ବୈଜୟନ୍ତଙ୍କ ପ୍ରାର୍ଥୀପତ୍ର ରଦ୍ଦ କରାଯାଉ, ପୁଣିଥରେ ତାଙ୍କୁ କେନ୍ଦ୍ରାପଡାବାସୀଙ୍କୁ ଠକିବାକୁ ସୁଯୋଗ ଦିଆନଯାଉ । ବୈଜୟନ୍ତଙ୍କ ମିଥ୍ୟା ସତ୍ୟପାଠକୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଫେରାଦ ହେଲା ବିଜେଡି ।

911

କନକ ବ୍ୟୁରୋ : କେନ୍ଦ୍ରାପଡା ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତଙ୍କ ପ୍ରାର୍ଥୀପତ୍ର ରଦ୍ଦ କରାଯାଉ । ୨୦୧୪ରେ ମିଥ୍ୟା ସତ୍ୟପାଠ ଦେଇଥିବା ବୈଜୟନ୍ତଙ୍କ ନାମାଙ୍କନ ପତ୍ର ରଦ୍ଦ କରଯାଉ । ପୁଣିଥରେ ତାଙ୍କୁ କେନ୍ଦ୍ରାପଡାବାସୀଙ୍କୁ ଠକିବାକୁ ସୁଯୋଗ ଦିଆ ନଯାଉ ବୋଲି ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଛି ବିଜେଡି ।

ଏହାପୂର୍ବରୁ ୨୦୧୪ରେ ବୈଜୟନ୍ତ ସତ୍ୟପାଠରେ ଭୁଲ ତଥ୍ୟ ଦେଇ କେନ୍ଦ୍ରାପଡାବସୀଙ୍କୁ ଅନ୍ଧାରରେ ରଖିଥିଲେ । ଇମ୍ଫାର ଉପସଭାପତି ଭାବେ ବାର୍ଷିକ ୨ କୋଟିରୁ ଅଧିକ ଟଙ୍କା ଦରମା ନେଉଥିଲେ ମଧ୍ୟ ଏହାକୁ ସତ୍ୟପାଠରେ ଦର୍ଶାଇନଥିଲେ ବୈଜୟନ୍ତ । ପରେ ଏହି ଘଟଣା ସାମ୍ନାକୁ ଆସିବା ପରେ କେନ୍ଦ୍ରାପଡାବାସୀ ବୈଜୟନ୍ତଙ୍କ ନାଁରେ ଅପରାଧିକ ମାମଲା ରୁଜୁ କରିଥିଲେ ।

ଏହି ମାମଲା ଚାଲିଥିବା ବେଳେ ୨୦୧୯ରେ ପୁଣିଥରେ କେନ୍ଦ୍ରାପଡାରୁ ପ୍ରାର୍ଥୀ ହୋଇଛନ୍ତି ବୈଜୟନ୍ତ । ୨୦୧୯ରେ ବୈଜୟନ୍ତ ଯେଉଁ ସତ୍ୟପାଠ ଦେଇଛନ୍ତି ତାହା ସ୍ପଷ୍ଟ ଦର୍ଶାଉଛି ଯେ, ୨୦୧୪ରେ ମିଥ୍ୟା ସତ୍ୟପାଠ ଦେଇଥିଲେ ବିଜେପିର ସାଂସଦ ପ୍ରାର୍ଥୀ ହୋଇଥିବା ବୈଜୟନ୍ତ ।

ଏଭଳି ମିଥ୍ୟା ସତ୍ୟପାଠ ଦେଇ ବୈଜୟନ୍ତ ବାରମ୍ବାର କେନ୍ଦ୍ରାପଡାବାସୀଙ୍କୁ ଠକିଛନ୍ତି । ତେଣୁ ନିର୍ବାଚନ କମିଶନ ବୈଜୟନ୍ତଙ୍କ ପ୍ରାର୍ଥୀପତ୍ର ରଦ୍ଦ କରିବାକୁ ବିଜେଡି ଦାବି କରିଛି । ଏପରିକି ୨୦୧୪ରେ ମିଥ୍ୟା ସତ୍ୟପାଠ ଦେଇଥିବା ପ୍ରମାଣ ବୈଜୟନ୍ତ ନିଜେ ଦେଇଥିବା ବେଳେ ପୁଣିଥରେ କେନ୍ଦ୍ରାପଡାବାସୀଙ୍କୁ ଠିକବାକୁ ତାଙ୍କୁ ସୁଯୋଗ ଦିଆନଯାଉ ବୋଲି ବିଜେଡି ପକ୍ଷରୁ କୁହାଯାଇଛି ।

ଏହାପୂର୍ବରୁ ଆଜି ବିଜେଡି ବୈଜୟନ୍ତଙ୍କ ସତ୍ୟପାଠକୁ ନେଇ ସାମ୍ବାଦିକ ସମ୍ମିଳନୀରେ ବିଜେପି ଉପରେ ମଧ୍ୟ ପ୍ରଶ୍ନ ଉଠାଇଥିଲା । ବୈଜୟନ୍ତଙ୍କ ସତ୍ୟପାଠରେ ହୋଇଥିବା ଖୁଲାସାକୁ ନେଇ ବିଜେପି କାହିଁକି ଚୁପ୍ ବସିଛି ବୋଲି ପ୍ରଶ୍ନ କରିଛି ବିଜେଡି । ଏପରିକି ବିଜେପି ଏନେଇ ମୁହଁ ନଖୋଲିବା ଡ଼ବଲ୍ ‘ବି’ ଅର୍ଥାତ୍ ବୈଜୟନ୍ତ ଓ ବିଜେପି ସାଢ଼େ ୪କୋଟି ଓଡ଼ିଶାବାସୀଙ୍କୁ ଠକିଛନ୍ତି ବୋଲି କହି କଡ଼ା ସମାଲୋଚନା କରିଛି ବିଜେଡି ।

ଆସନ୍ତା ୨୯ ତାରିଖ ବା ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ରରେ ମତଦାନ ହେବ । କିନ୍ତୁ ଏହାରି ମଧ୍ୟରେ ବୈଜୟନ୍ତଙ୍କ ସତ୍ୟପାଠକୁ ନେଇ ବିଜେଡି କରିଥିବା ଖୁଲାସା ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି କରିଛି । ଆଉ ଏହାକୁ ମଧ୍ୟ ବୈଜୟନ୍ତଙ୍କ ପାଇଁ ଅଡୁଆ ସୃଷ୍ଟି କରିପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।