ଜାତିଭିିତିକ ଜନଗଣନା ପାଇଁ ବିଜେଡିର ଦାବି : ଚର୍ଚ୍ଚାକୁ ଆସିଲା ୩୧ ବର୍ଷ ତଳର ବିଜୁ ବାବୁଙ୍କ ପ୍ରେସ୍ କନଫରେନ୍ସ

ସେ କହିଥିଲେ ଜାତିଆଣ ରାଜନୀତିରେ ମାତିଛନ୍ତି ଭି.ପି ସିଂ; ଚିଠିରେ ଜୋର ଦେଇ ଲେଖିଥିଲେ 'ଗରିବର ଜାତି ନାହିଁ'

281

କନକ ବ୍ୟୁରୋ : ଜାତିଭିତିକ ଜନଗଣନା ପାଇଁ ବିଜୁ ଜନତା ଦଳର ଦାବି ପରେ ସାରା ରାଜ୍ୟରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ବିଜେଡ଼ି ଦାବି କରିଛି ଯେ, କେଉଁ ଜାତିର କେତେ ଲୋକ ଅଛନ୍ତି ତାହାର ଗଣନା କରାଯାଉ । ଏହା ଦ୍ୱାରା ସେମାନଙ୍କୁ ନ୍ୟାୟ ଦେଇ ହେବ ବୋଲି ଯୁକ୍ତି ବାଢିଛନ୍ତି ସରକାରଙ୍କ ମନ୍ତ୍ରୀମାନେ । କିନ୍ତୁ ଆମେ ଆପଣଙ୍କୁ ଅଗଷ୍ଟ ୩୦ ତାରିଖ ୧୯୯୦ ମସିହାକୁ ଫେରାଇ ନେବାକୁ ଚାହୁଁଛୁ । ୩୧ ବର୍ଷ ତଳର ଗୋଟିଏ ଖବରର ପ୍ରାସଙ୍ଗିକତା ଆଜିର ଦିନରେ ମଧ୍ୟ ରହିଛି ।

୧୯୯୦ ମସିହାରୁ ୯୫ ମସିହା ପର୍ଯ୍ୟନ୍ତ ବିଜୁ ବାବୁ ଓଡିଶାର ମୁଖ୍ୟମନ୍ତ୍ରୀ ଥିଲେ । ଆଉ ତାଙ୍କ ସମୟରେ ଜାତିକୁ ନେଇ ସବୁଠାରୁ ବଡ ରାଜନୀତି ଆରମ୍ଭ ହୋଇଥିଲା । ଯେତେବେଳେ ପ୍ରଧାନମନ୍ତ୍ରୀ ଭିପି ସିଂହ ମଣ୍ଡଳ କମିଶନ ସୁପାରିଶକୁ ଗ୍ରହଣ କରିଥିଲେ । ଆଉ ବିଜୁବାବୁ ତତ୍କାଳିନ ଜନତା ଦଳର ଜଣେ ତୁଙ୍ଗ ନେତା ହୋଇଥିବା ସତ୍ୱେ ପ୍ରଧାନମନ୍ତ୍ରୀଙ୍କୁ ବିରୋଧ କରିଥିଲେ । ଅଗଷ୍ଟ ୨୯ ତାରିଖରେ ସେ ଯେଉଁ ପ୍ରେସକନଫରେନ୍ସ କରିଥିଲେ ତା’ପର ଦିନ ଏହା ଖବର କାଗଜର ଶିରୋନାମାରେ ପ୍ରକାଶ ପାଇଥିଲା । ଆଉ ଏହି ଶିରୋନାମାଟି ଥିଲା ବିଜୁ ବାବୁ କହିଲେ ଭିପି ଜାତିଆଣ ରାଜନୀତିରେ ମାତିଛନ୍ତି । ଭିପି ଅର୍ଥାତ୍ ତତ୍କାଳିନ ପ୍ରଧାନମନ୍ତ୍ରୀ ବିଶ୍ୱନାଥ ପ୍ରତାପ ସିଂ ।

