ପୁରୀ ପଲିଟିକ୍ସ । ବିଜୟଧାରା ବଜାୟ ରଖିବାକୁ ପିନାକୀଙ୍କୁ ପୁଣି ପୁରୀ ମଙ୍ଗ ଧରାଇଲେ ବିଜେଡି ସୁପ୍ରିମୋ । ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ସହ ହେବ ସାମ୍ନାସାମ୍ନି ।

ବିଜେଡି ଗଡ଼ ବାଞ୍ଚାଇବାକୁ ପୁଣି ପିନାକୀଙ୍କୁ ଟିକେଟ୍

189

କନକ ବୁରୋ: ଶ୍ରୀକ୍ଷେତ୍ରରେ କିଏ ଦେଖାଇବ ଶକ୍ତି ? ବିଜେପି ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ରଙ୍କୁ ଟକ୍କର ଦେବା ପାଇଁ ପାର୍ଲାମେଣ୍ଟରୁ ପିନାକୀ ମିଶ୍ରଙ୍କୁ ଆଣି ପୁରୀ ଲୋକସଭା ପାଇଁ ଟିକେଟ୍ ଦେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଆସନ୍ତା ଏପ୍ରିଲ ୨୩ ତାରିଖରେ ହେବାକୁଥିବା ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ପୁରୀରେ ଦେଖିବାକୁ ମିଳିବ ମହାଲଢ଼େଇ । ପୂର୍ବରୁ ପୁରୀ ଲୋକସଭା ଆସନକୁ ଦଖଲ କରିବାକୁ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ମହାପାତ୍ରଙ୍କୁ ବାଛିଥିବାବେଳେ ନବୀନ ମଧ୍ୟ ପିନାକୀଙ୍କୁ ପୁଣି ଡାକରା ଦେଇ ପୁରୀ ମଙ୍ଗ ଧରାଇଛନ୍ତି ।

ନିର୍ବାଚନ ପୂର୍ବରୁ ଚର୍ଚ୍ଚାରେ ରହିଥିବା ଏହି ପୁରୀ ଲୋକସଭା କ୍ଷେତ୍ରରେ ଏବେ ହାଇଭୋଲଟେଜ ଲଢ଼େଇ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି । କାରଣ ଦୀର୍ଘ ୨୨ ବର୍ଷ ଧରି ବିଜେଡିର ଗଡ ହୋଇ ରହି ଆସିଥିବା ପୁରୀରେ ବଜେପି ସମ୍ବିତ ପାତ୍ରଙ୍କୁ ପ୍ରାର୍ଥୀ କରି ବଳକଷୁଛି । ଏପରିକି ସମ୍ବିତଙ୍କ ନାଁ ଘୋଷଣା ପରେ ସମ୍ବିତ ମଧ୍ୟ ପୁରୀରେ ସଂସଦୀୟ କ୍ଷେତ୍ରରେ ଜୋରଦାର ପ୍ରଚାର ଆରମ୍ଭ କରିଦେଇଛନ୍ତି । ବିଜେଡି ଗଡ଼କୁ ଦଖଲ କରିବା ପାଇଁ ମୋଦିଙ୍କ ଭିଜନ ନେଇ ପୁରୀ କ୍ଷେତ୍ର ଅଧିନରେ ଥିବା ବିଧାନସଭା କ୍ଷେତ୍ରରେ ବୁଲି ବୁଲି ପ୍ରାଣମୂର୍ଚ୍ଛା ପ୍ରଚାର ଉଦ୍ୟମରେ ଲାଗିପଡ଼ିଛନ୍ତି ସମ୍ବିତ ।

ସେପଟେ ବିଜେଡି ମଧ୍ୟ ପୁରୀ କାର୍ଡ଼ ଖୋଲିଛି । ପାର୍ଲାମେଣ୍ଟରୁ ପିନାକୀଙ୍କୁ ଡକାଇ ବିଜୟ ଧାରା ବଜାୟ ରଖିବାକୁ ଗୋଟିଚାଳନା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତେବେ ଉପକୂଳ ଓଡିଶାର ସମ୍ମାନଜନକ ଲୋକସଭା ଆସନ ମଧ୍ୟରେ ପୁରୀ ଅନ୍ୟତମ । ପୁରୀ ଜିଲ୍ଲାର ପୁରୀ, ସତ୍ୟବାଦୀ, ବ୍ରହ୍ମଗିରି, ପିପିଲି ଓ ନୟାଗଡ ଜିଲ୍ଲାର ରଣପୁର, ନୟାଗଡା, ଖୋର୍ଧା ଜିଲ୍ଲାର ଚିଲିକା ବିଧାନସଭା କ୍ଷେତ୍ରକୁ ନେଇ ଗଠିତ ପୁରୀ ଲୋକସଭା ଆସନରେ ଉଭୟ କଂଗ୍ରେସ ଓ ବିଜେଡି ନିଜର ଦବଦବା ଜାହିର କରି ଆସିଛନ୍ତି । ପୂର୍ବରୁ କଂଗ୍ରେସ ଏଠାରେ ୬ ଥର ବିଜୟ ହୋଇ ନିଜର ଦବଦବା ଜାହିର କରି ଆସିଛି । ଶେଷ ଥର ପାଇଁ କଂଗ୍ରେସ ୧୯୯୬ରେ ଏହି ଆସନ ଦଖଲ କରିଥିଲା । ସେତେବେଳେ କଂଗ୍ରେସକୁ ବିଜୟ ଦେଇଥିବା ପିନାକୀ ମିଶ୍ର ଏବେ ବିଜେଡି ଟିକେଟରେ ୨୦୦୯ ଓ ୨୦୧୪ରେ ବିଜୟୀ ହୋଇ କଂଗ୍ରେସକୁ ପରାଜୟର ବାଟ ଦେଖାଇଛନ୍ତି ।

