ବିଜେଡି ପ୍ରାର୍ଥୀ ତାଲିକାରେ ୫୦ ପ୍ରତିଶତ ନୂଆ ଚେହେରା । ଚମକିଲେ ମହିଳା, ଯୁବକଙ୍କୁ ସୁଯୋଗ ଦେଲେ ଦଳପତି । ଦେଖନ୍ତୁ ପୂରା ତାଲିକା

865

କନକ ବ୍ୟୁରୋ : ବିଜେଡି ସୁପ୍ରିମୋ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ହେବାକୁ ଥିବା ୫୪ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । ତେବେ ଏହି ୫୪ ଆସନ ମଧ୍ୟରୁ ୫୦ ପ୍ରତିଶତ ଆସନରେ ପ୍ରାର୍ଥୀ ପରିବର୍ତ୍ତନ କରିଛନ୍ତି ବିଜେଡି ସୁପ୍ରିମୋ । ୨୦୧୪ ବିଧାନସଭା ନିର୍ବାଚନର ପ୍ରାର୍ଥୀମାନଙ୍କୁ ବଦଳାଯାଇ ସେମାନଙ୍କ ସ୍ଥାନରେ ନୂଆ ପ୍ରାର୍ଥୀ ଦିଆଯାଇଛି । ତେବେ ବ୍ରହ୍ମପୁର ବିଧାନସଭା ଆସନରୁ ଟିକେଟ ପାଇନଥିବା ରମେଶ ଚ୍ୟାଉ ପଟ୍ଟନାୟକ କହିଛନ୍ତି ଦଳୀୟ ସୁୁପ୍ରିମୋଙ୍କ ନିଷ୍ପତିକୁ ମାନି କାମ କରିବେ । ଯାହା ଦାୟିତ୍ୱ ଦିଆଯିବ ତାକୁ ତୁଲାଇବେ । ସେପଟେ ମନୋହର ରାନ୍ଧାରୀଙ୍କୁ ନବରଙ୍ଗପୁର ଆସନ ବଦଳରେ ଡାବୁଗାଁରୁ ପ୍ରାର୍ଥୀ କରାଯାଇଛି । ୨୭ଟି ଆସନରେ ପୁରୁଣା ପ୍ରାର୍ଥୀଙ୍କୁ ପୁଣିଥରେ ସୁଯୋଗ ଦେଇଛି ଦଳ ।  ତେବେ ନବୀନଙ୍କ ଏହି ନୂଆ ଷ୍ଟ୍ରାଟେଜି ବିଜେଡିକୁ ଫାଇଦା ଦେବ ନା ଅଡୁଆ ବଢାଇବ ତାହା ଉପରେ ସମସ୍ତଙ୍କର ନଜର ରହିଛି ।  ନଜର ପକାନ୍ତୁ ୯ଟି ଲୋକସଭା ଅଧିନରେ ଆସୁଥିବା ବିଧାନସଭା ଆସନଗୁଡିକରେ କାହାର ଟିକେଟ କାଟିଛି ବିଜୁ ଜନତା ଦଳ ।

