଙ୍କ ଆକାଉଂଟକୁ ଯାଇଛି ଟଙ୍କା । କୃଷି କ୍ଷେତ୍ର ଭଳି ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି ସରକାର । ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନାରେ ୭୦ ଲକ୍ଷ ପରିବାରକୁ ସ୍ୱାସ୍ଥ୍ୟବୀମା ଯୋଗାଇ ଦିଆଯାଇଛି । ୨୦୦୦ ମସିହା ବେଳକୁ ରାଜ୍ୟରେ ୩ଟି ମେଡିକାଲ କଲେଜ ଥିବା ବେଳେ ରାଜ୍ୟରେ ଆଉ ୮ଟି ମେଡିକାଲ କଲେଜର ଗଠନ ଦିଗରେ ପଦକ୍ଷେପ ନିଆଯାଇଛି, ଏଥିରୁ ୪ଟି ମେଡିକାଲ କଲେଜ କାର୍ଯ୍ୟକ୍ଷମ ହୋଇସାରିଛି । ଏସସିବି ମେଡିକାଲ କଲେଜକୁ ଏମସ ପ୍ଲସରେ ପରିଣତ କରିବାକୁ ୧୦୦୦ କୋଟିର ବ୍ୟବସ୍ଥା କରାଯାଇଛି ।

ସେହିପରି ମମତା ଯୋଜନାରେ ୪୦ ଲକ୍ଷରୁ ଅଧିକ ମହିଳା ଉପକୃତ ହୋଇଛନ୍ତି । ଆଜି ରାଜ୍ୟର ମାତୃ ଓ ଶିଶୁ ମୃତ୍ୟୁ ହାର ଜାତୀୟ ହାର ଠାରୁ ବେଶ ଭଲ । ୨୦୦୧ରେ ଆରମ୍ଭ ହୋଇଥିବା ମିଶନ ଶକ୍ତି କାର୍ଯ୍ୟକ୍ରମ ଆଜି ଏକ ଆନ୍ଦୋଳନରେ ପରିଣତ ହୋଇଛି । ୭୦ ଲକ୍ଷ ମହିଳା, ୬ ଲକ୍ଷ ଏସଏଚଜିଙ୍କ ଜରିଆରେ ଉପକୃତ ହୋଇଛନ୍ତି । ମହିଳାଙ୍କ ପାଇଁ ନିର୍ବାଚନରେ ୩୩% ଆସନ ସଂରକ୍ଷିତ କରିବା ନେଇ ବିଧାନସଭାରେ ସଂକଳ୍ପ ପାରିତ କରି ଅନ୍ୟମାନଙ୍କ ପାଇଁ ଆଦର୍ଶ ପାଲଟିଛନ୍ତି ନବୀନ । ଏଭଳି ଅନେକ ଯୋଜନା ଫଳରେ ଅସହାୟ, ଆଦିବାସୀ, ବୃଦ୍ଧ ବୃଦ୍ଧା, ମହିଳା ଓ ଗରିବ ଲୋକ ଆଜି ବଂଚିବାର ନୂଆ ରାହା ପାଇଛନ୍ତି । ଆଉ ରାଜ୍ୟର ସାମଗ୍ରିକ ବିକାଶ କରିବାରେ ସମର୍ଥ ହୋଇଛନ୍ତି ସରକାର । ଉଭୟ ଗାଁ ଓ ସହର ଆଜି ବିକାଶର ରାସ୍ତାରେ ଆଗେଇ ପାରିଛି ।

ଗତ ୨ ଦଶନ୍ଧିର ଏହି ଯାତ୍ରାରେ ଦେଶର କ୍ରୀଡା ମାନଚିତ୍ରରେ ଓଡ଼ିଶାକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଛନ୍ତି ରାଜ୍ୟ ସରକାର । ଏସିଆନ ଆଥଲେଟିକ୍ସ ଚାଂପିୟନସିପ୍ ଆୟୋଜନ ହେଉ କିମ୍ବା ହକି ବିଶ୍ୱକପ, ସଫଳତାର ସହ ଆୟୋଜନ କରି ସାରା ବିଶ୍ୱରେ ପ୍ରଶଂସିତ ହୋଇଛି ଓଡିଶା । ବ୍ୟାଡମିଂଟନ, ସୁଟିଂ ରେଂଜ ଭଳି ୬ଟି କ୍ରୀଡାରେ ବିଶ୍ୱସ୍ତରୀୟ ଏକାଡେମୀ ପ୍ରତିଷ୍ଠା କରି ଦେଶର କ୍ରୀଡା ରାଜଧାନୀ ଭାବେ ଓଡ଼ିଶା ପରିଚୟ ସୃଷ୍ଟି କରି ପାରିଛି । ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ଓଡ଼ିଶା ଆଉ ପଛରେ ପଡ଼ିନାହିଁ । ପଂଚମ ପାଳିରେ ପୁରୀକୁ ବିଶ୍ୱସ୍ତରୀୟ ଐତିହ୍ୟ ସ୍ଥଳ କରିବା ପାଇଁ ଉଦ୍ୟମ କରିଛନ୍ତି ସରକାର ।

ପଂଚମ ପାଳିରେ ବିପୁଳ ଜନାଦେଶ ସହ ପୁଣିଥରେ କ୍ଷମତାକୁ ଆସିବା ପରେ ମୋ ସରକାର ଆଉ ୫-ଟି ଜରିଆରେ ପ୍ରଶାସନକୁ ଅଧିକ କ୍ରିୟାଶୀଳ କରିବାକୁ ନିଆଯାଇଛି ପଦକ୍ଷେପ । ପ୍ରଶାସନିକ ସଂସ୍କାର ଯେପରି ସରକାରଙ୍କ ବିଶ୍ୱସନୀୟତାକୁ ବୃଦ୍ଧି କରିଛି, ଠିକ୍ ସେହିପରି ନବୀନଙ୍କ ବ୍ୟକ୍ତିଗତ ସାଧୁତା, ସ୍ୱଚ୍ଛତା, ସରଳ ଓ ନିରାଡମ୍ବର ଜୀବନଶୈଳୀ ତାଙ୍କ ଲୋକପ୍ରିୟତାକୁ ଆହୁରି ବଢ଼ାଇଛି ।