ସବୁଠାରୁ ରୋଚକ ବିଷୟ ହେଲା ଯେ, ବିଜେଡି ଜନ୍ମ ହେବା ପରଠାରୁ ପୁରୀ ମୈଦାନରେ ପରାକ୍ରମ ଦେଖାଇ ଆସିଛି । ୧୯୯୮, ୧୯୯୯ ଓ ୨୦୦୪ରେ ଏହି ଆସନରେ ବିଜେଡି ଟିକେଟରେ ବ୍ରଜ କିଶୋର ତ୍ରିପାଠୀ ସାଂସଦ ଭାବେ ନିର୍ବାଚିତ ହୋଇ ଆସୁଥିଲେ । ତେବେ ଶଙ୍ଖ ଦଳରୁ ବ୍ରଜ ବିଦା ହେବା ପରେ ୧୯୯୬ ମସିହାରେ ପ୍ରଥମ ଥର ପାଇଁ ସାଂସଦ ହୋଇଥିବା ପିନାକୀ ମିଶ୍ର ଦଳବଦଳ କରି ବିଜେଡିରେ ମିଶିଥିଲେ । ୨୦୦୯ରେ ପ୍ରଥମ ଥର ପାଇଁ ପ୍ରାର୍ଥୀ ହେବା ସହ କଂଗ୍ରେସ ପ୍ରାର୍ଥୀଙ୍କୁ ମାତ୍ ଦେଇ ବିଜେଡି ଗଡକୁ ବଞ୍ଚାଇଥିଲେ । ଏହାପରେ ୨୦୧୪ରେ ମଧ୍ୟ ପୁରୀରେ ବିଜେଡିର ବିଜୟ ରଥକୁ ଆଗକୁ ନେଇଥିଲେ । ଆଉ ୨୦୧୯ରେ ଏହି ଧାରାକୁ ବଜାୟ ରଖିବା ସହ ହ୍ୟାଟ୍ରିକ ବିଜୟ ଲକ୍ଷ୍ୟରେ ରହିଛନ୍ତି ପିନାକୀ ।

ଅନ୍ୟପଟେ ବିଜେଡି ଓ ବିଜେପି କାର୍ଡ଼ ଖୋଲିଥିବାବେଳେ କଂଗ୍ରେସ ଉଭୟଙ୍କୁ ଟକ୍କର ଦେବାକୁ ଉପଯୁକ୍ତ ସେନାପତିଙ୍କୁ ଖୋଜୁଛି । କାରଣ ପୂର୍ବରୁ କଂଗ୍ରେସ ଏହି ଆସନରେ ନିଜର ଦବଦବା ଜାହିର କରି ଆସୁଥିବା ବେଳେ ପିନାକୀ ଦଳର ହାତ ଛାଡିବା ପରେ ସତେଯେମିତି ବନବାସକୁ ଚାଲିଯାଇଛି କଂଗ୍ରେସ । ତେବେ ପ୍ରତିଥର ବିଜେଡିକୁ କଡା ଟକ୍କର ଦେଇ ଆସୁଛି କଂଗ୍ରେସ । ପ୍ରତିଥର ପ୍ରାର୍ଥୀ ବଦଳାଉଥିଲେ ମଧ୍ୟ ଦଳକୁ ଏଯାଏଁ ମିଳିନି ସଫଳତା । କିନ୍ତୁ ଏଥର କଂଗ୍ରେସ ପୁଣିଥରେ କମବ୍ୟାକ୍ କରିବାକୁ ଲକ୍ଷ୍ୟ ରଖିଛି । କଂଗ୍ରେସରୁ ଗତଥର ପ୍ରାର୍ଥୀ ହୋଇଥିବା ସୁଚରିତା ମହାନ୍ତି, କଂଗ୍ରେସ କିଷାନ ସେଲ ଅଧ୍ୟକ୍ଷ ଅମୀୟ ପଟ୍ଟନାୟକ, ଆଇନଜୀବୀ ଜୟ ନାରାୟଣ ପଟ୍ଟନାୟକ ପ୍ରମୁଖ ଆଶାୟୀ ତାଲିକାରେ ରହିଛନ୍ତି । ତେବେ କାହାକୁ ଟିକେଟ ଦିଆଯିବ ସେନେଇ ଦଳ ନିଜର କାର୍ଡ ଖୋଲିନାହିଁ । ପୁରୀର ଏହି ଗୋଳମାଳିଆ ରାଜନୀତି ଭିତରେ ଆଗାମୀ ନିର୍ବାଚନରେ କେଉଁ ଦଳର ପଲା ଭାରି ରହିବ ତାହା ଉପରେ ସମସ୍ତଙ୍କର ନଜର ।