କନକ ବ୍ୟୁରୋ : ବିଜେଡିର ପ୍ରତିଷ୍ଠା ଦିବସକୁ ବଡ ଧରଣର ପାଳନ ପାଇଁ ନିଷ୍ପତ୍ତି ହୋଇଛି । ଆଉ ଏଥିପାଇଁ ଏବେଠୁ ଦଳ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି । ସବୁଠୁ ବଡ କଥା ହେଲା ବିଜେଡିର ପ୍ରତିଷ୍ଠା ଦିବସ ଅବସରରେ ବର୍ଷ ସାରା ବିଭିନ୍ନ କାର୍ଯ୍ୟକ୍ରମ କରିବା ପାଇଁ ନିଷ୍ପତ୍ତି ହୋଇଛି । ଆସନ୍ତା ୨୬ରେ ଦଳର ପ୍ରତିଷ୍ଠା ଦିବସରେ ବ୍ଲକ ସ୍ତରରୁ ରାଜ୍ୟସ୍ତରର ନେତା ଯୋଗ ଦେବେ । ବିଜେଡିର ଛାମୁଆ ସଙ୍ଗଠନର ଦାୟିତ୍ୱରେ ଥିବା ନେତା ମାନେ ନବୀନ ନିବାସରେ ଏକାଠି ହୋଇ ପ୍ରତିଷ୍ଠା ଦିବସ ବାବଦରେ ବିଷଦ ଭାବେ ଆଲୋଚନା କରିଛନ୍ତି । ଯେଉଁଥିରେ ପ୍ରତିଷ୍ଠା ଦିବସରୁ ଆରମ୍ଭ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ବାବଦରେ ଆଲୋଚନା ଶେଷ ହୋଇଛି । ଏପରିକି କାର୍ଯ୍ୟକ୍ରମ କେଉଁଠି ଆୟୋଜିତ ହେବ ସେନେଇ ପରେ ସୂଚନା ଦିଆଯିବ ବୋଲି କହିଛନ୍ତି ବିଜେଡି ନେତା ।
୧୯୯୭ରେ ଡିସେମ୍ବର ୨୬ରେ ବିଜେଡି ପ୍ରତିଷ୍ଠା ହୋଇଥିଲା । ଆଉ ୨୦୦୦ ମସିହାରେ ପ୍ରଥମଥର ପାଇଁ ସରକାର ଗଢିଥିଲା । ବିଜେପି ସହ ମେଣ୍ଟ କରି ନବୀନଙ୍କ ନେତୃତ୍ୱରେ ସରକାର ଗଢିଥିଲା ବିଜେଡି । ଆଉ ଏହାପରେ ନବୀନଙ୍କ ନେତୃତ୍ୱରେ ପଛକୁ ଫେରିନାହିଁ ବିଜେଡି । ୨୦୦୯ ପର୍ଯ୍ୟନ୍ତ ମେଣ୍ଟ ସରକାର ଓ ପରବର୍ତ୍ତୀ ସମୟରେ ଏକାକୀ ସରକାର ଗଢିବାରେ ସକ୍ଷମ ହୋଇଛି ବିଜେଡି । ଲଗାତାର ୫ଥର ପାଇଁ ସରକାର ଗଢିଛି ବିଜେଡି । ଏପରିକି ୨୦୨୪ରେ ଷଷ୍ଠ ଥର ପାଇଁ ପୁଣିଥରେ ଶାସନ ଗାଦିରେ ବସିବାକୁ ଏବେଠୁ ପ୍ରସ୍ତୁତି ଆରମ୍ଭ କଲାଣି ଦଳ । ତୃଣମୂଳସ୍ତରରେ ସଙ୍ଗଠନ ସୁଦୃଢ କରିବା ସହ ମିଶନ ୧୨୫ ଲକ୍ଷ୍ୟ ନେଇ ଆଗକୁ ବଢୁଛି ବିଜେଡି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/12/8a7a3491-786d-43b4-b183-eaa4301864a4.jpg)