ପଶ୍ଚିମ ଓଡିଶାରୁ ଲଢିବାକୁ ଯଦି ନବୀନ ଦିଅନ୍ତି ଗ୍ରୀନ୍ ସିଗନାଲ? ବିରୋଧୀ ଶିବିରରେ ପଶିବ ଛନକା, ଗୋଟିଏ ଷ୍ଟ୍ରୋକରେ ନବୀନ ମାରିବେ ଛକା !

365

କନକ ବ୍ୟୁରୋ : ନବୀନଙ୍କ ଗୋଟିଏ ପଦ କଥା ରାଜ୍ୟ ରାଜନୀତିରେ ହଲଚଲ ସୃଷ୍ଟି କରିଛି । ପଶ୍ଚିମ ଓଡ଼ିଶାରୁ ଲଢିବା ପାଇଁ ବିଜେଡି ସୁପ୍ରିମୋଙ୍କୁ ସ୍ଥାନୀୟ ନେତା ଅନୁରୋଧ କରିବା ଓ ନବୀନ ଏହା ଉପରେ ବିଚାର କରୁଥିବା କହିବା ପରେ ଏବେ ରାଜ୍ୟ ରାଜନୀତିରେ ନୂଆ ଅଙ୍କକଷା ଚାଲିଛି । ପଶ୍ଚିମ ଓଡିଶାରେ ବିଜେଡିର ସ୍ଥିତି ଦୁର୍ବଳ ହେଉଥିବା ବେଳେ ଏଠାରେ ଦଳକୁ ବଳ ଦେବାକୁ ଖୋଦ ନବୀନ ମୈଦାନକୁ ଓହ୍ଲାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଗୋଟିଏ ପଟେ ବିଜେପି ଓ କଂଗ୍ରେସ ପଶ୍ଚିମ ଓଡିଶାରେ ପତିଆରା ବୃଦ୍ଧି କରୁଥିବା ବେଳେ ଏଠାରେ ଉଭୟ ଦଳକୁ କାଉଣ୍ଟର କରିବାକୁ ଅପରାଜେୟ ନବୀନଙ୍କୁ ବଡ ବ୍ରହ୍ମାସ୍ତ୍ର ଭାବେ ପ୍ରୟୋଗ କରିପାରେ ବିଜେଡି । ପଶ୍ଚିମ ଓଡ଼ିଶାରୁ ଲଢିବାକୁ ବିଚାର କରୁଥିବା ନେଇ ନବୀନ ଗଣମାଧ୍ୟମରେ କହିବା ପରେ ଏଭଳି ଚର୍ଚ୍ଚା ଆରମ୍ଭ ହୋଇଛି ।

ନବୀନଙ୍କ ଏହି ବୟାନ ଏବେ ପୂରା ପଶ୍ଚିମ ଓଡିଶାର ନିର୍ବାଚନ ଗଣିତକୁ ଓଲଟପାଲଟ କରିଛି । ଯଦି ପଶ୍ଚିମ ଓଡିଶାରୁ ନିର୍ବାଚନ ଲଢିବାକୁ ନବୀନ ମନ ବଳାନ୍ତି ତେବେ ଏହା ବିରୋଧୀ ଶିବିରରେ ଛନକା ପୂରାଇବ । ପୂର୍ବରୁ ନବୀନଙ୍କ ଫୋକସରେ ରହି ଆସିଛି ପଶ୍ଚିମ ଓଡ଼ିଶା । ତେବେ ୨୦୧୯ ମହାସମରରେ ନବୀନଙ୍କ ପାଇଁ ପଶ୍ଚିମ ଓଡିଶା ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇ ପଡିଛି । କାରଣ ରାଜ୍ୟର ଅନ୍ୟ କ୍ଷେତ୍ର ଅପେକ୍ଷା ପଶ୍ଚିମ ଓଡିଶାରେ ବିଜେଡି ଅପେକ୍ଷାକୃତ ଦୁର୍ବଳ ରହିଛି । ପୂର୍ବ ନିର୍ବାଚନ କଥା ଯଦି ଦେଖିବା ତେବେ ୨୦୦୯ରେ ପଶ୍ଚିମ ଓଡିଶାର ୫ଟି ଲୋକସଭା ଆସନରୁ ୪ଟିରେ କଂଗ୍ରେସ ଓ ଗୋଟିଏ ଆସନରେ ବିଜେଡି ବାଜି ମାରିଥିଲା । ଏପରିକି ଏହା ଅଧିନରେ ଆସୁଥିବା ବିଧାନସଭା ଆସନ ଗୁଡିକରେ ବିଜେଡିର ପ୍ରଦର୍ଶନ ସେତିକି ଉତ୍ସାହଜନକ ନଥିଲା । ବିଜେଡି ୧୪ଟି ଆସନ ଜିତିଥିବା ବେଳେ ବିଜେପି ମାତ୍ର ୪ଟିରେ ବିଜୟ ହୋଇଥିଲା । ତେବେ କଂଗ୍ରେସ ୧୬ଟି ଆସନରେ ବିଜୟୀ ହେବା ସହ ପଶ୍ଚିମ ଓଡିଶା ଗଡରେ ନିଜର ଦବାଦବା ଦେଖାଇଥିଲା ।

