କନକ ବ୍ୟୁରୋ : ୨୦୧୯ ନିର୍ବାଚନରେ ପଶ୍ଚିମଓଡିଶା ବିଜେଡି ହାତରୁ ଖସି ଯାଇଥିଲା । ପଶ୍ଚିମଓଡିଶାରେ ଥିବା ୫ଟି ଯାକ ସଂସଦୀୟ କ୍ଷେତ୍ରରେ ବିଜୟୀ ହୋଇଥିଲା ବିଜେପି । କିନ୍ତୁ ପଶ୍ଚିମଓଡିଶାରେ ଥିବା ୩୫ଟି ବିଧାନସଭା ଆସନରୁ ୨୫ଟି ଆସନରେ ଜିତିଥିଲା ବିଜେଡି । ଏତେ ସଂଖ୍ୟକ ବିଧାୟକ ଜିତିଥିଲେ ବି କାହିଁକି ଲୋକସଭା ଭୋଟରେ ପ୍ରତିଫଳନ ହୋଇନଥିଲା, ତାକୁ ନେଇ ଦଳ ଅନେକ ସମୟରେ ମାନସ ମନ୍ଥନ କରିଛି । ଶୁକ୍ରବାର କାର୍ଯ୍ୟକାରିଣୀ ସରିବା ପରେ ବିଜେଡିର ପଶ୍ଚିମଓଡିଶାର ଟାଣୁଆ ନେତାଙ୍କୁ ନବୀନ ନିବାସ ଡକାଯାଇ ସଂଗଠନ ସଂକ୍ରାନ୍ତରେ ଆଲୋଚନା କରିଛନ୍ତି ସୁପ୍ରିମୋ । ଶଂଖ ଭବନରେ ମଧ୍ୟ ତୁଂଗ ନେତାଙ୍କୁ ଡକା ଯାଇ ଆଲୋଚନା ହୋଇଛି ।

Advertisment

ପଶ୍ଚିମ ଓଡିଶାକୁ ନେଇ ବିଜେଡି ଯୋଜନା ପ୍ରସ୍ତୁତ କରୁଥିବାବେଳେ ଡିସେମ୍ବର ଶେଷ ସପ୍ତହକୁ ପଶ୍ଚିମଓଡିଶା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୁହାଯାଉଛି, ନବୀନ ପଟ୍ଟନାୟକ ଏହି ଗସ୍ତ ସମୟରେ ପଶ୍ଚିମ ଓଡିଶାକୁ କିଛି ବଡ ଭେଟି ଦେଇ ଲୋକଙ୍କ ମନ ଜିଣିପାରନ୍ତି । ଏପରିକି ଚର୍ଚ୍ଚା ହେଉଛି, ନବୀନ ବଡ ବଡ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଦଘାଟନ ସହ କିଛି ବଡ ପ୍ରତିଶ୍ରୁତି ଦେଇ ପାରନ୍ତି । ପଦ୍ମପୁରକୁ ସ୍ୱତନ୍ତ୍ର ଜିଲ୍ଲା ଭାବେ ଘୋଷଣା କରିପାରନ୍ତି ।

ସମ୍ବଲପୁରରେ ଧର୍ମେନ୍ଦ୍ର ପ୍ରଧାନ ନିର୍ବାଚନ ଲଢ଼ିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଆଉ ଯଦି ଏହି ଚର୍ଚ୍ଚା ଠିକ୍ ହୁଏ ତାହେଲେ, ଏହା ପଶ୍ଚିମଓଡିଶାର ଭୋଟରଙ୍କ ଉପରେ ବଡ ପ୍ରଭାବ ପକାଇବ ବୋଲି କୁହାଯାଉଛି । ସେହିପରି ଛତିଶଗଡରେ ବିଜେପି ବିଜୟୀ ହେବା ପରେ, ତାର ପ୍ରଭାବ ମଧ୍ୟ ପଡିବ ବୋଳି ଆଲୋଚନା ହେଉଛି । ତେଣୁ ନିର୍ବାଚନ ପୂର୍ବରୁ ବିଜେଡି ଏହି ଅଂଚଳ ଉପରେ ଫୋକସ କରିବାକୁ ଯୋଜନା କରିଛି ।