କନକ ବ୍ୟୁରୋ : ବିଜେଡିରୁ ବହିଷ୍କୃତ ହେଲେ ରାଜେନ୍ଦ୍ର ଦାସ । ଦଳବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ରାଜୁ ଦାସଙ୍କୁ ବହିଷ୍କାର କରିଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ଚଳିତ ଧାମନଗର ଉପ-ନିର୍ବାଚନରେ ଦଳୀୟ ଟିକେଟ ନ ମିଳିବା ପରେ ସ୍ୱାଧୀନ ପ୍ରାର୍ଥୀ ଭାବେ ମୈଦାନକୁ ଓହ୍ଲାଇଛନ୍ତି ରାଜୁ ଦାସ । ଦଳର ମୁଖିଆଙ୍କ ନିଷ୍ପତ୍ତି ବିରୋଧରେ ଯାଇ ସ୍ୱାଧୀନ ପ୍ରାର୍ଥୀ ହୋଇଥିବାରୁ ଏହାକୁ ଦଳବିରୋଧୀ କାର୍ଯ୍ୟ ଭାବେ ଗ୍ରହଣ କରାଯାଇଛି । ଆଉ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ରାଜୁଙ୍କୁ ଦଳରୁ ବହିଷ୍କାର କରାଯାଇଛି ।

Advertisment

ରାଜେନ୍ଦ୍ର ଦାସ ୨୦୦୯ରୁ ୨୦୧୪ ଯାଏଁ ଧାମନଗର ଆସନରୁ ବିଜେଡିର ବିଧାୟକ ରହିଥିବା ବେଳେ ୨୦୧୪ରେ ଟିକେଟ ପାଇନଥିଲେ । ୨୦୧୯ରେ ପୁଣିଥରେ ପ୍ରାର୍ଥୀ ହୋଇଥିଲେ ମଧ୍ୟ ନିର୍ବାଚନୀ ମୈଦାନରେ ମାତ୍ ଖାଇଥିଲେ ରାଜେନ୍ଦ୍ର ଦାସ । ପରେ ବିଜେପି ବିଧାୟକ ବିଷ୍ଣୁ ଦାସଙ୍କ ଦେହାନ୍ତ ପରେ ଖାଲି ପଡିଥିବା ଧାମନଗର ଆସନରେ ଉପ-ନିର୍ବାଚନ ପାଇଁ ବାଜିଥିଲା ବିଗୁଲା । ଆଉ ସେତେବେଳେ ବିଜେଡି ଟିକେଟ ପାଇଁ ଆଶାୟୀ ଥିଲେ ରାଜୁ । କିନ୍ତୁ ଦଳ ରାଜୁଙ୍କ ବଦଳରେ ଅବନ୍ତୀ ଦାସଙ୍କୁ ପ୍ରାର୍ଥୀ କରିଥିଲା । ଏପରିକି ଅବନ୍ତୀଙ୍କୁ ସହଯୋଗ କରିବାକୁ ମଧ୍ୟ ରାଜୁ ଗଣମାଧ୍ୟମ ସାମ୍ନାରେ କହିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ନିଜ ଆଭିମୁଖ୍ୟ ବଦଳାଇ ଦଳୀୟ ପ୍ରାର୍ଥୀଙ୍କ ବିରୋଧରେ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଥିଲେ । ଯାହାର କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଦଳବିରୋଧୀ କାର୍ଯ୍ୟ ପାଇଁ ରାଜୁଙ୍କୁ ବିଜେଡିରୁ ବହିଷ୍କାର କରିଛନ୍ତି ଦଳର ମୁଖ୍ୟ ନବୀନ ପଟ୍ଟନାୟକ ।