କଂଗ୍ରେସ ହେଉ କି ବିଜେପି ସରକାର…? କେନ୍ଦ୍ରରେ କାହାକୁ ଭୟ କରେନି ବିଜେଡି ।

160

କନକ ବ୍ୟୁରୋ : ବାରମ୍ବାର ଗୃହ ମୁଲତବୀକୁ ନେଇ ବିରୋଧୀଙ୍କ ଉପରେ ବର୍ଷିଛନ୍ତି ସରକାରୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ଗୃହ ବାରମ୍ବାର ମୁଲତବୀ ପାଇଁ ବିରୋଧୀ ଦଳକୁ ଦାୟୀ କରିଛନ୍ତି ପ୍ରମିଳା । ଗୃହରେ ସବୁ ପ୍ରସଙ୍ଗରେ ଆଲୋଚନା କରିବାକୁ ସରକାର ପ୍ରସ୍ତୁତ । କିନ୍ତୁ ବିରୋଧୀ ଦଳ ଗୋଟିଏ ଲେଖାଏଁ ପ୍ରସଙ୍ଗ ଧରି ଆଲୋଚନା କରିବାକୁ ଜିଦ୍ ଧରୁଛନ୍ତି, ଯାହାଦ୍ୱାରା ଅନ୍ୟ ପ୍ରସଙ୍ଗ ବାବଦରେ ଆଲୋଚନା ହୋଇପାରୁନାହିଁ । ୧୪୭ ନିର୍ବାଚନମଣ୍ଡଳୀ ରହିଛି, ଚାଷୀଙ୍କ ଠାରୁ ଆରମ୍ଭ କରି ପାନୀୟ ଜଳ ସମସ୍ୟା ରହିଛି । କିନ୍ତୁ ବିରୋଧୀ ଗୋଟିଏ ପ୍ରସଙ୍ଗ ଧରି ବସୁଛନ୍ତି, ଯାହା ଅଞ୍ଚଳର ସମସ୍ୟା ବାବଦରେ କୌଣସି ଆଲୋଚନା ହୋଇପାରୁନି କି ଏହାର ସମାଧାନ ହୋଇପାରୁନି । ସବୁବେଳେ କଣ ବିରୋଧୀଙ୍କ କଥାରେ ଗୃହ ଚାଲିବ କି?

ବାଚସ୍ପତିଙ୍କ ରୁଲିଂକୁ ମାନି ଗୃହ ଚଳାଇବାକୁ ଚେଷ୍ଟା କଲେ ମଧ୍ୟ ବିରୋଧୀ ଚଲାଇ ଦେଉନାହାନ୍ତି । ଚାଷୀଙ୍କୁ ସାର ମିଳୁନି ସେ ପ୍ରସଙ୍ଗରେ ବିରୋଧୀ ଆଲୋଚନା କରିବାକୁ ପ୍ରସ୍ତୁତ ହେଉନାହାନ୍ତି । ନିଜ ଦୋଷ ଘୋଡାଇବାକୁ ନାଟକ କରୁଛନ୍ତି ବିରୋଧୀ । ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ ଆବଶ୍ୟକସ୍ଥଳେ ସିଂହ ଓ ବାଘର ଭୂମିକା ନେଇ ଗର୍ଜନ କରିଛୁ । ସାଧାରଣ ଲୋକଙ୍କ ସ୍ୱାର୍ଥଙ୍କୁ ଦୃଷ୍ଟିରେ ରଖି ସବୁ ପ୍ରକାର ଗର୍ଜନ କରିଛି ବିଜେଡି । କେନ୍ଦ୍ରକୁ ଭୟ କରିବାର ପ୍ରଶ୍ନ ଉଠୁନି । କଂଗ୍ରେସ ସରକାରରେ ଥିବା ବେଳେ ନା କେନ୍ଦ୍ରକୁ ଭୟ କରିଥିଲୁ ନା ଏବେ ବିଜେପି ସରକାରକୁ ଆମେ ଭୟ କରୁଛୁ ବୋଲି କହିଛନ୍ତି ପ୍ରମିଳା । ଏମଏସପି ବୃଦ୍ଧି ଓ ଚାଷୀଙ୍କୁ ସାର ଯୋଗାଇଦେବା ପ୍ରସଙ୍ଗରେ ବିଧାନସଭାର ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଛି ଶାସକ ବିଜେଡି ।

ପ୍ରମିଳାଙ୍କ ଏଭଳି ଅଭିଯୋଗକୁ ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି, ଗୃହରେ ଖଣି ଦୁର୍ନୀତି ପ୍ରସଙ୍ଗ ଆସିଥିଲେ ବି ବାଚସ୍ପତି ସରକାରୀ ଦଳ ଚାପରେ ଅଗଣତନ୍ତ୍ରିକ ଭାବେ ଅଗ୍ରାହ୍ୟ କରିଦେଲେ। ଓଡିଶାକୁ ଯେଉଁ ରାଜସ୍ୱ ମିଳିବା କଥା ମିଳୁନି । ଉଚ୍ଚମାନର ଲୁହାପଥରକୁ ନିମ୍ନ ମାନର କରି ଖଣି ମାଫିଆ ଚକ୍ରାନ୍ତ କରି ଲୁଟ କରିଛନ୍ତି। ଯଦି ଦୁର୍ନୀତି ହୋଇନି ତେବେ ସରକାର ଆଲୋଚନାକୁ ଆସନ୍ତୁ। ଖଣି ଦୁର୍ନୀତି ଲୁଚେଇବାକୁ ଚାଷୀଙ୍କ କଥା ଉଠାଇ କୁମ୍ଭୀର କାନ୍ଦଣା କାନ୍ଦୁଛି ବିଜେଡି। ଖଣି ଦୁର୍ନୀତିରୁ ବର୍ତ୍ତିବା ପାଇଁ ବିଜେଡି ଏପରି କରୁଛି।

ଆଉ ବିଜେଡିର ଏଭଳି ଆଭିମୁଖ୍ୟକୁ ନେଇ କଂଗ୍ରେସ ପ୍ରଶ୍ନ ଉଠାଇଛି । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ କହିଛନ୍ତି ଖଣି ଦୁର୍ନୀତି ତାତିରୁ ବର୍ତ୍ତିବା ପାଇଁ ଏବେ କେନ୍ଦ୍ର ଅବହେଳା କଥା କହି ନାଟକ ବାଜି କରୁଛି ବିଜେଡି । ଖଣି ଦୁର୍ନୀତି କଥା ଉଠିଲା ମାତ୍ରେ ଶାସକ ଦଳର କେନ୍ଦ୍ରର ବୈମାତୃକ ମନୋଭାବ କଥା ମନେପଡେ । ଯେଉଁଠି ସ୍ୱର ଉତ୍ତୋଳନ କରିବା କଥା ସେଠି ବିଜେଡି ଦଳକୁ ଖୋଜିଲେ ମିଳୁନାହିଁ । ଯଦି ବାସ୍ତବରେ ଚାଷୀଙ୍କ ପ୍ରତି ଆନ୍ତରିକତା ରହିଛି ତେବେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କା ଦେଇ ରାଜ୍ୟ ସରକାର କାହିଁକି କିଣୁନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ନରସିଂହ।