ପେଟ୍ରୋଲ୍ ପମ୍ପ ମାଲିକଙ୍କ ଟଙ୍କା କାରବାର ନେଇ ସିଇଓଙ୍କୁ ଫେରାଦ ହେଲା ବିଜେଡି । ପେଟ୍ରୋଲ୍ ପମ୍ପ ଓ ଗ୍ୟାସ୍ ଏଜେନ୍ସିରେ ୨୪ ଘଣ୍ଟିଆ ଲାଇଭ୍ ସିସିଟିଭି ବ୍ୟବସ୍ଥା ପାଇଁ ଦାବି । 

126

କନକ ବ୍ୟୁରୋ : ପେଟ୍ରୋଲ୍ ପମ୍ପ ମାଲିକଙ୍କ ଟଙ୍କା କାରବାର ନେଇ ସିଇଓଙ୍କୁ ଫେରାଦ ହେଲା ବିଜେଡି । ପେଟ୍ରୋଲ୍ ପମ୍ପ ଓ ଗ୍ୟାସ୍ ଏଜେନ୍ସୀରେ ୨୪ ଘଣ୍ଟିଆ ଲାଇଭ୍ ସିସିଟିଭି ବ୍ୟବସ୍ଥା ପାଇଁ ଦଳ ପକ୍ଷରୁ ଦାବି ହୋଇଛି । ଦଳ ପକ୍ଷରୁ କୁହାଯାଇଛି, ବରଗଡ଼ ଜିଲ୍ଲାର ମ୍ଲେଛାମୁଣ୍ଡା ଥାନା ଅର୍ନ୍ତଗତ ଗୁଡରପାଲିଠାରେ ଗତକାଲି ଏକ କାରରୁ ଜବତ ହୋଇଥିବା ୨ ଲକ୍ଷ ନଗଦଟଙ୍କା ଓ ବିଜେପି ପତାକାର ରହସ୍ୟ ଖୋଲିଯାଇଛି । ଜବତ କାର୍ର ମାଲିକ ସଞ୍ଜୀବ ମହାପାତ୍ର ଜଣେ ପେଟ୍ରୋଲ୍ ପମ୍ପ ମାଲିକ । ବିଜେପୁରର ବିଜେପି ପ୍ରାର୍ଥୀ ସନତ୍ ଗଡ଼ତିଆଙ୍କ ସମର୍ଥକ ଭାବେ ଜଣାଶୁଣା । ପୋଲିସ ହାତରେ ଧରାପଡ଼ିବା ପରେ ତାଙ୍କ ପାଖରେ ଏତେ ଟଙ୍କା କାହିଁକି ରଖିଥିଲେ ତାହାର ଜବାବ ସେ ଦେଇପାରିନାହାନ୍ତି । ତେବେ ତାହା ଯେ ବିଜେପୁର ବିଜେପି ପ୍ରାର୍ଥୀଙ୍କ ପ୍ରଚାର ପାଇଁ ଆସୁଥିଲା ସ୍ପଷ୍ଟ ହୋଇଯାଇଛି ।

ନିର୍ବାଚନ ବେଳେ ପେଟ୍ରୋଲ୍ ପମ୍ପ ମାଲିକମାନେ ଟଙ୍କା ଗଚ୍ଛିତ କରି ଲୋକଙ୍କୁ ବାଣ୍ଟିବା ଦାୟିତ୍ୱ ନେଇଥିବା ନେଇ ପୂର୍ବରୁ ବିଜୁ ଜନତା ଦଳ ନିର୍ବାଚନ କମିଶନଙ୍କ ସତ୍ତର୍କ କରାଇଥିଲା । ଏବେ ତାହା ସତ୍ୟ ପ୍ରମାଣିତ ହେଲା ବୋଲି ଆଜି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ବିଜେଡ଼ି ଜଣାଇଛି । ଏହି ଦୃଷ୍ଟିରୁ ପେଟ୍ରୋଲ୍ ପମ୍ପ ଏବଂ ଗ୍ୟାସ ଏଜେନ୍ସୀଗୁଡ଼ିକ ଉପରେ ଭିଡ଼ିଓ ନିରୀକ୍ଷଣ ବ୍ୟବସ୍ଥା ରଖିବା ପାଇଁ ଅନୁରୋଧ କରାଯାଇଥିଲା । ସମସ୍ତ ପେଟ୍ରୋଲ ପମ୍ପ ଏବଂ ଗ୍ୟାସ୍ ଏଜେନ୍ସୀ ଗୁଡ଼ିକରେ ୨୪ ଘଣ୍ଟିଆ ସିସିଟିଭି ଭିଡ଼ିଓ ଫୁଟେଜ୍ ବ୍ୟବସ୍ଥା କରାଯାଇ ଏହାର ରେକର୍ଡିଂ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଉପଲବ୍ଧ କରିବାକୁ ବିଜେଡି ପକ୍ଷରୁ ଦାବି କରାଯାଇଛି ।