ଆତ୍ମହତ୍ୟା ଉଦ୍ୟମ କରି ଗୃହର ମର୍ଯ୍ୟାଦା କ୍ଷୂର୍ଣ୍ଣ କରିଛନ୍ତି ସୁବାସ, ତୁରନ୍ତ ଏଥିପାଇଁ କ୍ଷମା ମାଗନ୍ତୁ ବୋଲି କହିଲେ ପ୍ରତାପ ।

241

କନକ ବ୍ୟୁରୋ : ବିଧାନସଭାରେ ସାନିଟାଇଜର ପିଇ ସୁବାସଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଆଜି ଗୃହରେ ତାତି ଦେଖିବାକୁ ମିଳିଛି । ଶାସକ ବିଜେଡି ଗୃହ ଆରମ୍ଭରୁ ଏହାକୁ ନେଇ ପ୍ରତିବାଦ କରିବା ସହ ସୁବାସ କ୍ଷମା ମାଗନ୍ତୁ ବୋଲି ଦାବି କରିଥିଲା । ଯାହାକୁ ନେଇ ଗୃହ ୧୧ଟା ୩୦ ଯାଏଁ ମୁଲତବୀ ହୋଇଥିଲା । ଆଉ ଏହି ପ୍ରସଙ୍ଗରେ ବିଜେଡି ବିଧାୟକ ପ୍ରତାପ ଦେବ କହିଛନ୍ତି, ସାନିଟାଇଜର ପିଇ ଆତ୍ମହତ୍ୟା କରିବାକୁ ସୁବାସ ଯେଉଁ ଉଦ୍ୟମ କରିଛନ୍ତି ତାହାକୁ ବିଜେଡି କଡା ନିନ୍ଦା କରୁଛି । ଏହି ପ୍ରସଙ୍ଗରେ ସୁବାସ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ବାଚସ୍ପତିଙ୍କ ନିକଟରେ ଦଳ ପକ୍ଷରୁ ଦାବି କରାଯାଇଛି ।

ଆଜି ପର୍ଯ୍ୟନ୍ତ କୌଣସି ବିଧାୟକ ବିଧାନସଭାରେ ଆତ୍ମହତ୍ୟା ଉଦ୍ୟମ କଲାଭଳି ପଦକ୍ଷେପ ନେଇନାହାନ୍ତି ଯାହା ଏକ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିବ । ଦେଶର ସଂସଦ କିମ୍ବା ବିଧାନସଭାରେ ଏଭଳି ଘଟଣାର କେବେ ନଜିର ନାହିଁ ।  ବିଜେପିର ଦଳୀୟ ପ୍ରରୋଚନାରେ ଏଭଳି କରାଯାଇଛି ନା ଏହା ବିଧାୟକଙ୍କ ବ୍ୟକ୍ତିଗତ ପ୍ରସଙ୍ଗ ତାହା ଆଗ ସ୍ପଷ୍ଟ କରୁ ବିଜେପି । ଏଭଳି ନିନ୍ଦନୀୟ ଘଟଣା ଗୃହର ମର୍ଯ୍ୟାଦା କ୍ଷୂର୍ଣ୍ଣ କରିଛି । ତେଣୁ ଏଭଳି ଘଟଣା ପାଇଁ ସୁବାସ ବିଧାନସଭାରେ କ୍ଷମା ପ୍ରାର୍ଥନା କରନ୍ତୁ । ଯଦି ତାହା ନ କରାଯିବ ତେବେ ବିଜେଡି ଯେଉଁ ଦାବି ରଖିଛି ତାହା ଉପରେ ଅଟଳ ରହିବ । ପ୍ରତିବାଦ କରିବାର ବିଭିନ୍ନ ଉପାୟ ରହିଛି । କିନ୍ତୁ ସୁବାସ ସାନିଟାଇଜର ପିଇ କଣ ପ୍ରମାଣିତ କରିବାକୁ ଚାହୁଁଛନ୍ତି, କାମ ନହେଲେ ଆତ୍ମହତ୍ୟା କର । ଏହା ଆଦୌ ଗ୍ରହଣୀୟ ନୁହେଁ । ବିଜେପି ଏହାକୁ ସମର୍ଥନ କରି କଣ ବାର୍ତ୍ତା ଦେବାକୁ ଚାହୁଁଛି ବୋଲି ପ୍ରଶ୍ନ କରିଛନ୍ତି ପ୍ରତାପ ।