ପୁଣିଥରେ ଜାତିଭିତ୍ତିକ ଜନଗଣନା ଦାବି କଲା ବିଜେଡି । କହିଲା, ଏନଡିଏ ସହଯୋଗୀ ଦଳ ସମର୍ଥନ କରୁଥିବା ବେଳେ ବିଜେପି ଚୁପ୍ କାହିଁକି?

198

କନକ ବ୍ୟୁରୋ : ପୁଣିଥରେ ଜାତିଭିତ୍ତିକ ଜନଗଣନା ଦାବି କଲା ବିଜେଡି । ଜାତିଭିତ୍ତିକ ଜନଗଣନା ନହେବା ଦ୍ୱାରା ପଛୁଆବର୍ଗଙ୍କ ବିକାଶ ହୋଇପାରୁନାହିଁ । ସଂଘୀୟ ଢାଞ୍ଚା ଏଥିପାଇଁ ପ୍ରତିବନ୍ଧକ ସାଜିଛି । ତେଣୁ ପୁଣିଥରେ ଜାତିଭିତ୍ତିକ ଜନଗଣନା ପାଇଁ ଦାବି ଦୋହରାଇଛି ବିଜେଡି । ଏକାକୀ ନୁହେଁ ମିଳିମିଶି ଏହି ଦାବିକୁ ସମର୍ଥନ କରିବାକୁ ଅପିଲ କରିଛି ବିଜେଡି । ଯଦି କୌଣସି ଦଳ ଏହି ଲଢେଇରେ ସାମିଲ ନ ହୁଅନ୍ତି ତେବେ ଏକାକୀ ବିଜେଡି ପଲ୍ଲୀରୁ ଦିଲ୍ଲୀ ଯାଏଁ ଏନେଇ ସ୍ୱର ଉଠାଇବ ବୋଲି କହିଛନ୍ତି ବିଜେଡି ନେତା ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।

ବିଜେଡିର ଦଳୀୟ କାର୍ଯ୍ୟାଳୟରେ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଦଳର ଦୁଇ ନେତା ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ଅରୁଣ ସାହୁ ଜାତିଭିତ୍ତିକ ଜନଗଣନାକୁ ନେଇ ଦଳର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । କେନ୍ଦ୍ର ମନା କରିବା ପରେ ୨୦୨୦ ଜାନୁଆରୀ ୧୧ରେ ହୋଇଥିବା କ୍ୟାବିନେଟ ବୈଠକରେ ଜାତିଭିତ୍ତିକ ଗଣନା ପାଇଁ ପ୍ରସ୍ତାବ ପାରିତ ହୋଇଥିଲା । ଏନେଇ ଜାତି ଭିତ୍ତିକ ପ୍ରସ୍ତାବ ବିଧାନସଭାରେ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ । ଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ନବୀନ ଏଭଳି ଦାବି କରିଥିଲେ । କାରଣ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ପଛୁଆବର୍ଗଙ୍କ ସ୍ଥିତି ସେତେଟା ଭଲ ନାହିଁ । ପଛୁଆ ବର୍ଗଙ୍କ ସଂଖ୍ୟା ଅନୁସାରେ ଏଯାଏଁ ଅଧା ସଂରକ୍ଷଣ ମିଳିପାରିନି । ଏହାଛଡା ପଛୁଆ ବର୍ଗଙ୍କ ସାମାଜିକ ନ୍ୟାୟ ପାଇଁ ରାଜ୍ୟ ସରକାର ବଦ୍ଧ ପରିକର । ଯେଉଁଥିପାଇଁ ନବୀନ ପ୍ରଥମେ ଏଭଳି ପ୍ରସ୍ତାବ ଆଣିଥିଲେ । ଏପରିକି ଦଳର ସାଂସଦ ମାନେ ମଧ୍ୟ ଦିଲ୍ଲୀରେ ଗୃହମନ୍ତ୍ରୀଙ୍କୁ ଭେଟି ଏବାବଦରେ ଆଲୋଚନା କରିଥିଲେ ।

ଆଉ ଏବେ ଜାତିଭିତ୍ତିକ ଜନଗଣନାକୁ ନେଇ ପୂରା ଦେଶରୁ ଦାବି ଉଠିଲାଣି । ଦେଶର ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ବିଭିନ୍ନ ଦଳ ନବୀନଙ୍କ ଏଭଳି ପ୍ରସ୍ତାବକୁ ଏବେ ସମର୍ଥନ କରୁଥିବାର ଦେଖିବାକୁ ମିଳିଲାଣି । ଏପରିକି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନେତୃତ୍ୱରେ ୧୦ଟି ଦଳର ନେତା ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି । ଦେଶରେ ଜାତି ଆଧାରରେ ଜନଗଣନା ହେଉ ବୋଲି ଦାବି ଜଣାଇଛନ୍ତି । ସେହିଭଳି ଏନଡିଏରେ ଥିବା ଅନେକ ଦଳ ଜାତିଭିତ୍ତିକ ଜନଗଣନାକୁ ସବୁଜ ସଂକେତ ଦେଇଛନ୍ତି । ଖୋଦ୍ ବିହାର ମନ୍ତ୍ରୀମଣ୍ଡଳରେ ଥିବା ବିଜେପି ନେତା ମଧ୍ୟ ଜାତିଭିତ୍ତିକ ଜନଗଣନା ପାଇଁ ଦାବି କରୁଛନ୍ତି । କିନ୍ତୁ ଏପ୍ରସଙ୍ଗରେ ରାଜ୍ୟ ବିଜେପି ଚୁପ୍ ରହିବା ସୂଚାଉଛି ଯେ, ରାଜ୍ୟ ବିଜେପି ପଛୁଆବର୍ଗଙ୍କ ବିକାଶ ବିରୋଧୀ । ତେଣୁ ବାସ୍ତବରେ ପଛୁଆବର୍ଗଙ୍କ ବିକାଶ ରାଜ୍ୟ ବିଜେପି ଚାହୁଁଥାଏ ତେବେ ଅନ୍ୟ ଦଳ ଭଳି କାନ୍ଧରେ କାନ୍ଧ ମିଳାଇ ଏହି ଦାବିକୁ ଦିଲ୍ଲୀ ଦରବାରରେ ଉଠାଇବାକୁ ପରାମର୍ଶ ଦେଇଛି ବିଜେଡି । ବିଜେପି ନେତୃତ୍ୱ ଯଦି ଏହି ଲଢେଇରେ ସାମିଲ ବି ନହୁଅନ୍ତି ତେବେ ମଧ୍ୟ ପଛୁଆବର୍ଗଙ୍କୁ ସାମାଜିତ ନ୍ୟାୟ ନ ମିଳିବା ଯାଏଁ ପଲ୍ଲୀରୁ ଦିଲ୍ଲୀ ଲଢେଇ ଜାରି ରହିବ ବୋଲି କହିଛି ବିଜେଡି ।