ବିଜେଡିର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା । ଜାଣନ୍ତୁ କାହାକୁ ମିଳିଲା କେଉଁ ଆସନରୁ ଟିକେଟ ।

2,609

କନକ ବ୍ୟୁରୋ : ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବାକି ଥିବା ୯ଟି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି ନବୀନ । ଏହି ଆସନଗୁଡିକ ହେଲା ଝରିଗାଁ, ବଲାଙ୍ଗିର, ବ୍ରଜରାଜନଗର, ମାଲକାନଗିରି, ବୀରମିତ୍ରପୁର, ଲୋଇସିଂହା, ଲାଞ୍ଜିଗଡ, ପଟାଙ୍ଗୀ ଓ ଫୁଲବାଣୀ । ପ୍ରଥମ ପର୍ଯ୍ୟାୟରେ ଝରିଗାଁ, ମାଲକାନଗିରି, ପଟାଙ୍ଗୀ ଓ ଲାଞ୍ଜିଗଡ ବିଧାନସଭା ରହିଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଅବିଶିଷ୍ଟ ଆସନ ରହିଛି ।

ଝରିଗାଁରୁ ପ୍ରକାଶ ଚନ୍ଦ୍ର ମାଝୀ, ମାଲକାନଗିରିରୁ ମୁକୁନ୍ଦ ସୋଢି , ପଟାଙ୍ଗୀରୁ ପ୍ରୀତମ ପାଢି, ଲାଞ୍ଜିଗଡରୁ ପ୍ରଦୀପ ଦିଶାରୀ, ବଲାଙ୍ଗୀରରୁ ଅର୍କେଶ ନାରାୟଣ ସିଂହଦେଓ, ବ୍ରଜରାଜନଗରରୁ କିଶୋର ମହାନ୍ତି, ଲୋଇସିଂହାରୁ ପ୍ରଦୀପ ବେହେରାଙ୍କୁ ଟିକେଟ ଦେଇଛି ଦଳ । ଅନ୍ୟପଟେ ଦ୍ୱିତୀୟ ପର୍ଯ୍ୟାୟରେ ହେବାକୁ ଥିବା ବୀରମିତ୍ରପୁର ଓ ଫୁଲବାଣୀ ଆସନ ପାଇଁ ବିଜେଡି ପ୍ରାର୍ଥୀ ତାଲିକା ଘୋଷଣା କରିନଥିବା ବେଳେ ତୃତୀୟ ପର୍ଯ୍ୟାୟରେ ହେବାକୁ ଥିବା ରେଢାଖୋଲରୁ ରୋହିତ ପୂଜାରୀ, ସମ୍ବଲପୁରରୁ ରାସେଶ୍ୱରୀ ପାଣିଗ୍ରାହୀଙ୍କୁ ପ୍ରାର୍ଥୀ କରିଛି ଦଳ ।

ଏହାପୂର୍ବରୁ ବିଜେଡି ପ୍ରଥମ ପର୍ଯ୍ୟାୟରେ ୯ ଲୋକସଭା ଓ ୫୪ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା । ତେବେ ଆଜି ବାକି ଥିବା ୯ଟି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି । ବିଜେପି ବର୍ତମାନ ସୁଦ୍ଧା ୧୫ଟି ଲୋକସଭା ଓ ୧୨୧ଟି ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି । କଂଗ୍ରେସ ୮ ଲୋକସଭା ଓ ୧୦୦ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଛି ।

୨୦୧୯ ସାଧାରଣ ନିର୍ବାଚନ ପାଇଁ ଟିକେଟକୁ ନେଇ ସବୁ ରାଜନୈତିକ ଦଳରେ ଲାଗିରହିଛି କନ୍ଦଳ । ବିଶେଷ କରି ଟିକେଟ ଘୋଷଣା ହେବା ପରେ କିଛି ଦଳରେ ଅସନ୍ତୋଷ ତେଜୁଥିବା ଦେଖିବାକୁ ମିଳିଛି । ଆଉ ଏହାରି ଭିତରେ କେଉଁ ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲାଇଲେ, ଜନମତ ହାସଲ କରିହେବ, ସେନେଇ ମଧ୍ୟ ଚାଲିଛି ଅଙ୍କକଷା ।