କନକ ବ୍ୟୁରୋ: ନିର୍ବାଚନ ବେଳେ ମିଠା ମିଠା ପ୍ରତିଶ୍ରୁତିକୁ ସଜାଇ ଭୋଟରଙ୍କ ନିକଟକୁ ଯାଇଥାନ୍ତି ରାଜନୈତିକ ଦଳ । ବିଜେଡି ହେଉ କି ବିଜେପି, କଂଗ୍ରେସ ହେଉ କି ଅନ୍ୟ ରାଜନୈତିକ ଦଳ ସମସ୍ତେ ଦେଇଥାନ୍ତି ଲୋଭନୀୟ ଅଫର । ଆଉ ଭୋଟରଙ୍କୁ ନିଜ ଆଡକୁ ଟାଣିବା ପାଇଁ ଖୋଲି ଦେଇଥାନ୍ତି ପ୍ରତିଶ୍ରୁତିର ଭଣ୍ଡାର ।

  • ‘ପ୍ରତିଶ୍ରୁତି’ ପାଇଁ ପ୍ରସ୍ତୁତି
  • ୫ ବର୍ଷ ପାଇଁ ପ୍ରତିଶ୍ରୁତି ଦେବେ ଦଳ!

ନିର୍ବାଚନୀ ପ୍ରତିଶ୍ରୁତି ପାଇଁ ଶଙ୍ଖ ଭବନରେ ବସିଛି ବିଜେଡିର ପ୍ରଥମ ଇସ୍ତାହାର କମିଟି ବୈଠକ । ୨୦୨୪ ନିର୍ବାଚନୀ ଇସ୍ତାହାରରେ ରାଜ୍ୟବାସୀଙ୍କୁ କି କି ପ୍ରତିଶ୍ରୁତି ଦେବ ଆରମ୍ଭ ହୋଇଛି ମାନସ ମନ୍ଥନ । ନୂଆ ଘୋଷଣା, ନୂଆ ଯୋଜନା ଆଣିବାକୁ ଯାଉଛି ଦଳ । ସବୁ ବର୍ଗକୁ ସନ୍ତୁଷ୍ଟ କରିବା ପାଇଁ ବିଜେଡି ଇସ୍ତାହାର କମିଟି ଜୋରଦାର କସରତ ଚଳାଇଛି । ସୂଚନା ମିଳିଛି, ଏଥର ବିଜେଡି ତା’ର ଇସ୍ତାହାରରେ ଯୁବ, ଛାତ୍ର ଓ ମହିଳାଙ୍କୁ ଅଧିକ ଗୁରୁତ୍ୱ ଦେବ ।

୨୦୨୪ରେ କି ପ୍ରତିଶ୍ରୁତି ଦେଇପାରେ ବିଜେଡି?

  • ଯୁବବର୍ଗକୁ ସନ୍ତୁଷ୍ଟ କରିବାକୁ ଆଣିପାରେ ଯୁବ ବଜେଟ୍
  • ସ୍ମାର୍ଟ କାର୍ଡ ଜରିଆରେ ଛାତ୍ର/ଛ୍ରାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା
  • ମହିଳା ସଶକ୍ତିକରଣ ପାଇଁ ନୂଆ ଘୋଷଣା
  • କୃଷକଙ୍କ ଆୟ ବଢ଼ାଇବା ପାଇଁ ଯୋଜନା
  • ପର୍ଯ୍ୟଟନ ବିକାଶ ପାଇଁ ସ୍ୱତନ୍ତ୍ର ବ୍ଲୁ-ପ୍ରିଂଟ

ନଜର ପକାନ୍ତୁ ୨୦୧୯ରେ କି କି ପ୍ରମୁଖ ପ୍ରତିଶ୍ରୁତି ଦେଇଥିଲା ବିଜେଡି ?

୨୦୧୯: ବିଜେଡିର ଇସ୍ତାହାର

  • କଟକ-ଭୁବନେଶ୍ୱର ମଧ୍ୟରେ ଚାଲିବ ମେଟ୍ରୋ ଟ୍ରେନ୍
  • ଶିଳ୍ପ ସଂସ୍ଥାରେ ନିଯୁକ୍ତି କ୍ଷେତ୍ରରେ ଓଡିଆଙ୍କୁ ୭୫% ସଂରକ୍ଷଣ
  • ବିଶ୍ୱସ୍ତରୀୟ ଦକ୍ଷତା ବିକାଶ କେନ୍ଦ୍ର ସ୍ଥାପନ
  • ଶିକ୍ଷା, ସ୍ୱାସ୍ଥ୍ୟ, ମହିଳା, ଚାଷୀ ଓ ଯୁବ ବର୍ଗଙ୍କ ଉପର ଫୋକସ
  • ୟୁଜିରୁ ପିଜି ପର୍ଯ୍ୟନ୍ତ ଝିଅ ପିଲାଙ୍କୁ ମାଗଣା ଶିକ୍ଷା
  • ବିନା ସୁଧରେ ଶିକ୍ଷା ଋଣ
  • ଦକ୍ଷିଣରୁ ଉତ୍ତର, ପୂର୍ବରୁ ପଶ୍ଚିମ ଓଡିଶାକୁ ଯୋଡିବା ପାଇଁ ବିଜୁ ଏକ୍ସପ୍ରେସ-ୱେ
  • ୧ ଲକ୍ଷ ଟଙ୍କା ଯାଏଁ ବିନା ସୁଧରେ କୃଷି ଋଣ
  • ଏସଏଚଜିକୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ସହାୟତା

କିଛି ପ୍ରତିଶ୍ରୁତି ପୂରଣ ହୋଇଛି, କିଛି ପ୍ରତିଶ୍ରୁତି ଅଧା ରହିଛି । ୨୦୧୯ ମେଟ୍ରୋ ଟ୍ରେନ ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା । ହେଲେ ୨୦୨୪ରେ ଏଥିପାଇଁ ପ୍ରକ୍ରିୟା ଚୂଡ଼ାନ୍ତ ହୋଇଛି । ଏବେଠାରୁ କାମ ହେଲେ, ୨୦୨୭ ବେଳକୁ ସରିପାରେ ଏହି ପ୍ରକଳ୍ପ ।

ଏଥର ୩୮ ଜଣିଆ ଇସ୍ତାହାର କମିଟି ଗଠନ କରିଛି ବିଜେଡି । ସାଂସଦ ଚନ୍ଦ୍ରଶେଖର ସାହୁ କମିଟିର ଅଧ୍ୟକ୍ଷ ରହିଥିବା ବେଳେ ଦଳର ଉପସଭାପତି ଦେବୀପ୍ରସାଦ ମିଶ୍ରଙ୍କ ସମେତ ପ୍ରତାପ ଦେବ, ସୁଦାମ ମାର୍ଣ୍ଡି, ମଙ୍ଗଳା କିଷାନ, ପଦ୍ମନାଭ ବେହେରା ସହ ମୋଟ୍ ୭ ଜଣ ସହ-ଅଧ୍ୟକ୍ଷ ରହିଛନ୍ତି । ଅମର ପଟ୍ଟନାୟକଙ୍କୁ ଆବାହକ ଦାୟତ୍ୱ ଦିଆଯାଇଛି । ଏହି କମିଟିର ପରାମର୍ଶ ଆଧାରରେ ଇସ୍ତାହାର ପ୍ରସ୍ତୁତ କରାଯିବ ।