କନକ ବ୍ୟୁରୋ: ୨୪ ବର୍ଷର ନିରଙ୍କୁଶ ଶାସନ ପରେ ରାଜ୍ୟରେ ମାଟି କାମୁଡିଛି ବିଜେଡି । ବିଧାନସଭା ନିର୍ବାଚନ ହେଉ କି ଲୋକସଭା ନିର୍ବାଚନ, ବଡ ବିପର୍ଯ୍ୟୟର ସାମ୍ନା କରିଛି ବିଜେଡି । ଶୋଚନୀୟ ପରାଜୟର ୨ ସପ୍ତାହ ବିତିଗଲାଣି, ହେଲେ ପରାଜୟର ସମୀକ୍ଷା କରିପାରୁନି ଦଳ ।

Advertisment
  • ପରାଜୟର ସମୀକ୍ଷା କରିପାରୁନି ବିଜେଡି
  • କିଏ ବଞ୍ଚାଉଛି କାହାକୁ?
  • ୧୫ ଦିନ ପରେ ବି ଗଠନ ହେଉନି କମିଟି

ପ୍ରତ୍ୟେକ ଦିନ ନବୀନ ନିବାସରେ ଗହଳିଚହଳି ହେଉଛି, ନେତା ଆସୁଛନ୍ତି ଯାଉଛନ୍ତି । କିନ୍ତୁ ପରାଜୟର କାରଣ ଖୋଜା ଯାଇପାରୁନି । ହେଲେ କାହିଁକି ସମୀକ୍ଷା କରୁନାହାନ୍ତି ବିଜେଡି ସୁପ୍ରିମୋ? କମିଟି ଗଠନ ବିଳମ୍ବର କାରଣ କଣ? ଏହାକୁ ନେଇ ନେତା ଓ କର୍ମୀଙ୍କ ମନରେ ଅସନ୍ତୋଷ ବଢିବାରେ ଲାଗିଲାଣି ।

  • କାହାକୁ ସୁରକ୍ଷା ଦେଉଛନ୍ତି ବିଜେଡି ସୁପ୍ରିମୋ?
  • ଦଳ ଭିତରେ ଚାପା ଗୁଞ୍ଜରଣ

ବିଜେପି ଓଡିଆ ଅସ୍ମିତାକୁ ପ୍ରସଙ୍ଗ କରି ନିର୍ବାଚନ ବୈତରଣୀ ପାର୍ କରିଛି । ହେଲେ ବିଜେଡି ପରାଜୟ ପଛରେ ଅନେକ କାରଣ ମଧ୍ୟରେ ପାଣ୍ଡିଆନ ପ୍ରସଙ୍ଗ ବଡ କାରଣ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା କରାଯାଉଛି । ରାଜନୈତିକ ସମୀକ୍ଷକଙ୍କ ମତରେ, ସମୀକ୍ଷା କଲେ ସବୁ ଦୋଷ ପାଣ୍ଡିଆନଙ୍କ ଆଡକୁ ଆସିପାରେ । ତେଣୁ ବିଜେଡି ସୁପ୍ରିମୋ ସେଥିପାଇଁ ପୋଷ୍ଟମର୍ଟମ କରିବାରେ ବିଳମ୍ବ କରୁଛନ୍ତି ବୋଲି ରାଜନୈତିକ ସମୀକ୍ଷକ ମତ ଦେଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ବିଜେଡି ବିଧାୟକ ଦଳ ବୈଠକରେ ଆଠଗଡ ବିଧାୟକ ରାଜା ସ୍ୱାଇଁ ଦଳର ବିପର୍ଯ୍ୟୟର ସମୀକ୍ଷା କରିବାକୁ କହିଥିଲେ । ସାରା ଦେଶରେ ବିଜେପି ଖରାପ ପ୍ରଦର୍ଶନ କଲା, କିନ୍ତୁ ଓଡିଶାରେ ସଫଳତା ପାଇଲା । ୨୦୧୪ ଓ ୨୦୧୯ରେ ମୋଦି ଲହର ସତ୍ୱେ ରାଜ୍ୟରେ ବିଜେଡିକୁ ଲୋକ ସମର୍ଥନ କରିଥିଲେ । କିନ୍ତୁ ୨୦୨୪ରେ ଏମିତି କଣ ହେଲା ଯେ, ବିଜେଡି ହାରିଲା ବୋଲି ନେତା ଓ କର୍ମୀ ପ୍ରଶ୍ନ କରୁଛନ୍ତି । ତେଣୁ କେବେ କମିଟି ଗଠନ ହେବ ଓ ପରାଜୟର କାରଣ ଖୋଜାଯିବ ତାକୁ ନେଇ ବଡ ପ୍ରଶ୍ନ ସୃଷ୍ଟି ହୋଇଛି ।