ବିଜେପି ବିରୋଧରେ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହେଲା ବିଜେଡି । ଜାଲ୍ ଗୁଇନ୍ଦା ଚିଠି ପ୍ରସାରକାରୀ ବିଜେପି ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ କଲା ଦାବି
କନକ ବ୍ୟୁରୋ : ବିଜେପି ବିରୋଧରେ ପୁଣି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ୱାରସ୍ଥ ହେଲା ବିଜେଡି । ଜାଲ ଗୁଇନ୍ଦା ଚିଠି ପ୍ରସାରକାରୀ ବିଜେପି ନେତାଙ୍କ ବିରୋଧରେ କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସେନେଇ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଛି ବିଜେଡି । ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ଦୋଷୀଙ୍କ ବିରୋଧରେ ନିର୍ବାଚନ କମିଶନ କିମ୍ବା ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ଗଣତନ୍ତ୍ର ଓ ନିର୍ବାଚନ ପ୍ରକ୍ରିୟା ପ୍ରତି ସାଂଘାତିକ ବିପଦ ବୋଲି ଦଳ କହିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ବିଜେଡ଼ି ପକ୍ଷରୁ ଦର୍ଶାଯାଇଛି ଯେ ଗୁଇନ୍ଦା ନାଁ ନେଇ ବିଜେପି ପ୍ରଦର୍ଶିତ କରିଥିବା ଚିଠିଟି ସମ୍ପୂର୍ଣ୍ଣ ଜାଲ ବୋଲି ଖୋଦ ପୁଲିସ ଡିଜି ପ୍ରଥମରୁ ହିଁ ସ୍ପଷ୍ଟ କରିସାରିଛନ୍ତି । ଗତ ନିର୍ବାଚନ ବେଳେ କର୍ଣ୍ଣାଟକରେ ବିଜେପି ଏଭଳି ଜାଲ୍ ଚିଠି ବ୍ୟବହାର କରିଥିଲା ବୋଲି ମଧ୍ୟ ବିଜେଡ଼ି ପ୍ରମାଣ ଦେଖାଇଥିଲା । ଜନମତକୁ ବିଭ୍ରାନ୍ତ କରିବା ପାଇଁ ବିଜେପିର ଏହି ହୀନ କାରବାର ଧରାପଡ଼ିଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ । ଏହି ସଙ୍ଗୀନ ମାମଲାରେ ଦୋଷୀ ବିଜେପି ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ହେଲା ପର୍ଯ୍ୟନ୍ତ ନିର୍ବାଚନ କମିଶନଙ୍କ ପାଖକୁ ବିଜେଡ଼ି ବାରମ୍ବାର ଆସିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଜଣାଇ ଦେଇଛି ବିଜେଡି ।
ଏହାଛଡା ନିର୍ବାଚନ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବା ବେଳେ ଟିଭି ଚ୍ୟାନେଲରେ ବିଜ୍ଞାପନ ଜରିଆରେ ଅଟଳ ପେନସନ ଯୋଜନାର ନିର୍ବାଚନ ପ୍ରଚାର ବିଜେପି କରୁଥିବା ଅଭିଯୋଗ ଆଣିଛି ବିଜେଡି । ଭୋଟରଙ୍କୁ ନିଜ ସପକ୍ଷରେ ପ୍ରଭାବିତ କରିବାକୁ ଏଭଳି ବିଜେପି କରୁଥିବା କହିଛି ବିଜେଡି । ଯାହା ନିର୍ବାଚନ ଆଚରଣ ବିଧିର ଉଲ୍ଲଂଘନ କରୁଛି । ତେଣୁ ଏହା ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ସହ ବିଜ୍ଞାପନ ପ୍ରସାରିତ ହୋଇଥିବା ଟିଭି ଚାନେଲେ ଉପରେ କଟକଣା ଲଗାଇବାକୁ ବିଜେଡି ପକ୍ଷରୁ ନିର୍ବାଚନ କମିଶନଙ୍କ ନିକଟରେ ଦାବି କରାଯାଇଛି ।