ବ୍ରହ୍ମପୁର
ବ୍ରହ୍ମପୁର ବିଧାନସଭା ଆସନରେ ୨୦୧୯ରେ ଲଢିବେ ବିକ୍ରମ କୁମାର ପଣ୍ଡା । କଂଗ୍ରେସ ଶିବିରରୁ ଆସି ବିଜେଡିରେ ଯୋଗ ଦେବା ସହ ଟିକେଟ ହାତେଇଛନ୍ତି ବିକ୍ରମ । ୨୦୧୪ରେ ଏହି ଆସନରେ ଲଢିଥିଲେ ରମେଶ ଚ୍ୟାଉ ପଟ୍ଟନାୟକ । ରମେଶ ବିଜେଡି ସୁପ୍ରିମୋଙ୍କ ଏହି ନିଷ୍ପତିରେ ସନ୍ତୋଷ ବ୍ୟକ୍ତ କରି କହିଛନ୍ତି ଯାହା ଦାୟିତ୍ୱ ଦିଆଯିବ ତାକୁ ସେ ଗ୍ରହଣ କରିନେବେ । ସେହିପରି ଛତ୍ରପୁରରେ ସୁବାଷ ଚନ୍ଦ୍ର ବେହେରା, ପାରଳାଖେମୁଣ୍ଡିରେ କଲ୍ୟ।।ଣୀ ଗଜପତି ଏବଂ ମୋହନାରେ ପୂର୍ଣ୍ଣବାସୀ ନାୟକ ନୂଆ ପ୍ରାର୍ଥୀ ଭାବେ ୨୦୧୯ରେ ମଇଦାନକୁ ଓହ୍ଲାଇବେ । ୨୦୧୪ରେ ଛତ୍ରପୁରରୁ ପ୍ରୀୟାଂଶୁ ପ୍ରଧାନ, ପାରଳାଖେମୁଣ୍ଡିରୁ କେ ନାରାୟଣ ରାଓ ଏବଂ ମୋହନାରୁ ବାସନ୍ତୀ ମଲ୍ଲିକ ଲଢିଥିଲେ ।

ସୁନ୍ଦରଗଡ
ସୁନ୍ଦରଗଡ ବିଧାନସଭା ଆସନରୁ ୨୦୧୯ରେ ଲଢିବେ ଯୋଗେଶ ସିଂହ । ୨୦୧୪ରେ ଏହି ଆସନରୁ ଲଢିଥିଲେ କୁସୁମ ଟେଟେ । ଯୋଗେଶ ସିଂହ କଂଗ୍ରେସରୁ ଆସି ବିଜେଡିରେ ଯୋଗ ଦେବା ପରେ କୁସୁମ ଓ ଯୋଗେଶଙ୍କ ମଧ୍ୟରେ ହୋଇଥିଲା ବିବାଦ । କିନ୍ତୁ କଂଗ୍ରେସ କ୍ୟାମ୍ପ ଛାଡି ବିଜେଡିକୁ ଆସିଥିବା ଯୋଗେଶଙ୍କ ଉପରେ ଭରସା କରିଛନ୍ତି ଦଳପତି । ଏପରିକି ଯୋଗେଶ ଏହି ଆସନରୁ ପୂର୍ବରୁ ଦୁଇଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ସେହିପରି ତଲସରାରୁ ଷ୍ଟିଫେନ ସୁରେନ୍ ଏବଂ ବଣାଇରୁ ରଂଜିତ କିଶାନ ନିର୍ବାଚନ ଲଢିବେ । ୨୦୧୪ରେ ତଲସରାରୁ ବିନୟ କୁମାର ତପୋ ଏବଂ ବଣାଇରୁ ଦୟାନିଧି କିଶାନ ନିର୍ବାଚନ ଲଢିଥିଲେ ।

ବଲାଙ୍ଗିର
ପାଟଣାଗଡ ବିଧାନସଭା ଆସନରୁ ୨୦୧୯ରେ ସରୋଜ ମେହେର ଲଢିବାକୁ ଯାଉଛନ୍ତି । ସେହିପରି କଂଟାବାଝିରୁ ଲଢିବେ ଅଜୟ ଦାସ । ୨୦୧୪ ବିଧାନସଭା ନିର୍ବାଚନରେ ପାଟଣାଗଡରୁ ଲଢିଥିଲେ ପ୍ରକୃତି ଦେବୀ ଏବଂ କଂଟାବାଝିରୁ ଲଢିଥିଲେ ଆୟୁବ ଖାନ୍ ।

