ବିଜେଡି ଏକାକୀ ଲଢିବ, ବହୁ ଆସନରେ ଜିତିବ । ମେଣ୍ଟର ନାହିଁ ଆବଶ୍ୟକତା,  ମେଣ୍ଟ ଚର୍ଚ୍ଚା ଭିତରେ ବଡ ବୟାନ ରଖିଲେ ବରିଷ୍ଠ ବିଜେଡି ବିଧାୟକ ନୃସିଂହ ସାହୁ । 

298

କନକ ବ୍ୟୁରୋ :  ବିଜେପି-ବିଜେଡି ମେଣ୍ଟକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଥିବା ବେଳେ ମୁହଁ ଖୋଲିଛନ୍ତି ବରିଷ୍ଠ ବିଜେଡି ବିଧାୟକ ନୃସିଂହ ସାହୁ । ଗଣମାଧ୍ୟମକୁ ସୂଚନା ଦେଇ ନୃସିଂହ କହିଛନ୍ତି, ମେଣ୍ଟକୁ ନେଇ ବିଭିନ୍ନ ଲୋକ ବିଭିନ୍ନ ପ୍ରକାର କଥା କହୁଛନ୍ତି । କିନ୍ତୁ ମେଣ୍ଟ ହେବାର କୌଣସି ସମ୍ଭାବନା ଥିବା ନେଇ ଆଭାସ ପାଇନଥିବା କହିଛନ୍ତି ନୃସିଂହ । ବିଜେଡି ଏକାକୀ ଲଢିବ ଏବଂ ବହୁ ସଂଖ୍ୟାରେ ଜିତିବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି । ତେଣୁ ମେଣ୍ଟର ଆବଶ୍ୟକତା ନଥିବା କହିଛନ୍ତି ନୃସିଂହ ।

ଏହାସଡ ଟିକେଟ ବଣ୍ଟନକୁ ନେଇ ନୃସିଂହ କହିଛନ୍ତି, ସବୁଥର ଟିକେଟ ପାଇଁ ଲମ୍ବା ଧାଡି ଲାଗେ । ସବୁଥର ଏହାର ସମାଧାନ ହୁଏ । ଯେତେଜଣ ଆବେଦନ କଲେ ମଧ୍ୟ ଟିକେଟ ମାତ୍ର ୧୬୮ ଜଣ ପାଇବେ । ତେଣୁ ଯେଉଁମାନେ ଟିକେଟ ପାଇବେନି ସେମାନଙ୍କ ସହ ଆଲୋଚନା କରାଯାଇ ଉପଯୁକ୍ତ ଆଶାୟୀଙ୍କୁ ବିଭିନ୍ନ ସ୍ଥାନରେ ଥଇଥାନ କରିବାକୁ ଦଳ ନିଷ୍ପତ୍ତି ନେବ । ପ୍ରାର୍ଥୀଙ୍କ ଜିତିବା ସମ୍ଭାବନାକୁ ଦେଖି ପ୍ରାର୍ଥୀ ଫାଇନାଲ କରାଯିବ । ବିଜେଡିରେ ପୂର୍ବରୁ ଟିକେଟ ବଣ୍ଟନ ଟିକେ ବିଳମ୍ବ ହୁଏ କିନ୍ତୁ ଏଥର ଟିକେଟ ବଣ୍ଟନ ଶୀଘ୍ର ହେବ ବୋଲି ଆଶା ଥିବା କହିଛନ୍ତି ନୃସିଂହ ।

ଅନ୍ୟପଟେ ମେଣ୍ଟ ଚର୍ଚ୍ଚାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ବିଜେପି ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର । କହିଛନ୍ତି ମେଣ୍ଟ ହେବ କି ନାହିଁ, ତାହା କେନ୍ଦ୍ରର ନିଷ୍ପତି । କେନ୍ଦ୍ର ଯାହା ନିଷ୍ପତି ନେବ ଆମେ ସେଥିରେ ସହମତି ଦେବୁ । ଭୁବଶ୍ୱେର ବିମାନ ବନ୍ଦରରେ ପହଞ୍ଚିବା ପରେ ପ୍ରତିକ୍ରିୟା ଦେଇ କହିଛନ୍ତି, ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର ୨ରୁ ୩ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇପାରେ । ରାଜ୍ୟରେ ବିଧାନସଭା ଓ ଲୋକସଭାରେ ବିଜେପି ବହୁମତ ପାଇବ ବୋଲି ବିଜୟପାଲ ସିଂ ତୋମାର ଦୃଢୋକ୍ତି ପ୍ରକାଶ କରିଛନ୍ତି । କେନ୍ଦ୍ର ସରକାରଙ୍କ ସବୁ ଯୋଜନା ତୃଣମୂଳସ୍ତରରେ ପହଂଚାଇବା ପାଇଁ ପ୍ରୟାସ କରାଯାଉଛି ବୋଲି କହିଛନ୍ତି ବିଜୟପାଲ ।