୨୦୧୪ରେ ପଶ୍ଚିମ ଓଡ଼ିଶାର ଏହି ଆସନ ଗୁଡିକରେ ବଡ ପରିବର୍ତ୍ତନ ଦେଖିବାକୁ ମିଳିଥିଲା । କେବଳ ସୁନ୍ଦରଗଡ ଲୋକସଭା ଆସନକୁ ଛାଡିଦେଲେ ଅନ୍ୟ ୪ଟି ଲୋକସଭା ଆସନରେ ବିଜୟ ଧ୍ୱଜା ଉଡାଇଥିଲା ବିଜେଡି । ଲୋକସଭା ଭଳି ବିଧାନସଭା ଆସନରେ ମଧ୍ୟ ଜବରଦସ୍ତ ସଫଳତା ପାଇଥିଲା ବିଜେଡି । ମୋଟ ୩୫ଟି ଆସନରୁ ୨୦ଟିରେ ବିଜୟୀ ହୋଇଥିବା ବେଳେ କଂଗ୍ରେସ ଗଡ ଧୀରେ ଧୀରେ ଭୁଷୁଡିବା ଆରମ୍ଭ ହୋଇଥିଲା । ୧୬ଟି ଆସନରୁ ୪ଟି ଆସନକୁ ଖସି ଆସିଥିଲା କଂଗ୍ରେସ । କିନ୍ତୁ ବିଜେପି ୨୦୧୪ ନିର୍ବାଚନ ଠାରୁ ଲଗାତାର ଏଠାରେ ନିଜର ପତିଆରା ବୃଦ୍ଧି କରି ଆସୁଛି । ପୂରା ରାଜ୍ୟରେ ମୋଟ ୧୦ଟି ଆସନ ବିଜେପି ବିଜୟୀ ହୋଇଥିବା ବେଳେ କେବଳ ପଶ୍ଚିମ ଓଡିଶାର ୮ଟି ଆସନରେ ଗେରୁଆ ବାନା ଉଡାଇବାକୁ ସକ୍ଷମ ହୋଇଥିଲା ବିଜେପି ।