ଆଜିର ଦିନରେ ଯେତେବେଳେ ଜାତିଗଣନା ପାଇଁ ବିଜେଡି ଦାବି କରୁଛି, ଯେତେବେଳେ ୫୦ ପ୍ରତିଶତ ସଂରକ୍ଷଣ ସୀମାକୁ ଉଠାଇ ଆଇନରେ ପରିବର୍ତ୍ତନ ଆଣିବା ପାଇଁ ଦାବି କରୁଛି, ଆଉ ଜାତିଭିତିରେ ରିଜରଭେସନ ପାଇଁ ଏକ ବଡ ଧରଣର ଜନ ଆନ୍ଦୋଳନ ପାଇଁ ପ୍ରସ୍ତୁତ ହେଉଛି, ସେତେବେଳେ ବିଜୁ ବାବୁଙ୍କ ଏହି ଆଭିମୁଖ୍ୟ ଚର୍ଚ୍ଚାକୁ ଆସିବା ସ୍ୱଭାବିକ । ଅଗଷ୍ଟ ୩୦ ତାରିଖରେ ବିଜୁ ବାବୁଙ୍କ ପ୍ରେସକନଫରେନ୍ସ ସମ୍ପର୍କରେ ଖବର ଦୈନିକ ଖବର କାଗଜ ସମ୍ବାଦରେ ପ୍ରକାଶ ପାଇଥିଲା । ବିଜୁବାବୁ ସ୍ପଷ୍ଟ ଭାବରେ କହିଥିଲେ ଅନଗ୍ରସର ଶ୍ରେଣୀ ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ଘୋଷିତ ଶତକଡା ୨୭ ଭାଗ ସଂରକ୍ଷଣ ନିଷ୍ପତ୍ତି ରାଜ୍ୟ ସରକାରଙ୍କ କୌଣସି କାର୍ଯ୍ୟାଳୟ କିମ୍ବା ରାଷ୍ଟ୍ରୟତ ଉଦ୍ୟୋଗର ନିଯୁକ୍ତି କ୍ଷେତ୍ରରେ ବ୍ୟବହାର କରାଯିବ ନାହିଁ ।

ବିଜୁ ବାବୁ ଆହୁରି କହିଥିଲେ ଅର୍ଥନୈତିକ ଅନଗ୍ରସରତା ଉପରେ ବିଚାର କରି ନିଷ୍ପତ୍ତି ନିଆଯିବ । ଅର୍ଥାତ ଯିଏ ଆର୍ଥିକ ଦୃଷ୍ଟିରୁ ଗରିବ ସେମାନଙ୍କୁ ସଂରକ୍ଷଣ ଦେବା ଉପରେ ସରକାର ଗୁରୁତ୍ୱ ଦେବେ । ସେ ବେଶ ଗୁରୁତ୍ୱ ଦେଇ କହୁଥିଲେ – ‘ଗରିବର ଜାତି ନାହିଁ’ । ମଣ୍ଡଳ କମିଶନ ରିପୋର୍ଟ ଗୁରୁତ୍ୱର ଦୋଷତ୍ରୁଟି ଓ ଅସଙ୍ଗତିରେ ପରିପୂର୍ଣ୍ଣ ବୋଲି ବିଜୁବାବୁ କହିଥିଲେ । ତେଣୁ ଏ କ୍ଷେତ୍ରରେ ବିଜୁବାବୁଙ୍କ ମତ ପୁରାପୁରି ସ୍ପଷ୍ଟ ଥିଲା । ପ୍ରଥମେ ଚାକିରି, ନାମଲେଖା ଆଦି କ୍ଷେତ୍ରରେ ସ୍ଥାନ ସଂରକ୍ଷଣର ସୁବିଧା ପାଇବା ପାଇଁ ହରିଜନ, ଆଦିବାସୀ ଓ ପଛୁଆ ଜାତିର ପ୍ରାର୍ଥୀଙ୍କ ଆୟ ଉପରେ ଏକ ସିଲିଂ ଲାଗୁ କରିବାକୁ ପ୍ରସ୍ତାବ ଦେଇଥିଲେ । ଅର୍ଥାତ ଯଦି ଆପଣଙ୍କ ରୋଜଗାର ଗୋଟିଏ ନିର୍ଦ୍ଧିଷ୍ଟ ସୀମା ଭିତରେ ରହିଛି ତାହେଲେ ଆପଣ ରିଜରଭେସନର ସୁବିଧା ପାଇପାରିବେ । କେବଳ ଜାତି ଦୃଷ୍ଟିରୁ ନୁହେଁ ବରଂ ଘରର ଅର୍ଥନୈତିକ ଦୃଷ୍ଟିରୁ ପଛୁଆ ପଣକୁ ନିର୍ଣ୍ଣୟ କରାଯିବ ।

ଜଣେ ଜାତି ଦୃଷ୍ଟିରୁ ଗରିବ ହୋଇନପାରେ କିନ୍ତୁ ଅର୍ଥନୈତିକ ଦୃଷ୍ଟିରୁ ଗରିବ ହୋଇପାରେ । ପ୍ରଧାନମନ୍ତ୍ରୀ ଭିପି ସିଂହଙ୍କୁ ବିଜୁବାବୁ ଏହି ଚିଠିିରେ ଏସବୁ ପ୍ରସ୍ତାବ ଦେଇଥିଲେ । ୩୦ ବର୍ଷ ତଳେ ବିଜୁବାବୁଙ୍କ ସମୟ ଠାରୁ ଆଜିର ସମୟ ବହୁତ ଆଗକୁ ଆସିଛି । କିନ୍ତୁ ଆଜି ପୁଣି ଶାସନରେ ଥିବା ଦଳ ଦାବି କରୁଛି ଯେ, କେଉଁ ଜାତିର କେତେ ଲୋକ ଅଛନ୍ତି ତାହା ଗଣନା କରାଯାଉ । ଏହାକୁ ନେଇ ବିତର୍କ ଆରମ୍ଭ ହୋଇଛି ।