ପିପିଲି ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା । ମହାରଥୀଙ୍କ ପୁଅ ରୁଦ୍ରଙ୍କ ନାଁରେ ମୋହର ମାରିଲେ ନବୀନ ।

151

କନକ ବ୍ୟୁରୋ : ପିପିଲି ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି । ରୁଦ୍ର ମହାରଥୀଙ୍କୁ ପ୍ରାର୍ଥୀ କଲା ବିଜେଡି । ଦିବଙ୍ଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପୁଅ ହେଉଛନ୍ତି ରୁଦ୍ର । ତେବେ ଦୀର୍ଘଦିନ ହେବ ବିଜେଡି ପ୍ରାର୍ଥୀଙ୍କୁ ନେଇ ଯେଉଁ ସସପେନ୍ସ ଲାଗି ରହିଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ରୁଦ୍ର । ପୂର୍ବରୁ ଦଳୀୟ ସଙ୍ଗଠନ ପାଇଁ କାମ କରି ଆସୁଥିବା ରୁଦ୍ର ୨୦୧୯ ନିର୍ବାଚନରେ ମଧ୍ୟ ବେଶ ସକ୍ରିୟ ଥିଲେ ।

ମହାରଥୀଙ୍କ ଦେହାନ୍ତ ପରେ ପିପିଲିରୁ କିଏ ବିଜେଡିର ପ୍ରାର୍ଥୀ ହେବ ତାହାକୁ ନେଇ ଚର୍ଚ୍ଚା ଲାଗି ରହିଥିଲା । ଟିକେଟ ରେସରେ ମହାରଥୀଙ୍କ ପତ୍ନୀ ପ୍ରତିଭା ଓ ପୁଅ ରୁଦ୍ର ରହିଥିବା ବେଳେ ରୁଦ୍ରଙ୍କ ନାଁରେ ମୋହର ମାରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।ପିପିଲି ରାଜନୀତିରେ ରୁଦ୍ର ମହାରଥୀ ଜଣେ ଜଣାଶୁଣା ଚେହେରା । ଏପରିକି ପ୍ରଦୀପଙ୍କ ବିୟୋଗ ପରେ ବିଜେଡିର ସଙ୍ଗଠନ ସହ ସିଧାସଳଖ ଯୋଡି ହୋଇ ରହିଛନ୍ତି ରୁଦ୍ର । ଖାସକରି ପିପିଲିରେ ଯୁବଗୋଷ୍ଠୀଙ୍କ ମଧ୍ୟରେ ରୁଦ୍ରଙ୍କର କ୍ରେଜ ରହିଛି । ତେଣୁ ଅନେକ ଆଲୋଚନା ପରେ ପିପିଲି ଲଢେଇ ପାଇଁ ରୁଦ୍ରଙ୍କୁ ବାଝିଛନ୍ତି ନବୀନ ।

ଏହାପୂର୍ବରୁ ଗତକାଲି ବିଜେପି ଆଶ୍ରିତ ପଟ୍ଟନାୟକଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କିଣିଥିବା ବେଳେ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଆଶ୍ରିତ । ତେବେ ବିଜେଡି ଓ ବିଜେପି ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇଥିବା ବେଳେ ଏଯାଏଁ କିନ୍ତୁ କଂଗ୍ରେସ ପକ୍ଷରୁ କାହାକୁ ପ୍ରାର୍ଥୀ ଘୋଷଣା କରାଯାଇନାହିଁ । ଆସନ୍ତା ୧୭ରେ ପିପିଲି ପାଇଁ ଭୋଟ ପଡିବାକୁ ଥିବା ବେଳେ ନାମାଙ୍କନ ଦାଖଲର ଶେଷ ତାରିଖ ମାର୍ଚ୍ଚ ୩୦ ରହିଛି ।