କଳାହାଣ୍ଡି
ଭବାନୀପାଟଣା ବିଧାନସଭା ଆସନରୁ ୨୦୧୯ରେ ନିର୍ବାଚନ ମଇଦାନକୁ ଓହ୍ଲାଇବେ ଦୁଷ୍ମନ୍ତ ନାୟକ । ସେହିପରି କଂଗ୍ରେସ ଶିବିର ଛାଡି ଗତ ନିର୍ବାଚନରେ ବିଜେଡିକୁ ଅ।।ସିଥିବା ବିରୋଧୀ ଦଳ ନେତା ଭୁପିନ୍ଦର ସିଂହଙ୍କୁ ପୁଣିଥରେ ତାଙ୍କୁ ପୁରୁଣା ଆସନ ନର୍ଲାରୁ ପ୍ରାର୍ଥୀ କରିଛି ଦଳ ଏବଂ ଧର୍ମଗଡରୁ ମୌସୁଦି ବାଗ ଏଥର ଲଢିବାକୁ ଯାଉଛନ୍ତି । ୨୦୧୪ରେ ଭବାନୀ ପାଟଣାରୁ ଅନାମ ନାୟକ, ନର୍ଲାରୁ ଧନେଶ୍ୱର ମାଝୀ ଏବଂ ଧର୍ମଗଡରୁ ପୁଷ୍ପେନ୍ଦ୍ର ସିଂ ଦେଓ ଲଢିଥିଲେ । ପୁଷ୍ପେନ୍ଦ୍ରଙ୍କୁ କଳାହାଣ୍ଡି ଲୋକସଭା ଆସନରୁ ପ୍ରାର୍ଥୀ କରିଛି ଦଳ ।

କନ୍ଧମାଳ
୨୦୧୯ ରେ ବାଲିଗୁଡା ବିଧାନସଭା ଆସନରୁ ଚକ୍ରଧର କହଁର, ଜି ଉଦୟଗିରିରୁ ସାଲୁଗା ପ୍ରଧାନ ଏବଂ ଦଶପଲ୍ଲାରୁ ରମେଶ ବେହେରା ନିର୍ବାଚନ ଲଢିବେ । ୨୦୧୪ରେ ବାଲିଗୁଡାରୁ ରାଜୀବ ପାତ୍ର, ଜି ଉଦୟଗିରିରୁ ପ୍ରଦୀପ କୁମାର ପ୍ରଧାନ ଏବଂ ଦଶପଲ୍ଲାରୁ ପୂର୍ଣ୍ଣଚନ୍ଦ୍ର ନାୟକ ନିର୍ବାଚନ ଲଢିଥିଲେ ।
କୋରାପୁଟ
୨୦୧୯ ବିଧାନସଭା ନିର୍ବାଚନରେ କୋରାପୁଟ ଆସନରୁ ଲଢିବେ ରଘୁରାମ ପଢାଳ । ୨୦୧୪ରେ ଏହି ଆସନରୁ ଲଢିଥିଲେ ରଘୁରାମ ମାଛ । ଗୁଣପୁର ବିଧାନସଭା ଆସନରୁ ୨୦୧୯ରେ ରଘୁରାମ ଗମାଙ୍ଗ ଏବଂ ଲକ୍ଷ୍ମୀପୁରରୁ ପ୍ରଭୁ ଜାନୀ ନିର୍ବାଚନ ଲଢିବେ । ୨୦୧୪ରେ ଗୁଣପୁର ବିଧାନସଭା ଆସନରୁ ତ୍ରିନାଥ ଗମାଙ୍ଗ ଏବଂ ଲକ୍ଷ୍ମୀପୁରରୁ ହେମା ଗମାଙ୍ଗ ନିର୍ବାଚନ ଲଢିଥିଲେ । ହେମା ଏହା ମଧ୍ୟରେ ବିଜେଡିରୁ ଇସ୍ତଫା ଦେଇ ସାରିଛନ୍ତି ।

