ବିଜେଡି ଦେଲା ଡେଡଲାଇନ । ୩୦ ତାରିଖ ସୁଦ୍ଧା ଗ୍ୟାସ୍ ଦର ନ କମିଲେ ଜୋରଦାର ହେବ ଆନ୍ଦୋଳନ ।

152

କନକ ବ୍ୟୁରୋ : ରନ୍ଧନ ଗ୍ୟାସ ଦର ବୃଦ୍ଧିକୁ ନେଇ ବିଜେଡିର ଚେତାବନୀ । ଗ୍ୟାସ ଦର ନ କମିଲେ ଆନ୍ଦୋଳନକୁ ଜୋରଦାର କରାଯିବ, ଦଳ ରାଜରାସ୍ତାକୁ ଓହ୍ଲାଇବ । ଆଉ ଏଥିପାଇଁ ଡେଡଲାଇନ ରଖିଛି ବିଜେଡି । ଆସନ୍ତା ୩୦ ତାରିଖ ସୁଦ୍ଧା ରନ୍ଧନ ଗ୍ୟାସ ଦର ନ କମିଲେ ଯୁବ,ମହିଳା ଓ ଛାତ୍ର ବିଜେଡି ରାଜରାସ୍ତାକୁ ଓହ୍ଲାଇବ, ଆନ୍ଦୋଳନକୁ ଆହୁରି ତୀବ୍ରତର କରିବ । ଆଉ ଏହାସହ ସାମ୍ବାଦିକ ସମ୍ମିଳନୀ କୀି ବିଜେପିର ମିଛ କାହାଣୀ ଉପରୁ ପରଦା ହଟାଇଛି ବିଜେଡି ।

ସାମ୍ବାଦିକ ସମ୍ମିଳନୀରେ ବିଜେପିର ମିଛ ମୁଖା ଖୋଲିଛି ବିଜେଡି । ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ କହିଛନ୍ତି ବିଜେପି କ୍ଷମତାକୁ ଆସିବା ବେଳକୁ ଗ୍ୟାସ ଦର ଥିଲା ୪୧୪ । କିନ୍ତୁ ଗତ ୭ ବର୍ଷରେ ଏହି ଦର ବଢି ୯୩୦ରେ ପହଞ୍ଚିଲାଣି । କରୋନା ଭଳି ସଙ୍କଟ ସମୟରେ ପ୍ରତି ମାସରେ ଗ୍ୟାସ ଦର ବୃଦ୍ଧି ହୋଇଛି । ଏଭଳି ଭାବେ ଲଗାତାର ଦର ବୃଦ୍ଧି କରି ମଧ୍ୟବିତ୍ତଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଦେଲାଣି କେନ୍ଦ୍ର । କୌଣସି ଦେଶରେ ରନ୍ଧନ ଗ୍ୟାସର ଦର ଏତେ ଦ୍ରୁତ ଗତିରେ ବଢି ନାହିଁ  । ତେଣୁ ଆସନ୍ତା  ୩୦ ତାରିଖ ସୁଦ୍ଧା ଗ୍ୟାସ ଦର ନ କମିଲେ ଆନ୍ଦୋଳନ ବ୍ୟାପକ ହେବ, ତୀବ୍ରତର କରିବାକୁ ଚେତାବନୀ ଦେଇଛି ବିଜେଡି ।

ଏହାସହ ବିଜେଡି ନେତା କହିଛନ୍ତି ଯେ, କେନ୍ଦ୍ରକୁ ବଞ୍ଚାଇବାକୁ ଓଡ଼ିଶା ବିଜେପି ନେତା ମିଛର ସାହାର ନେଉଛନ୍ତି । ବିଜେପି ନେତା କହୁଛନ୍ତି ଅର୍ନ୍ତଜାତୀୟ ବଜାରରେ ୨୦୧୪ ପରେ ଅଶୋଧିତ ତୈଳର ଦର, ପ୍ରାକୃତିକ ଗ୍ୟାସର ଦର ବଢିଛି ସେଥିପାଇଁ ଦର ବୃଦ୍ଧି ପାଉଛି । କିନ୍ତୁ ଏହା ମିଛ । ଏବେ ଅର୍ନ୍ତଜାତୀୟ ବଜାରରେ ପ୍ରାକୃତିକ ଗ୍ୟାସ ଓ ଅଶୋଧିତ ତୈଳର ଦର କମିଛି । କିନ୍ତୁ ଏହାସତ୍ତେ୍ୱ ମଧ୍ୟ କେନ୍ଦ୍ର ସରକାର ଗ୍ୟାସ ଉପରେ ଦର ବୃଦ୍ଧି କରି ଗରିବ ଲୋକଙ୍କ ହାଣ୍ଡିଶାଳକୁ ଲାତ ମାରୁଛନ୍ତି । କେନ୍ଦ୍ର ଏବେ କୁମ୍ଭକର୍ଣ୍ଣ ନିଦ୍ରାରୁ ଉଠୁ । ରନ୍ଧନ ଗ୍ୟାସର ଦର କମ କରୁ ।