ଏହାଛଡା ଗତ ପଞ୍ଚାୟତ ନିର୍ବାଚନରେ ବିଜେପିର ପଶ୍ଚିମ ଓଡିଶାରେ ଯେଉଁଭଳି ପ୍ରଦର୍ଶନ ରହିଥିଲା ତାହା ନବୀନଙ୍କ ପାଇଁ ଚିନ୍ତାର କାରଣ ପାଲଟିଥିଲା । ତେବେ ବିଜେପୁର ଉପ-ନିର୍ବାଚନରେ ଦଳ ଏଠାରେ ବଡ ବିଜୟ ହାସଲ କରିବା ସହ ବିରୋଧୀଙ୍କୁ ଦେଇଥିଲା ଚେକମେଟ୍ । ଏପରିକି ସେତେବେଳେ ବିଜେପୁରର ବିକାଶର ଦାୟିତ୍ୱ ନବୀନ ନିଜ କାନ୍ଧ ଉପରକୁ ନେଇ ପଶ୍ଚିମ ଓଡିଶାବାସୀଙ୍କ ବିଶ୍ୱାସ ଜିଣିଥିଲେ । ଏହାପରେ ଚୁପ୍ ବସିନଥିଲେ ନବୀନ । ପଶ୍ଚିମ ଓଡିଶାକୁ ନୂଆ ଗଡ ରୂପେ ତୋଳିବାକୁ ସ୍ୱପ୍ନ ଦେଖୁଥିବା ବିଜେପିର ପତିଆରା ହ୍ରାସ କରିବାକୁ ଆରମ୍ଭ ହୋଇଥିଲା ବ୍ଲୁ-ପ୍ରିଣ୍ଟ । ନିର୍ବାଚନ ପୂର୍ବରୁ ବିରୋଧୀ ଶିବିରକୁ ବଡ ଝଟକା ଦେଇଥିଲେ ନବୀନ । କଂଗ୍ରେସ ଶିବିରର ପୁରୁଖା ସିପାହୀ ତଥା ଝାରସୁଗୁଡା ବିଧାୟକ ନବ ଦାସ ଓ ସୁନ୍ଦରଗଡ ବିଧାୟକ ଯୋଗେଶ ସିଂଙ୍କୁ ଦଳରେ ସାମିଲ କରି ପଶ୍ଚିମ ଓଡିଶା ଦଖଲ ଅଭିଯାନକୁ ଜୋର କରିଛି ବିଜେଡି । ତେବେ ପଶ୍ଚିମ ଓଡିଶାରେ କ୍ଲିନ୍ ସୁଇପ କରିବାକୁ ବିଜେଡି ଯେଉଁ ରଣନୀତି କରିଛି ତାହାର ମଙ୍ଗ ନବୀନଙ୍କ ହାତରେ ଦେଇ ଏହି ଅଭିଯାନକୁ ଆହୁରି ସହଜ କରିବାକୁ ଲକ୍ଷ୍ୟ ରଖିଛି ଦଳ ।

ଯଦି ନବୀନ ପଶ୍ଚିମ ଓଡିଶାରୁ ଲଢିବାକୁ ଗ୍ରୀନ୍ ସିଗନାଲ ଦିଅନ୍ତି ତେବେ ଅଧିକ କ୍ଷତିଗ୍ରସ୍ତ ହେବେ ବିରୋଧୀ । କାରଣ ଗୋଟିଏ ପଟେ କଂଗ୍ରେସ ଦୁର୍ଗ ଏଠାରେ ଦୋହଲିଯାଇଥିବା ବେଳେ ପଦ୍ମ ଫୁଟିବା ପୂର୍ବରୁ ଝଡି ଯିବା ଭଳି ସ୍ଥିତି ସୃଷ୍ଟି ହେବ । କାରଣ ପଶ୍ଚିମ ଓଡିଶାର ହେଭିୱେଟ ନେତା ଦିଲ୍ଲୀପ ରାୟ ଏହାମଧ୍ୟରେ ବିଜେପି ଛାଡିଥିବା ବେଳେ ଖୁବଶୀଘ୍ର ବିଜେଡିରେ ମିଶିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ସେହିଭଳି ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଝିଅ ଏହାମଧ୍ୟରେ ନବୀନଙ୍କ ଶିବିରରେ ଏଣ୍ଟ୍ରି କରି ସାରିଛନ୍ତି । ତେଣୁ ବିରୋଧୀ ଶିବିିରର ଏହିଭଳି କିଛି ଟାଣୁଆ ସିପାହୀଙ୍କୁ ନେଇ ସେନାପତି ନବୀନ ଯଦି ନିଜେ ପଶ୍ଚିମ ଓଡିଶାର ଯୁଦ୍ଧ ମୈଦାନକୁ ଓହ୍ଲାଇବେ ତେବେ ବିରୋଧୀ ଶିବିରରେ ହଡକମ୍ପ ସୃଷ୍ଟି ହେବ । କାରଣ ପୂର୍ବରୁ ନବୀନ ଗଞ୍ଜାମରୁ ଲଢି ଆସୁଥିବା ବେଳେ ଏହାର ଫାଇଦା ଉଠାଇଥିଲା ବିଜେଡି । ତେଣୁ ଏହାର ପୁନରାବୃତ୍ତି ପଶ୍ଚିମ ଓଡିଶାରେ ଦେଖିବାକୁ ମିଳିବ ବୋଲି ବିଜେଡିର କ୍ରାଇସିସ ମ୍ୟାନେଜର ଅନ୍ଦାଜ ଲଗାଇଛନ୍ତି । ଯାହାଦ୍ୱାରା ପୁଣିଥରେ ଶାସନ କ୍ଷମତାକୁ ଫେରିବାକୁ ବିଜେଡି ପାଇଁ ସହଜ ହେବ ।