ନବରଙ୍ଗପୁର
୨୦୧୯ରେ ନବରଙ୍ଗପୁର ବିଧାନସଭା ଆସନରୁ ସଦାଶିବ ପ୍ରଧାନୀ, ଡାବୁଗାଁରୁ ମନୋହର ରାନ୍ଧାରୀ, କୋଟପାଡରୁ ପଦ୍ମିନୀ ଡିଆଁନ ଏବଂ ଚିତ୍ରକୋଣ୍ଡାରୁ ପୂର୍ଣ୍ଣଚନ୍ଦ୍ର ସାକା ନିର୍ବାଚନ ଲଢିବାକୁ ଯାଉଛନ୍ତି । ୨୦୧୪ରେ ନବରଙ୍ଗପୁର ବିଧାନସଭା ଆସନରୁ ମନୋହର ରାନ୍ଧାରୀ, ଡାବୁ ଗାଁରୁ ମୋତିରାମ ନାୟକ, କୋଟପାଡରୁ ଅଶୋକ କୁମାର ପାଙ୍ଗୀ ଏବଂ ଚିତ୍ରକୋଣ୍ଡାରୁ ଡମ୍ବୁର ସୀସା ନିର୍ବାଚନ ଲଢିଥିଲେ ।

ଆସ୍କା
୨୦୧୯ରେ ଆସ୍କା ବିଧାନସଭା ଆସନରୁ ମଂଜୁଳା ସ୍ୱାଇଁ, କବି ସୂର୍ଯ୍ୟନଗରରୁ ଲତିକା ପ୍ରଧାନ ଏବଂ ଖଲ୍ଲିକୋଟରୁ କେ କେ ସୂର୍ଯ୍ୟମଣି ବୈଦ୍ୟ ନିର୍ବାଚନ ଲଢିବେ । ୨୦୧୪ରେ ଆସ୍କା ବିଧାନସଭା ଆସନରୁ ଲଢିଥିଲେ ଦେବରାଜ ମହାନ୍ତି, କବି ସୂର୍ଯ୍ୟନଗରରୁ ଭି ସୁଜ୍ଞାନୀ କୁମାରୀ ଦେଓ ଏବଂ ଖଲ୍ଲିକୋଟ ଆସନରୁ ପୂର୍ଣ୍ଣଚନ୍ଦ୍ର ସେଠୀ ଲଢିଥିଲେ ।

ବିଜେପୁର
ବିଜେପୁରରୁ ୨୦୧୯ରେ ଲଢିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୧୪ରେ ଏହି ଆସନରୁ ଲଢିଥିଲେ ପ୍ରସନ୍ନ ଆଚାର୍ଯ୍ୟ । ଏପରିକି ପରବର୍ତ୍ତୀ ସମୟରେ ହୋଇଥିବା ଉପନିର୍ବାଚନରେ ବିଜେଡିରୁ ରୀତା ସାହୁ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ । ୨୦୧୯ ବିଧାନସଭା ନିର୍ବାଚନରେ ଝାରସୁଗୁଡା ଆସନରୁ ଲଢିବେ ନବକିଶୋର ଦାସ । ନବ ଦାସ କିଛି ଦିନ ତଳେ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇଥିଲେ । ୨୦୧୪ରେ ଏହି ଆସନରୁ ଲଢିଥିଲେ କିଶୋର କୁମାର ମହାନ୍ତି ।

ଏହିଭଳି ଭାବେ ଘୋଷଣା ହୋଇଥିବା ୫୪ଟି ଆସନ ମଧ୍ୟରୁ ୨୭ଟି ଆସନରେ ପ୍ରାର୍ଥୀ ପରିବର୍ତ୍ତନ କରିଛନ୍ତି ବିଜେଡି ସୁପ୍ରିମୋ । ଖାସକରି ବିଜେଡି ସୁପ୍ରିମୋ ମହିଳା ଓ ଯୁବବର୍ଗଙ୍କ ଉପରେ ଗୁରୁତ୍ୱ ଦେଉଥିବାରୁ ଏହି ୨୭ ଆସନରେ ନୂଆ ମୁହଁ ସହ ଘୋଷଣା ହୋଇଥିବା ୫୪ ଆସନ ମଧ୍ୟରୁ ୧୦ ଜଣ ମହିଳାଙ୍କୁ ପ୍ରାର୍ଥୀ କରିଛି ଦଳ ।