୯ରୁ ୪ ବିଧାୟକଙ୍କ ଟିକେଟ କାଟିଲେ ବିଜେଡି ସୁପ୍ରିମୋ । ନୂଆ ମୁହଁଙ୍କ ଉପରେ ନବୀନଙ୍କ ଭରସା

1,343

କନକ ବ୍ୟୁରୋ : ଘୋଷଣା ହେଲା ବିଜେଡିର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ୯ ଜଣ ପ୍ରାର୍ଥୀ ତାଲିକା ଘୋଷଣା କରିଥିବା ବେଳେ ଏଥିମଧ୍ୟରୁ ୪ ବିଧାୟକଙ୍କ ଟିକେଟ କାଟିଛନ୍ତି । ଏପରିକି ମନ୍ତ୍ରୀ ଥିବା ଯୋଗେନ୍ଦ୍ର ବେହେରାଙ୍କୁ ମଧ୍ୟ ଟିକେଟ ତାଲିକାରୁ ବାଦ୍ ଦେଇଛନ୍ତି ଦଳପତି ।

ଲୋଇସିଂହାରୁ ଯୋଗେନ୍ଦ୍ର ବେହେରାଙ୍କ ବଦଳରେ ପ୍ରଦୀପ ବେହେରା, ଲାଞ୍ଜିଗଡରୁ ବଳଭଦ୍ର ମାଝୀଙ୍କ ବଦଳରେ ପ୍ରଦୀପ ଦିଶାରୀ, ପଟାଙ୍ଗୀରୁ ପ୍ରଫୁଲ ପାଙ୍ଗୀଙ୍କ ବଦଳରେ ପ୍ରୀତମ ପାଢି ଓ ମାଲକାନଗିରିରୁ ମାନଓ ମାଡକାମୀଙ୍କ ବଦଳରେ ମୁକୁନ୍ଦ ସୋଢିଙ୍କ ଉପରେ ଭରସା କରିଛି ଦଳ । ଏମାନଙ୍କ ବ୍ୟତୀତ ଝରିଗାଁରୁ ପ୍ରକାଶ ଚନ୍ଦ୍ର ମାଝୀ, ବଲାଙ୍ଗୀରରୁ ଅର୍କେଶ ନାରାୟଣ ସିଂହଦେଓ, ବ୍ରଜରାଜନଗରରୁ କିଶୋର ମହାନ୍ତି, ରେଢାଖୋଲରୁ ରୋହିତ ପୂଜାରୀ, ସମ୍ବଲପୁରରୁ ରାସେଶ୍ୱରୀ ପାଣିଗ୍ରାହୀଙ୍କୁ ପ୍ରାର୍ଥୀ କରିଛି ଦଳ ।

ଏହାପୂର୍ବରୁ ନବୀନ ସରକାରରେ ମନ୍ତ୍ରୀ ଥିବା ଲୋଇସିଂହାର ବିଧାୟକ ଯୋଗେନ୍ଦ୍ର ବେହେରା ନିର୍ବାଚନ ନ ଲଢିବା ନେଇ ସଂକେତ ଦେଇଥିଲେ । ତେବେ ତାଙ୍କ ବଦଳରେ ପୁଅକୁ ଟିକେଟ ଦେବାକୁ ବିଜେଡି ସୁପ୍ରିମୋଙ୍କୁ ଜଣାଇଥିଲେ ଯୋଗେନ୍ଦ୍ର । କିନ୍ତୁ ଲୋକପ୍ରିୟତା ଓ ବିଜୟ ସମ୍ଭାବନା ଥିବା ପ୍ରାର୍ଥୀଙ୍କୁ ଦଳ ଗୁରୁତ୍ୱ ଦେଇ ଥିବାରୁ ଯୋଗେନ୍ଦ୍ରଙ୍କ ପୁଅଙ୍କ ଟିକେଟ କଟିଥିବା ଚର୍ଚ୍ଚା ହେଉଛି ।

ଏହାପୂର୍ବରୁ ନବୀନ ଘୋଷଣା କରିଥିବା ୫୪ ପ୍ରାର୍ଥୀଙ୍କ ମଧ୍ୟରୁ ୧୪ ଜଣ ବିଧାୟକଙ୍କର ଟିକେଟ କାଟିଥିଲେ ନବୀନ । ଏପରିକି ୯ ସାଂସଦଙ୍କ ମଧ୍ୟରୁ ୮ ଜଣ ନୂଆ ପ୍ରାର୍ଥୀଙ୍କୁ ମୈଦାନକୁ ଓହ୍ଲାଇଛି ଦଳ । ତେଣୁ ୨୦୧୯ ନିର୍ବାଚନରେ ନୂଆ ମୁହଁଙ୍କ ଉପରେ ନବୀନ ଭରସା କରୁଥିବା ଦେଖିବାକୁ ମିଳିଛି ।

ଏହାପୂର୍ବରୁ ବିଜେଡି ପ୍ରଥମ ପର୍ଯ୍ୟାୟରେ ୯ ଲୋକସଭା ଓ ୫୪ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା । ତେବେ ଆଜି ୯ଟି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି । ବିଜେପି ବର୍ତମାନ ସୁଦ୍ଧା ୧୫ଟି ଲୋକସଭା ଓ ୧୨୧ଟି ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି । କଂଗ୍ରେସ ୮ ଲୋକସଭା ଓ ୧୦୦ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଛି ।

୨୦୧୯ ସାଧାରଣ ନିର୍ବାଚନ ପାଇଁ ଟିକେଟକୁ ନେଇ ସବୁ ରାଜନୈତିକ ଦଳରେ ଲାଗିରହିଛି କନ୍ଦଳ । ବିଶେଷ କରି ଟିକେଟ ଘୋଷଣା ହେବା ପରେ କିଛି ଦଳରେ ଅସନ୍ତୋଷ ତେଜୁଥିବା ଦେଖିବାକୁ ମିଳିଛି । ଆଉ ଏହାରି ଭିତରେ କେଉଁ ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲାଇଲେ, ଜନମତ ହାସଲ କରିହେବ, ସେନେଇ ମଧ୍ୟ ଚାଲିଛି ଅଙ୍କକଷା ।